କରୁଣା ଓ ପ୍ରଶାନ୍ତିର ମୂର୍ତ୍ତିମନ୍ତ ପ୍ରତୀକ
ପୁଣ୍ୟଭୂମି ଭାରତ ବର୍ଷରେ ଜ୍ଞାନ, କର୍ମ ଓ ଭକ୍ତିର ଉଜ୍ଜ୍ୱଳ ବର୍ତ୍ତିକା ଧରି ତଥାଗତ ବୁଦ୍ଧ ଖ୍ରୀଷ୍ଟପୂର୍ବ ୬୨୩ରେ ଆବିର୍ଭୂତ ହୋଇଥିଲେ । କପିଳବାସ୍ତୁର ରାଜସିଂହାସନ, ପିତା ରାଜା ଶୁଦେ୍ଧାଦନଙ୍କର ସକଳ ଆୟୋଜନ, ସ୍ତ୍ରୀ ଯଶୋଧାରା ଓ ସଦ୍ୟଜାତ ପୁତ୍ର ରାହୁଳର ଆକର୍ଷଣ, ନଭଶ୍ଚୁମ୍ବୀ ପ୍ରାସାଦ ଓ ରାଜପୁତ୍ରର ସମସ୍ତ ସୌଭାଗ୍ୟକୁ ତୁଚ୍ଛ କରି ସେ ଯୌବନାବସ୍ଥାରେ ଗୃହତ୍ୟାଗ କରିଥିଲେ । ଗୈରିକ ବସ୍ତ୍ର ପରିଧାନ କରି, ଲଣ୍ଡିତ ମସ୍ତକ ଗୌତମ ରାଜଗୃହ, ଉରୁବେଳା, ରୁଦ୍ରକ ଆଶ୍ରମ, ଗୟାଶୀର୍ଷ ପର୍ବତ ନିକଟସ୍ଥ ନିରଞ୍ଜନା ନଦୀ କୂଳରେ ଥିବା ଉଋବିଲ୍ୱ ଆଦି ସ୍ଥାନରେ କଠୋର ତପସ୍ୟା କରି ବୁଦ୍ଧତ୍ୱ ପ୍ରାପ୍ତି ହୋଇଥିଲେ । ତାଙ୍କର ସରଳ ସୁମଧୁର ଓ କଲ୍ୟାଣପ୍ରଦ ଉପଦେଶ ଅନେକଙ୍କୁ ସୁସଂଯତ ଓ ସୁପରିବର୍ତ୍ତିତ କରିଥିଲା । ତାଙ୍କର ପ୍ରଥମ ଉପଦେଶ "ଧର୍ମଚକ୍ର ପ୍ରବର୍ତ୍ତନଂ' ନାମରେ ଖ୍ୟାତ । ଯେଉଁଠାରେ ସେ ପ୍ରଥମେ ଧର୍ମଚକ୍ର ପ୍ରବର୍ତ୍ତନ କରିଥିଲେ, ତାହାର ବର୍ତ୍ତମାନ ନାମ ସାରନାଥ ।
ବାସ୍ତବରେ ତଥାଗତ ବୁଦ୍ଧ ଥିଲେ କରୁଣା ଓ ପ୍ରଶାନ୍ତିର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କ ବୀଣାରେ ସେ "ଜୀବ ମାତ୍ରେ ଦୟା' ପ୍ରଦର୍ଶନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ତଥାଗତଙ୍କ ଶିଷ୍ୟ ଉପଗୁପ୍ତଙ୍କ ଠାରୁ ବୁଦ୍ଧଙ୍କର ଶାନ୍ତିବାଣୀ ଶୁଣି ମହାପରାକ୍ରମୀ ଚଣ୍ଡାଶୋକ ଯେ ଉକ୍ରଳର ଦୟାନଦୀକୁ ଯୁଦ୍ଧରେ ରକ୍ତ ରଞ୍ଜିତ କରିଥିଲେ, ସେ ପରିବର୍ତ୍ତିତ ହୋଇ ଦେବାନାଂ ପି୍ରୟ, ପି୍ରୟଦର୍ଶୀ ଧର୍ମାଶୋକରେ ପରିଣତ ହୋଇଥିଲେ ଏବଂ ଲୋକ କଲ୍ୟାଣ କାର୍ଯ୍ୟରେ ଜୀବନର ଅବଶିଷ୍ଟ ସମୟ ଅତିବାହିତ କରିଥିଲେ । ପୁନଶ୍ଚ ବୁଦ୍ଧଙ୍କ ସମୟରେ ଅଙ୍ଗୁଳିମାଳା ସମସ୍ତ ଲୋକଙ୍କୁ ହତ୍ୟା କରିବାର ଏକ ପ୍ରତିଜ୍ଞା ନେଇ ଜଙ୍ଗଲ ପଥରେ ପ୍ରତିଦିନ ମଣିଷଙ୍କୁ ହତ୍ୟାକରି ଚାଲିଥିଲା । କେତେଜଣଙ୍କୁ ମାରିଲା, କିଛିଦିନ ପରେ ଭୁଲିଯିବାରୁ, ଏହାପରେ ଯେଉଁମାନଙ୍କୁ ହତ୍ୟା କଲା ତାଙ୍କର ଗୋଟିଏ ଗୋଟିଏ ଆଙ୍ଗୁଳି କାଟି ନିଜ ବେକରେ ହାର କରି ପିନ୍ଧିଲା ତା ଭୟରେ ଲୋକମାନେ ଏକାକୀ ନଯାଇ ୩୦/୪୦ଜଣ ଏକାଠି ହୋଇ ବନ୍ୟପଥରେ ଯାତ୍ରା କରୁଥିଲେ । ବୁଦ୍ଧଦେବ ଶ୍ରାବସ୍ତୀର ଜନତାଙ୍କ ମୁଖରୁ ଅଙ୍ଗୁଳିମାଳା କଥା ଶୁଣି ସେ ରହୁଥିବା ଜଙ୍ଗଲ ପଥରେ ସମସ୍ତଙ୍କ ବାରଣ ସତ୍ତ୍ୱେ ଏକାକୀ ଯାତ୍ରା କଲେ । ନିର୍ଭୟ ଚିତ୍ତରେ ଏକାକୀ ଜଣେ ଶ୍ରମଣ ଯାତ୍ରା କରୁଥିବା ଦେଖି ଅଙ୍ଗୁଳିମାଳା ତାଙ୍କ ପଶ୍ଚାତ୍ଧାବନ କଲା । କିନ୍ତୁ ସେ ଆଶ୍ଚର୍ଯ୍ୟ ହେଲା ଯେ ଏତେ କ୍ଷିପ୍ର ଗତିରେ ଚାଲିମଧ୍ୟ ସେ ବୁଦ୍ଧଙ୍କୁ ଧରିପାରୁନଥିଲା କ୍ଲାନ୍ତ ହୋଇ ଗୋଟିଏ ସ୍ଥାରେ ଛିଡ଼ା ହୋଇ ସେ ଉଚ୍ଚସ୍ୱରରେ କହିଲା - "ସ୍ଥିର ହୁଅ ଶ୍ରମଣଂ' । ଉତ୍ତରରେ ବୁଦ୍ଧ କହିଲେ - "ମୁଁ ସର୍ବଦା ସ୍ଥିର, ମାତ୍ର ଚଞ୍ଚଳତା ମଧ୍ୟରେ ତୁମେ ଗତି କରୁଅଛ । ଅତଏବ ତୁମେ ଅସ୍ଥିର ।' ତଥାଗତ ବୁଦ୍ଧଙ୍କର ଏହି ବାଣୀ ଅଙ୍ଗୁଳିମାଳା ହୃଦୟରେ ଗଭୀର ଆଲୋଡ଼ନ ସୃଷ୍ଟି କଲା । ତାର ହୃଦୟ ବେଦନାରେ ଖଣ୍ଡ ବିଖଣ୍ଡିତ ହୋଇଗଲା । ନରହତ୍ୟା ରୂପୀ ପୂର୍ବାର୍ଜିତ ପାପପାଇଁ ତା' ନେତ୍ରରୁ ଅନୁତାପର ଅଶ୍ରୁ ଧାର ଧାର ହୋଇ ଝରିବାକୁ ଲାଗିଲା । ତଥାଗତ ତାଙ୍କୁ କରୁଣାପୂର୍ଣ୍ଣ ନେତ୍ରରେ ଚାହିଁ ସତେ ଯେପରି ଅମୃତର ଆହ୍ୱାନ ଦେଉଥିଲେ । "ବସୁଧୈବ କୁଟୁମ୍ବକମ୍' । ଏ ପୃଥିବୀର ସମସ୍ତ ମଣିଷ ଆମର ଭାଇବନ୍ଧୁ କୁଟୁମ୍ବ । ତଥାଗତ ବୁଦ୍ଧଙ୍କର କରୁଣା ଭାବ ଏବଂ "ଜୀବେ ଦୟା' ସମସ୍ତଙ୍କ ହୃଦୟକୁ ଅହିଂସକ କରି ବାସ୍ତବ ଶାନ୍ତି ଦେଉ । କେହି କାହାକୁ ହତ୍ୟା ନକରୁ । ଯେ କୌଣସି କାରଣ ପାଇଁ ହେଉ, ହତ୍ୟାକାରୀଟି ବାସ୍ତବରେ ଦୁଃଖି ମଣିଷଟିଏ । ଆଶାନ୍ତ ଆତ୍ମାଟିଏ । ଏଇଥିପାଇଁ ଖ୍ରୀଷ୍ଟପୂର୍ବ ୫୪୩ରେ କୁଶିନାରାର ପାବା ନାମକ ସ୍ଥାନରେ ବିସ୍ତୀର୍ଣ୍ଣ ଶାଳବଣ ମଧ୍ୟରେ ଅଶୀବର୍ଷ ବୟସରେ ବୈଶାଖ ପୂର୍ଣ୍ଣିମାର ଶାନ୍ତ ସ୍ନିଗ୍ଧ, ଜ୍ୟୋତ୍ସାସ୍ନାତ ରଜନୀରେ ନିର୍ବାଣ ପ୍ରାପ୍ତ ହୋଇ ଦେହ ତ୍ୟାଗ କରିଥିବା ପରମ କାରୁଣିକ କରୁଣାପ୍ରାଣ ତଥାଗତ ବୁଦ୍ଧ ଆଜି ଆମ୍ଭମାନଙ୍କର ପରମ ବନ୍ଦନୀୟ ଓ ଅନୁସରଣୀୟ ।
ଡ.ଅରୁନ୍ଧତୀ ଦେବୀ,ମୋ: ୯୪୩୭୧୨୪୫୭୨