ସେନା ଅଧିକାରୀଙ୍କ ହଙ୍ଗାମା : ୪ ସ୍ପାଇସଜେଟ କର୍ମଚାରୀଙ୍କୁ ପିଟିଲେ
ଶ୍ରୀନଗର : ଶ୍ରୀନଗର ବିମାନ ବନ୍ଦରରେ ଘଟିଛି ଅଭାବନୀୟ ଘଟଣା । ବିମାନର ବୋର୍ଡିଂ ଗେଟରେ ସ୍ପାଇସଜେଟର ୪ ଜଣ କର୍ମଚାରୀଙ୍କୁ ନିର୍ଘାତ ପିଟିଲେ ଜଣେ ଯାତ୍ରୀ । ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା ଏସଜି-୩୮୬ ବିମାନ ଚେକିଂ ସମୟରେ ଘଟିଛି ଏହି ଘଟଣା । ଏନେଇ ଅଭିଯୋଗ କରିଛନ୍ତି ସ୍ପାଇସଜେଟର ଜଣେ ମୁଖପାତ୍ର । ଅଭିଯୋଗ ଅନୁସାରେ ଯାତ୍ରୀ ଜଣକ ସ୍ପାଇସଜେଟର କର୍ମଚାରୀଙ୍କୁ ଗୋଇଠା ଏବଂ ମୁଠା ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ ଆମର କର୍ମଚାରୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି ଏବଂ ସେମାନଙ୍କ ପାଟିରେ ଗଭୀର ଆଘାତ ଲାଗିଛି । ସେ କହିଛନ୍ତି ଯେ ସ୍ପାଇସଜେଟର ଜଣେ କର୍ମଚାରୀ ତଳେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଚେତାଶୂନ୍ୟ ହେବା ସତ୍ତ୍ୱେ ଯାତ୍ରୀ ଜଣକ ସେହି କର୍ମଚାରୀଙ୍କୁ ଗୋଇଠା ଏବଂ ବିଧା ମାରି ଚାଲିଥିଲେ । ଚେତାଶୂନ୍ୟ କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ଯାଇ ଆଉ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ । ତାଙ୍କ ନାକ ଏବଂ ପାଟିରୁ ରକ୍ତ ବାହାରିଥିଲା । କର୍ମଚାରୀମାନେ ହସ୍ପିଟାଲରେ ଚିକିସôାଧୀନ ଅଛନ୍ତି ।
ଯେଉଁ ଯାତ୍ରୀ ଆକ୍ରମଣ କରିଥିଲେ ସେ ଜଣେ ବରିଷ୍ଠ ସାମରିକ ଅଧିକାରୀ । ତାଙ୍କ ନାମ ରିତେଶ କୁମାର ସିଂହ । ମୁଖପାତ୍ର କହିଛନ୍ତି ଯେ ରିତେଶ ଦୁଇଟି କ୍ୟାବିନ୍ ବ୍ୟାଗ୍ ଧରି ଆସୁଥିଲେ ଯାହାର ମୋଟ ଓଜନ ୧୬ କିଲୋଗ୍ରାମ ଥିଲା । କିନ୍ତୁ ୭ କେଜିର ଓଜନ ପର୍ଯ୍ୟନ୍ତ ନେବାର ଅନୁମତି ରହିଛି । କିନ୍ତୁ ସେ ଆଣିଥିବା ବ୍ୟାଗ ଦୁଇଗୁଣରୁ ଅଧିକ । ଯେତେବେଳେ ତାଙ୍କୁ ଅତିରିକ୍ତ ଲଗେଜ ଉପରେ ପ୍ରଯୁଜ୍ୟ ଶୁଳ୍କ ଦେବାକୁ କୁହାଗଲା, ସେ ମନା କରିଦେଲେ ଓ ବୋର୍ଡିଂ ପ୍ରକ୍ରିୟା ସମାପ୍ତ ନକରି ଜୋରଜବରଦସ୍ତ ଏରୋବ୍ରିଜରେ ପ୍ରବେଶ କରି ବିମାନ ସୁରକ୍ଷା ପ୍ରୋଟୋକଲ୍ ଉଲ୍ଲଂଘନ କଲେ । ତାଙ୍କୁ ଜଣେ ସୁରକ୍ଷା କର୍ମୀ ଗେଟ୍ ପାଖକୁ ଫେରାଇ ଆଣିଲେ । ଅଧିକାରୀ କହିଛନ୍ତି ଯେ ଗେଟ୍ ପାଖରେ ଯାତ୍ରୀଙ୍କ ଆଚରଣ ଆହୁରି ଆକ୍ରମଣାତ୍ମକ ହୋଇଗଲା ଏବଂ ସେ ସ୍ପାଇସ୍ ଜେଟ୍ ଗ୍ରାଉଣ୍ଡ ଷ୍ଟାଫ୍ର ଚାରି ଜଣ ସଦସ୍ୟଙ୍କୁ ଆକ୍ରମଣ କଲେ । ସ୍ଥାନୀୟ ପୁଲିସରେ ଏକ ଏଫଆଇଆର ଦାୟର କରାଯାଇଛି । ବିମାନ କମ୍ପାନୀ ଏବେ ବେସାମରିକ ବିମାନ ଚଳାଚଳ ନିୟମ ଅନୁଯାୟୀ ତାଙ୍କୁ ନୋ-ଫ୍ଲାଏ ତାଲିକାରେ ରଖିବା ପ୍ରକ୍ରିୟା ଆରମ୍ଭ କରିଛି । ଏହା ପରେ ସେ ଆଉ ବିମାନରେ ଯାତ୍ରା କରିପାରିବେ ନାହିଁ । ଅଧିକାରୀ କହିଛନ୍ତି ଯେ ସ୍ପାଇସଜେଟ୍ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ତାର କର୍ମଚାରୀଙ୍କ ଉପରେ ହୋଇଥିବା ମାରାତ୍ମକ ଆକ୍ରମଣ ବିଷୟରେ ଅବଗତ କରିଛି ।