ଧନ୍ୟ କଳିଯୁଗ

ଶ୍ରୀହରିଗୁରୁ ଆଶ୍ରିତ ଅତୀଶ : 
ଦିନେ ସନ୍ଧ୍ୟା ସସଂଗରେ ନାମଚାର୍ଯ୍ୟ ବାୟା ବାବା ପ୍ରବଚନରେ କହିଲେ କଳିଯୁଗର ଆଗମନରେ ସାଧୁ ଋଷିମାନେ ଆଉ ସଂସାରରେ ସଂସାରୀ ମାନଙ୍କ ସହିତ ରହିବାକୁ ଚାହିଁଲେ ନାହିଁ । ସେମାନେ ଭାବିଲେ ନିବିଡ଼ ଅରଣ୍ୟ ମଧ୍ୟରେ ଯାଇ ତପସ୍ୟା କରିବେ । କଳି ଭାବିଲେ ଯଦି ସାଧୁ ସନ୍ଥ କଳାଇ ଯାନ୍ତି ତେବେ ସଂସାରର ଭାରସାମ୍ୟ ରହିବ ନାହିଁ । କେବଳ ଖଳ ଲୋକଙ୍କୁ ନେଇ କିପରି ରାଜୁତି କରାଯିବ । ଏଣୁ କଳି ମହାରାଜ ମଧ୍ୟ ସାଧୁମାନଙ୍କ ଯିବା ପୂର୍ବରୁ ଜଙ୍ଗଲ ମଧ୍ୟକୁ ଯାଇ ସେଠାରେ ଏକ ସୁନ୍ଦର ମନ୍ଦିର ନିର୍ମାଣ କରି ସେବା ପୂଜା ବ୍ୟବସ୍ଥା କରି ନିଜେ ସାଧୁ ବେଶ ଧାରଣ କରି ବସିଲେ । ସାଧୁମାନେ ଯାଉ ଯାଉ ବାଟରେ ସେହି ମନ୍ଦିର ଦେଖି ବହୁତ ଖୁସି ହେଲେ ଓ ଯିବାକୁ ଚାହିଁଲେ । ସାଧୁ ମାନଙ୍କର ଜଣେ ଗୁରୁ ଥିଲେ ସେମାନେ ତାଙ୍କ ଅନୁମତି ଚାହିଁଲେ ଗୁରୁ କହିଲେ ହଉ ଯାଇ ଦେଖି ଆସ । ଗୁରୁ ଆଜ୍ଞା ପାଇ ଜଣକ ପରେ ଜଣେ ଗଲେ ହେଲେ କେହି ଫେରିଲେ ନାହିଁ । ଶେଷରେ ଗୁରୁ ନିଜେ ଗଲେ । ମନ୍ଦିର ପାଖରେ ପହଞ୍ଚô ଦେଖିଲେ ଜଣେ ଦୀର୍ଘକାୟ ସାଧୁ ବସିଛନ୍ତି । ମୁଣ୍ଡରେ ବିରାଟ ଜଟା । ଗୁରୁ ତାଙ୍କୁ ପ୍ରଣାମ କରି ପଚାରିଲେ - ମୋର ଶିଷ୍ୟମାନେ ଏଠାକୁ ଆସିଲେ କିନ୍ତୁ ଫେରିଲେ ନାହିଁ କାହିଁକି? ସାଧୁ ବେଶଧାରୀ କଳି ମହାରାଜ କହିଲେ ଆପଣ ଶିଷ୍ୟ ମାନଙ୍କୁ ମୁଁ ବନ୍ଦୀ କରି ରଖିଛି । ସେମାନେ ମୋର ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ । ଆପଣଙ୍କୁ ମଧ୍ୟ ଉତ୍ତର ଦେବାକୁ ହେବ ନଚେତ ମୁଁ ଆପଣଙ୍କୁ ବନ୍ଦୀ କରିବି ।
ଗୁରୁ ପଚାରିଲେ - ମହାରାଜ ! ଆପଣ ପ୍ରଶ୍ନ ପଚାରନ୍ତୁ ମୁଁ ଉତ୍ତର ଦେବାକୁ ଚେଷ୍ଟା କରିବି । ସାଧୁ ବେଶଧାରୀ କଳି ମହାରାଜ କହିଲେ ଦେଖନ୍ତୁ - ଏଠାରେ ମହାପ୍ରସାଦ ଥୁଆ ହୋଇଛି । ପୁଣି ଦେଖନ୍ତୁ ଆଉ ଟିକିଏ ଦୂରରେ ମାଛ ମାଂସର ତରକାରୀ ଇତ୍ୟାଦି ରଖାଯାଇଛି । ଦେଖନ୍ତୁ ପଥର ଗୁଡ଼ିକ ଧୀରେ ଧୀରେ ଉଡୁଛନ୍ତି କିନ୍ତୁ ତୁଳା ଗୁଡ଼ିକ ଧୀରେ ଧୀରେ ତଳକୁ ଖସୁଛି । ପୁଣି ଦେଖନ୍ତୁ କିଛି ଦୂରରେ ଏକ ସୂତା ଖିଅରେ ଗୋଟିଏ ବିଶାଳ ପର୍ବତ ଝୁଲୁଛି । ଏହି ସବୁର ଅର୍ଥ ବୁଝାଇ ଦେଲେ ଆପଣଙ୍କ ଶିଷ୍ୟ ମାନଙ୍କୁ ମୁଁ ମୁକ୍ତ କରିଦେବି ନଚେତ ଆପଣ ମଧ୍ୟ ବନ୍ଦୀ ହେବେ । ଗୁରୁ ତ ମହାଜ୍ଞାନୀ । ସେ ବୁଝାଇବା ଆରମ୍ଭ କଲେ କହିଲେ ‘ଏହାତ କଳିଯୁଗର ଲକ୍ଷଣ । ମହାପ୍ରସାଦ ହେଉଛି ସାକ୍ଷାତ କୈବଲ୍ୟ । ମହାପ୍ରସାଦ ସେବନ କଲେ ଅଶେଷ ପୁଣ୍ୟ ମିଳେ । ହେଲେ କଳିଯୁଗରେ ମହାପ୍ରସାଦକୁ କେହି ପଚାରିବେ ନାହିଁ  ।ମାଛ ମାଂସ ଯେଉଁଠି ରନ୍ଧା ହୋଇଥିବ ସେଠାକୁ ଅଧିକ ଲୋକ ଯିବେ ଖାଇବାକୁ । ମାତ୍ର ମହାପ୍ରସାଦକୁ ଦେଖି ନ ଦେଖିଲା ଭଳି ଚାଲିଯିବେ । ଏହି ଉତ୍ତର ଶୁଣି କଳି ମହାରାଜ କହିଲେ ଆପଣଙ୍କ ଉତ୍ତର ମୋର ମନକୁ ପାଇଛି । ଏବେ ଦ୍ୱିତୀୟ ପ୍ରଶ୍ନର ଉତ୍ତର ଦିଅନ୍ତୁ ।
ଗୁରୁ କହିଲେ - କଳିରେ ଖଳ ଲୋକମାନେ ଖୁବ ଉନ୍ନତି କରିବେ ସେମାନେ ସଂସାରରେ ମୁଣ୍ଡ ଟେକି ଚାଲିବେ । ଡରରେ ସାଧୁ ସନ୍ଥମାନେ ମୁଣ୍ଡକୁ ସବୁବେଳେ ତଳକୁ କରି ଚାଲିବେ । ଉଡୁଥିବା ପଥର ଖଳ ଲୋକଙ୍କ ପ୍ରତୀକ ଓ ତୁଳା ହେଉଛି ସାଧୁ ମାନଙ୍କ ପ୍ରତୀକ । ସାଧୁ ବେଶଧାରୀ କଳିଯୁଗ କହିଲେ ଆପଣଙ୍କ ଉତ୍ତରରେ ମୁଁ ଖୁବ ପ୍ରୀତ ଅଛି, ଆପଣ ମୋର ତୃତୀୟ ପ୍ରଶ୍ନ ଉତ୍ତର ଦିଅନ୍ତୁ । ଗୁରୁ କହିଲେ - କଳିରେ ଧର୍ମ ଅତି ସହଜ । ଅଳ୍ପ ଟିକେ ଧର୍ମ କଲେ ତାର ଫଳ ଅଶେଷ । ଏଣୁ କଳିରେ ସୁତା ଖିଆ ପରି ଧର୍ମ କଲେ ସେ ଗୋଟିଏ ପର୍ବତକୁ ଟେକି ରଖିପାରିବ ।  ସାଧୁବେଶଧାରୀ କଳି କହିଲେ - ମୁଁ ଆପଣଙ୍କ ଉତ୍ତରରେ ବହୁତ ଖୁସି । ଏହା କହି ନିଜ ପ୍ରକୃତ ରୂପ ଉଦ୍ଘାଟନ କରି ଗୁରୁଙ୍କୁ କୁଣ୍ଢେଇ ପକାଇଲେ କହିଲେ - ଦେଖନ୍ତୁ ଆପଣଙ୍କ ଶିଷ୍ୟ ମାନଙ୍କୁ ଛାଡ଼ି ଦେଉଛି । ଆପଣମାନେ ନିଜ ନିଜ ସ୍ଥାନକୁ ଫେରି ଯାଆନ୍ତୁ । ଡରିବାର କାରଣ କିଛି ନାହିଁ । ଧର୍ମ ଓ ଅଧର୍ମ ଉଭୟ ସଂସାରରେ ରହିବେ । ନାମଚାର୍ଯ୍ୟ ବାୟା ବାବା କହିଲେ ମହାରାଜ ନିଷେଧ କରିଥିବା କର୍ମକୁ ତ୍ୟାଗ କରି କଳିଯୁଗ ଧର୍ମ ଭଗବାନଙ୍କ ଦିବ୍ୟ ନାମ କୀର୍ତ୍ତନ ଭଜନ କରିବା ଦ୍ୱାରା କଳି ମହାରାଜ ତାଙ୍କ ପ୍ରଭାବ ସେହି ବ୍ୟକ୍ତି ଉପରେ ଜାହିର କରିପାରିବେ ନାହିଁ । ତୁଳସୀ ଦାସ ଶ୍ରୀରାମଚରିତ ମାନସରେ କହିଛନ୍ତି - "କଳିଯୁଗ କେବଳ ନାମ ଆଧାରା ସୁମରି ସୁମରି ନର ଉତରହି ପୁରା' । ନିତାଇଗୌର ହରି ବୋଲ ।
ମୋ : ୬୩୭୧୫୮୦୫୨୪