କୃଷି ବିଭାଗ ସମସ୍ତ କାର୍ଯ୍ୟାଳୟ ପରିସରରେ ହେବ ବୃକ୍ଷରୋପଣ

 ଭୁବନେଶ୍ୱର:  ମା’ ପାଇଁ ବୃକ୍ଷଟିଏ (ଏକ ପେଡ଼୍ ମା’କେ ନାମ) ପ୍ରୟାସର ଅଂଶସ୍ୱରୂପ ଓଡ଼ିଶା ସରକାରଙ୍କ ପକ୍ଷରୁ ଆସନ୍ତା ୧୭ ତାରିଖରେ ୭୫ ଲକ୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି  । ଏହି ମହତ ପ୍ରୟାସରେ ସହଭାଗୀ ହୋଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସମସ୍ତ କାର୍ଯ୍ୟାଳୟ ତଥା ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିଦେ୍ର୍ଦଶାଳୟ ସମେତ ସାରା ରାଜ୍ୟରେ ୨୩ ଲକ୍ଷରୁ ଅଧିକ ଚାରା କାର୍ଯ୍ୟାଳୟ ପରିସର ଓ ଅନ୍ୟାନ୍ୟ ଉପଲବ୍ଧ ସ୍ଥାନରେ ରୋପଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି  । ସମସ୍ତ ଜିଲ୍ଲାର କୃଷି ବିଭାଗ  ଅଧିକାରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଅତି କମ୍ ରେ ଗୋଟିଏ ଚାରାରୋପଣ କରିବାକୁ କୃଷି ସଚିବ ଡ. ଅରବିନ୍ଦ କୁମାର ପାଢୀ ପରାମର୍ଶ ଦେଇଛନ୍ତି  । ସମସ୍ତ ୨୩ ଲକ୍ଷ ଚାରା ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିଦେ୍ର୍ଦଶାଳୟ ଦ୍ୱାରା ଯୋଗାଇ ଦିଆଯିବ । ଏଥିସହିତ ଚାରାରୋପଣର ଫଟୋ ଉଠାଇ ଏହାକୁ ମେରିଲାଇଫ ପୋର୍ଟାଲରେ ଅପଲୋଡ୍ କରିବାକୁ ନିଦେ୍ର୍ଦଶ ଦିଆଯାଇଛି  ।ସମସ୍ତଙ୍କ ମିଳିତ ପ୍ରୟାସରେ ପୃଥିବୀକୁ ପୁଣିଥରେ ସବୁଜିମା ଭେଟି ଦେବା ବୋଲି ଡ. ପାଢୀ କହିଛନ୍ତି  ।