ସୌରଶକ୍ତି ଉତ୍ପାଦନ ଆଶାନୁରୂପ ନୁହେଁ
ରାଜ୍ୟରେ ଗ୍ରାମାଞ୍ଚଳ ଗୁଡ଼ିକରେ ବିଦୁ୍ୟତ୍ ସଂଯୋଗ ଦିଆଯିବା ପରେ ସହରାଞ୍ଚଳର ବିଦୁ୍ୟତ୍ ଉପଭୋକ୍ତାମାନେ ବିଦୁ୍ୟତ୍ ସଙ୍କଟର ସମ୍ମୁଖୀନ ହେଉଥିବା ଅଭିଯୋଗ ଆସୁଛି । ଅନ୍ୟପକ୍ଷରେ ଓଡ଼ିଶାକୁ ବିଦୁ୍ୟତ୍ କ୍ଷେତ୍ରରେ ଏକ ବଳକା ରାଜ୍ୟ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏଠାରେ ବିଦୁ୍ୟତ୍ ଉତ୍ପାଦନ ଆବଶ୍ୟକତା ଠାରୁ ଅଧିକ ବୋଲି କୁହାଯାଉଥିଲେ ମଧ୍ୟ ବର୍ଷସାରା ବିଦୁ୍ୟତ୍ କାଟ୍ ଲାଗି ରହିଛି । ଏପରିକି ବର୍ଷାଦିନେ ମଧ୍ୟ ଜଳ ବିଦୁ୍ୟତ୍ ପ୍ରକଳ୍ପ ଗୁଡ଼ିକରୁ ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ବିଦୁ୍ୟତ୍ ଉତ୍ପାଦନ ହେଉ ନାହିଁ । ତାପଜ ବିଦୁ୍ୟତ୍ କେନ୍ଦ୍ର ଗୁଡ଼ିକରେ ସବୁବେଳେ କ୍ଷମତା ଠାରୁ କମ୍ ଉତ୍ପାଦନ କିମ୍ବା ଗୋଟିଏ ଗୋଟିଏ ୟୁନିଟ୍ ବନ୍ଦ ହୋଇ ଯାଉଥିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ଏହା ଫଳରେ ବିଦୁ୍ୟତ୍ କାଟ ଭଳି ପରିସ୍ଥିତି ବର୍ଷ ସାରା ଲାଗି ରହୁଛି । ଏହାର ବିକଳ୍ପ ହେଉଛି ସୌରଶକ୍ତିରୁ ଉତ୍ପାଦିତ ବିଦୁ୍ୟତ୍ । ଏ କ୍ଷେତ୍ରରେ ରାଜ୍ୟ ସରକାର ଅତୀତରେ ଅନେକ ପଦକ୍ଷେପ ନେଇଛନ୍ତି । ରାଜଧାନୀର ଅଧିକାଂଶ ସରକାରୀ କୋଠାରେ ସୌର ପ୍ୟାନେଲ୍ ଲଗାଯାଇ ବିଦୁ୍ୟତ୍ ଉତ୍ପାଦନ କରି ସେହି କୋଠା ଗୁଡ଼ିକୁ ଯୋଗାଇ ଦେବାର ବ୍ୟବସ୍ଥା ହେଉଛି । ତେବେ ରାଜ୍ୟରେ ସୌରଶକ୍ତିରୁ ଉତ୍ପାଦିତ ହେଉଥିବା ବିଦୁ୍ୟତ୍ର ପରିମାଣ ୫ ଶହ ମେଗା ୱାଟ୍ରୁ ଅଧିକ ହୋଇ ପାରୁନାହିଁ । ସୌରଶକ୍ତି ବ୍ୟବହାର କରି ବିଦୁ୍ୟତ୍ ଉତ୍ପଦାନ ଯୋଜନାକୁ ଲୋକପ୍ରିୟ କରାଇବାରେ ସଫଳତା ମିଳୁନାହିଁ । ସରକାରୀ କୋଠାବାଡ଼ି ଗୁଡ଼ିକରେ ଲଗାଯାଇଥିବା ସୌର ପ୍ୟାନେଲ୍ରୁ ମାତ୍ର ୫୨ ମେଗାୱାଟ୍ ଶକ୍ତି ମିଳୁଥିବା ଜଣାପଡ଼ିଛି ।
ରାଜ୍ୟ ସରକାରଙ୍କର ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ୍ ୧୦୪୩ ମେଗାୱାଟ୍ ଶକ୍ତି ଉତ୍ପାଦନ କରିବା ଭଳି ଭିତ୍ତିଭୂମି ରହିଛି । ହେଲେ ଏଥିରୁ ମାତ୍ର ୪୬୮ ମେଗାୱାଟ୍ ବିଦୁ୍ୟତ୍ ଉତ୍ପାଦନ ହେଉଛି । ଏହାର ପୂର୍ଣ୍ଣ ଉପଯୋଗ ହୋଇ ପାରୁନାହିଁ । ସୌରଶକ୍ତି ଉତ୍ପାଦନ ପ୍ରକଳ୍ପ ଗୁଡ଼ିକୁ ସ୍ଥାପନ କରିବା କ୍ଷେତ୍ରରେ ସରକାର ସବ୍ସିଡ଼ି ବ୍ୟବସ୍ଥା ମଧ୍ୟ ରଖିଛନ୍ତି । ବିଦୁ୍ୟତ୍ ବିତରଣ କମ୍ପାନୀ ଗୁଡ଼ିକୁ ସୌରପ୍ରକଳ୍ପ ସ୍ଥାପନର ଦାୟିତ୍ୱ ଦିଆଯାଇଛି । କିନ୍ତୁ ବିଦୁ୍ୟତ୍ ବଣ୍ଟନକାରୀ ସଂସ୍ଥା ଗୁଡ଼ିକ ଏଥିରେ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହାଫଳରେ ଲୋକଙ୍କ ନିକଟରେ ସରକାରଙ୍କର ଯୋଜନା ପହଞ୍ଚିପାରୁନାହିଁ ଏବଂ ଆଗ୍ରହୀ ଥିବା ଲୋକମାନେ ମଧ୍ୟ ସେ ସମ୍ପର୍କରେ ତଥ୍ୟ କିମ୍ବା ସହଯୋଗ ପାଇପାରୁନାହାନ୍ତି । ସ୍ୱତନ୍ତ୍ର ଭାବରେ ଏହି ପ୍ରକଳ୍ପକୁ ଲୋକପ୍ରିୟ କରାଇବା ପାଇଁ ଆଗ୍ରହର ଅଭାବ ହେତୁ ଲୋକମାନଙ୍କ ନିକଟରେ ଏହା ପହଞ୍ଚିପାରୁନାହିଁ ।
କେନ୍ଦ୍ର ସରକାର ସୌରଶକ୍ତି ପ୍ରକଳ୍ପ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ୩ ଶହ ୟୁନିଟ୍ ପର୍ଯ୍ୟନ୍ତ ବିନା ମୂଲ୍ୟରେ ବିଦୁ୍ୟତ୍ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ରୀୟ ବଜେଟ୍ରେ ମଧ୍ୟ ସେଥିପାଇଁ ବ୍ୟୟବରାଦ ହୋଇଛି । କିନ୍ତୁ ରାଜ୍ୟରେ ସୌର ପ୍ରକଳ୍ପରୁ ବିଦୁ୍ୟତ୍ ଉତ୍ପାଦନ କରିବାର ବ୍ୟବସ୍ଥା ଆଶାନୁରୂପ ହୋଇପାରୁନାହିଁ । ପାହାଡ଼ ତଳି ପତିତ ଜମି ଗୁଡ଼ିକରେ ଯେଉଁ ଠାରେ ବି ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳ ହେଉନାହିଁ, ସେଠାରେ ସୌର ପ୍ୟାନେଲ୍ ସବୁ ବସାଯାଇ ବିଦୁ୍ୟତ୍ ପ୍ରକଳ୍ପ ସ୍ଥାପନ କରାଗଲେ ଜମିର ଉପଯୁକ୍ତ ବ୍ୟବହାର ସହିତ ଏହାର ସକାରାତ୍ମକ ଉପଯୋଗ ହୋଇପାରିବ । ବର୍ତ୍ତମାନ ବିଭିନ୍ନ ଜଳଭଣ୍ଡାରରେ ଭାସମାନ ସୌର ପ୍ୟାନେଲ୍ ମାଧ୍ୟମରେ ବିଦୁ୍ୟତ୍ ଉତ୍ପାଦନର ବୈଷୟିକ କୌଶଳ ଉଦ୍ଭାବନ କରାଯାଇ ସାରିଲାଣି । ଏ ପ୍ରକାରର ବ୍ୟବସ୍ଥାରେ ବିଭିନ୍ନ ଜଳଭଣ୍ଡାର ଗୁଡ଼ିକରେ ସୌର ଶକ୍ତିର ବିଦୁ୍ୟତ୍ ମଧ୍ୟ ଉତ୍ପାଦିତ ହୋଇପାରିବ । ଭାସମାନ ସୌର ପ୍ୟାନେଲ୍ର ଏକ ବଡ଼ ଉପକାରିତା ହେଲା ଏଥିରେ ଜମି ଆବଶ୍ୟକ ପଡୁନାହିଁ । ତେଣୁ ରାଜ୍ୟର ଛୋଟ, ବଡ଼ ସମସ୍ତ ଜଳଭଣ୍ଡାର ଗୁଡ଼ିକରେ ଭାସମାନ ସୌର ପ୍ୟାନେଲ୍ ପାଇଁ ପ୍ରକଳ୍ପ ସ୍ଥାପନ କରାଯିବାର ଆବଶ୍ୟକତା ରହିଛି । ତେବେ ଯାହା ବି ହେଉ ଏ କ୍ଷେତ୍ରରେ ପ୍ରକୃତି ପ୍ରଦତ୍ତ ସୂର୍ଯ୍ୟରଶ୍ମିରୁ ବିଦୁ୍ୟତ୍ ଉତ୍ପାଦନ ନିମିତ୍ତ ଥରେ ବ୍ୟବସ୍ଥାଟିଏ କରି ଦିଆଗଲେ ତାହା ଦୀର୍ଘ ବର୍ଷ ଧରି ବିଦୁ୍ୟତ୍ ଶକ୍ତି ଯୋଗାଇ ପାରିବ ଏବଂ ଥରେ ମାତ୍ର ଖର୍ଚ୍ଚ କରି ଦୀର୍ଘ ବର୍ଷ ନିମିତ୍ତ ବିଦୁ୍ୟତ୍ ବ୍ୟବହାର କରାଯାଇପାରିବ ।