ହେଲାନି ରାଗିଂ ନିରୋଧୀ ନିୟମ ପାଳନ : ୧୮ ମେଡ଼ିକାଲ କଲେଜକୁ ୟୁଜିସି ନୋଟିସ
ନୂଆଦିଲ୍ଲୀ: ଆଣ୍ଟି ରାଗିଂ ନିୟମ ପାଳନ କରୁନଥିବାରୁ ୟୁଜିସି ୧୮ଟି ମେଡିକାଲ କଲେଜକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ଦିଲ୍ଲୀ, ତାମିଲନାଡୁ, ଆସାମ ଓ ପୁଡୁଚେରୀର ୨ଟି ଲେଖାଏଁ କଲେଜ ରହିଛି । ଆନ୍ଧ୍ରପ୍ରଦେଶ ଓ ବିହାରରେ ୩ଟି ଲେଖାଏଁ; ମଧ୍ୟପ୍ରଦେଶ,ତେଲେଙ୍ଗାନା,ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ଗୋଟିଏ ଲେଖାଏଁ ଅଛନ୍ତି । ରାଗିଂକୁ ରୋକିବା ପାଇଁ ଆଣ୍ଟି ରାଗିଂ ନିୟମ, ୨୦୦୯ରେ ଦର୍ଶାଯାଇଥିବା ବାଧ୍ୟତାମୂଳକ ଆବଶ୍ୟକତାକୁ ଏହି କଲେଜଗୁଡ଼ିକ ପାଳନ କରିନଥିବା ଜଣାପଡ଼ିଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସଚିବ ମନୀଷ ଯୋଶୀ କହିଛନ୍ତି ଯେ, ଏହି ନିୟମ ଅନୁଯାୟୀ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କଠାରୁ ରାଗିଂ ନିରୋଧୀ ପ୍ରତିଶ୍ରୁତି ହାସଲ କରିବାରେ ବିଫଳ ହୋଇଥିବା ଆମ ନଜରକୁ ଆସିଛି ।
ଆଣ୍ଟି ରାଗିଂ ନିୟମ, ୨୦୦୯ ଅନୁଯାୟୀ ପ୍ରତ୍ୟେକ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ନାମଲେଖା ସମୟରେ ଏବଂ ପ୍ରତ୍ୟେକ ଶିକ୍ଷାବର୍ଷ ଆରମ୍ଭରେ ଏକ ଆଣ୍ଟି ରାଗିଂ ପ୍ରତିଶ୍ରୁତି ଦାଖଲ କରିବେ । ଶିକ୍ଷାନୁଷ୍ଠାନ ମଧ୍ୟରେ ରାଗିଂ ଘଟଣାକୁ ରୋକିବା ପାଇଁ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।ଏହି ପ୍ରତିଶ୍ରୁତିକୁ ସୁରକ୍ଷିତ କରିବାରେ ବିଫଳତା କେବଳ ନିୟମ ପାଳନ ନ କରିବା ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ମଙ୍ଗଳ ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଯୋଶୀ କହିଛନ୍ତି । ନୋଟିସ୍ ପାଇବାର ୭ ଦିନ ମଧ୍ୟରେ ଲିଖିତ ସ୍ପଷ୍ଟୀକରଣ ଦାଖଲ କରିବାକୁ କଲେଜଗୁଡ଼ିକୁ ନିଦେ୍ର୍ଦଶ ଦିଆଯାଇଛି, ଯେଉଁଥିରେ ତ୍ରୁଟିର କାରଣ ଏବଂ ଏହି ପରିସ୍ଥିତିକୁ ତୁରନ୍ତ ସୁଧାରିବା ପାଇଁ ସେମାନେ କ'ଣ ପଦକ୍ଷେପ ନେବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ବିବରଣୀ ଦିଆଯାଇଛି ।
ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସନ୍ତୋଷଜନକ ସ୍ପଷ୍ଟୀକରଣ ପ୍ରଦାନ ନ କଲେ ଆମକୁ ରାଗିଂ ନିରୋଧୀ ନିୟମାବଳୀ, ୨୦୦୯ର ବ୍ୟବସ୍ଥା ଅନୁଯାୟୀ ପରବର୍ତ୍ତୀ ଆବଶ୍ୟକ ପଦକ୍ଷେପ ନେବାକୁ ବାଧ୍ୟ ହେବୁ, ଯେଉଁଥିରେ ଜରିମାନା ଲଗାଇବା ଏବଂ ଅନ୍ୟାନ୍ୟ ସଂଶୋଧନମୂଳକ ପଦକ୍ଷେପ ନେବୁ ବୋଲି ଯୋଶୀ କହିଛନ୍ତି ।