ସୂଚନା କମିଶନର ପାଇଁ ଆଶାୟୀଙ୍କ ଲମ୍ବା ଲାଇନ୍ : ଆବେଦନ କରିଛନ୍ତି ନେତା, ପ୍ରଶାସକ ଓ ସାମାଜିକ କର୍ମୀ
ଭୁବନେଶ୍ୱର: ସୂଚନା କମିଶନର ପଦବୀ ପାଇଁ ଗଦାଗଦା ଆବେଦନ ଆସିଛି । ନେତା, ପ୍ରଶାସକ ଓ ସାମାଜିକ କର୍ମୀମାନେ ଏହି ପଦବୀ ପାଇଁ ଆଶାୟୀ ଅଛନ୍ତି । ଆୟୋଗର ୪ ସଦସ୍ୟଙ୍କ ପାଇଁ ୧୮୩ ଜଣ ଆବେଦନ କରିଥିବାବେଳେ ମୁଖ୍ୟ ସୂଚନା ଆୟୁକ୍ତ ପଦବୀ ନିମନ୍ତେ ୪୭ ଜଣ ଆବେଦନ ଆସିଛି । ଏମିତିକି ନିର୍ଦ୍ଧାରିତ ଅବଧି ପରେ ବି ଆବେଦନ ଆସିଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ବୋଧହୁଏ ପ୍ରଥମ ଥର ପାଇଁ ରାଜ୍ୟ ସରକାର ନାମ ସାର୍ବଜନୀନ କରିଛନ୍ତି । ତେବେ ସେ ଯାହାହେଉନା କାହିଁକି ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଇଛି । ଯେଉଁ କମିଟି ଆୟୋଗର ଅଧ୍ୟକ୍ଷଙ୍କ ପାଇଁ ୩ ଜଣ ଓ ୪ ସଦସ୍ୟଙ୍କ ପାଇଁ ୧୨ ଜଣଙ୍କ ନାମ ସର୍ଟଲିଷ୍ଟ କରାଯିବ । ମୁଖ୍ୟ ସୂଚନା ଆୟୁକ୍ତ ପଦବୀ ପାଇଁ ଗତ ବର୍ଷ ଅକ୍ଟୋବର ୩ରେ ଓ ୪ଟି ସୂଚନା ଆୟୁକ୍ତ ପଦବୀ ନିମନ୍ତେ ଗତ ନଭେମ୍ବର ୧୯ରେ ବିଜ୍ଞାପନ ପ୍ରକାଶ ପାଇଥିଲା । ରାଜ୍ୟ ସୂଚନା ଆୟୋଗରେ ଜଣେ ଅଧ୍ୟକ୍ଷ ଓ ୬ ଜଣ ସଦସ୍ୟ ପଦବୀ ରହିଛି । ଏବେ ଆୟୋଗରେ ମାତ୍ର ଦୁଇଜଣ ସଦସ୍ୟ ସୁଶାନ୍ତ କୁମାର ମହାନ୍ତି ଓ ଜଗନ୍ନାଥ ରଥ କାର୍ଯ୍ୟ କରୁଛନ୍ତି ।
ଅଧ୍ୟକ୍ଷ ଓ ସଦସ୍ୟ ହେବା ପାଇଁ ରାଜ୍ୟ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ମିନତୀ ବେହେରା, ଭାରତୀୟ ରେଳବାଇ ସେବା ଅଧିକାରୀ ସଞ୍ଜୟ କୁମାର ମିଶ୍ର, ରଞ୍ଜନ ଦାସ ପ୍ରମୁଖଙ୍କ ସମେତ ବହୁ ସାମ୍ବାଦିକ, ସୂଚନା କର୍ମୀ ଓ ଅବସରପ୍ରାପ୍ତ କର୍ମଚାରୀମାନେ ରହିଥିବା ଜଣାପଡିଛି । ଏହାଛଡ଼ା ଅବସରପ୍ରାପ୍ତ ଆଇପିଏସ୍ ସନ୍ତୋଷ କୁମାର ଉପାଧ୍ୟାୟ, ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଲଳିତ ଦାସ, ମନୋରଞ୍ଜନ ପାଣିଗ୍ରାହୀ, ବିକାଶ ମହାପାତ୍ର, ଶ୍ରୀକାନ୍ତ ପୃଷ୍ଟି, ସୁଶାନ୍ତ କୁମାର ଦାଶ, ଗୋପବନ୍ଧୁ ଶତପଥୀ, ଗଣେଶ ଚନ୍ଦ୍ର ପାତ୍ର, ଉଦୟ ନାରାୟଣ ଦାସ, ସୀତାଂଶୁ କୁମାର ରାଉତ, ଶଶଧର ନାୟକ, ଅଶ୍ୱିନୀ କୁମାର ମିଶ, ସୂଚନା ଅଧିକାର କର୍ମୀ ପ୍ରଦୀପ କୁମାର ପ୍ରଧାନ, ଶ୍ରୀକାନ୍ତ ପକାଳ, ଅଖଣ୍ଡଙ୍କ ସମେତ କିଛି ଅବସରପ୍ରାପ୍ତ ନ୍ୟାୟିକ ଅଫିସର ମଧ୍ୟ ଏହି ପଦବୀଗୁଡିକ ନିମନ୍ତେ ଆବେଦନ କରିଥିବା ଜଣାପଡିଛି ।