ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥ
ପୁଷ୍ପମିତ୍ର ମହାପାତ୍ର : ହେ ମହାପ୍ରଭୁ! ତୁମେ ହିଁ ସୃଷ୍ଟି, ତୁମେ ହିଁ ସ୍ରଷ୍ଟା । ତୁମଠୁ ଆରମ୍ଭ, ତୁମଠି ଶେଷ । ଅନନ୍ତ ରହସ୍ୟ, ଅନ୍ତହୀନ ବିଶ୍ୱାସ । ଅଗତିର ଗତି ପ୍ରଭୁ, ଦୀନବନ୍ଧୁ ଦଇତାରି । ତୁମେ ଓଡ଼ିଆ ଜାତିର କୁଳ ଦେବତା । ଆମ ସତ୍ତା, ଭାବ, ଶକ୍ତି, ଶ୍ରୀଜଗନ୍ନାଥ! ହେ ଦାରୁ ଦେବତା! ସବୁ ତୁମରି ଲୀଳା । ତୁମେ ଇଛା କଲ, ଶବର ଦେବତାରୁ ହେଲ ବିଶ୍ୱନିୟନ୍ତା । ଆଜି ତୁମର ଇଛାରେ ବିଶ୍ୱ ଦେଖୁଛି ନୂଆ ଶ୍ରୀକ୍ଷେତ୍ର । କାଳିଆ ସାଆନ୍ତ, ତୁମେ ଭକ୍ତର ଭଗବାନ । ରତ୍ନ ସିଂହାସନରେ ତୁମ ଦର୍ଶନ ପାଇଁ ପୁରୀ ଧାଇଁ ଆସେ ଭକ୍ତ । ଦର୍ଶନ କରେ, ମନ ପୂରେନି । ଅଭାବବୋଧକୁ ଧରି ଘରକୁ ଫେରେ । ଆମ ଓଡ଼ିଆ ରୀତିନୀତି ସାମାଜିକ ଜନଜୀବନରେ ସେ ହେଉଛନ୍ତି ଆମ ଘରର ମୁରବି । ସେ ହର୍ତ୍ତାକର୍ତ୍ତା ଦଇବ ବିଧାତା । ସକାଳୁ ରାତି ଯାଏ ଆମର ସବୁଠି ଚିନ୍ତା ଚେତନାରେ ସେ ହିଁ ସର୍ବ ସକଳର ଆଧାର । ଓଡ଼ିଆ କହିଲେ ଶ୍ରୀଜଗନ୍ନାଥ ଓ ଶ୍ରୀଜଗନ୍ନାଥ କହିଲେ ଓଡ଼ିଶାକୁ ହିଁ ବୁଝାଯାଏ । ରାଷ୍ଟ୍ର ଦେବତା ଜଗନ୍ନାଥଙ୍କୁ ଏ ଓଡ଼ିଆ ଜାତି, ଭଜନ, ଜଣାଣ, କୀର୍ତ୍ତନ ଓ ସ୍ମୃତି ମାଧ୍ୟମରେ ମନର ଭାବ ପ୍ରକାଶ କରିଛି । ସମ୍ପଦ ବିପଦରେ ସବୁଠି ଜଗନ୍ନାଥ ଓଡ଼ିଆର ସେ ଜ୍ଞାତି, ବନ୍ଧୁ ବା କୁଟୁମ୍ବ, ଅତି ଆପଣାର ଅତି ନିଜର । ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥ ଦିବ୍ୟ ନୀଳାଚଳ ଧାମରେ ଅନାଦି କାଳରୁ ନିତ୍ୟଲୀଳା ଲୀନ । ବିଶ୍ୱ ଭ୍ରାତୃତ୍ୱ, ଶାନ୍ତି, ମୈତ୍ରୀ ହିଁ ତାଙ୍କ ଦାରବୀ ଲୀଳାର ଦିବ୍ୟ ସନେ୍ଦଶ । ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କର ଏହି ଦାରବୀ ଲୀଳା ତାଙ୍କର ସ୍ୱୟଂ ଲୀଳା - "ସର୍ବୋଷାଂ ସର୍ବକ୍ଷେତ୍ରାଣାଂ ରାଜା ଶ୍ରୀପୁରୁଷୋତ୍ତମଃ । ସର୍ବେଷାଂ ସର୍ବଦେବାନାଂ ରାଜା ଶ୍ରୀ ପୁରୁଷୋତ୍ତମଃ ।' ପୃଥିବୀର ସମସ୍ତ କ୍ଷେତ୍ର ଓ ତୀର୍ଥ ମାନଙ୍କର ରାଜା ଶ୍ରୀପୁରୁଷୋତ୍ତମ କ୍ଷେତ୍ର ହେଲା ବେଳେ ସମସ୍ତ ଦେବତାଙ୍କ ରାଜା ଦାରୁବ୍ରହ୍ମ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଅଟନ୍ତି । ଶ୍ରୀଜଗନ୍ନାଥ ଓଡ଼ିଶାର ସର୍ବଜନମାନ୍ୟ ରାଷ୍ଟ୍ରଦେବତା । ଓଡ଼ିଆ ଜାତି, ଧର୍ମ, କଳା, ସଭ୍ୟତା, ସଂସ୍କୃତି, ସାହିତ୍ୟ, ଦର୍ଶନ ଓ ଆଧ୍ୟାତ୍ମିକ ଚେତନାର ପ୍ରତୀକ ହେଉଛନ୍ତି ଜଗନ୍ନାଥ । ଜଗନ୍ନାଥ ଧର୍ମ ମୈତ୍ରୀ ଧର୍ମଭାବ ହେଉଛି ବିଶ୍ୱ ଭ୍ରାତୃତ୍ୱଭାବ । ଜଗନ୍ନାଥ ଏ ଜାତିର ନେତା-ନିୟନ୍ତା ଓ ନିୟାମକ । ଏ ଜାତିର କେତେ ହସକାନ୍ଦ-କେତେ ଲହୁଲୁହ-କେତେ ହର୍ଷବିଷାଦ-କେତେ ଉତ୍ଥାନପତନ ସବୁଥିରେ ପ୍ରଭୁ ଜଗନ୍ନାଥ ଏ ଜାତିକୁ ତାର ବାହୁଛାୟା ତଳେ ତୋଳି ଧରିଛି ।
ଜଗନ୍ନାଥ ଧର୍ମ ଓ ଚେତନା ସମଗ୍ର ମାନବଜାତିର ସମସ୍ୟା ଓ ସମାଧାନର ପ୍ରତିଫଳନ । ବର୍ଣ୍ଣବିଦ୍ୱେଷର ଶିକାର ହୋଇଥିବା ଏ ମଣିଷ ମନରେ ଶ୍ରୀଜଗନ୍ନାଥ ଚେତନା ସମସ୍ତଙ୍କୁ ସାମ୍ୟବାଦର ମନ୍ତ୍ର ଶିଖାଇଛି । ଶବରମାନଙ୍କର ସେ ଜଗନ୍ତ, ବୌଦ୍ଧ ମାନଙ୍କର ବୁଦ୍ଧ, ଜୈନ ମାନଙ୍କର ସେ ଆଦିନାଥ-ଜୀନ, ଗାଣପତ୍ୟଙ୍କର ସେ ଗଣପତିନାଥ, ଶୈବ ମାନଙ୍କର ସେ ଆଦିନାଥ ଶିବ, ବ୍ରାତ୍ୟ ବା ନାଥମାନଙ୍କର ନାଥସିଦ୍ଧ ପ୍ରଥମ ପୁରୁଷ ଆଦିନାଥ, ଶାକ୍ତ ମାନଙ୍କର ସେ ଭୈରବୀ ବିମଳା, ବୈଷ୍ଣବ ମାନଙ୍କର ସେ ବିଷ୍ଣୁ କୃଷ୍ଣ । କିନ୍ତୁ ସେ କାହାରି ନୁହଁନ୍ତି - ପୁଣି ସମସ୍ତଙ୍କର । କି ରହସ୍ୟମୟ ସେ ଠାକୁର । ଯୁଗ ଯୁଗ ଧରି କିଏ କେତେ ରୂପରେ ଓ କେତେ ଭାବରେ ଡାକିଛି, ତାର କଳନା ନାହିଁ । "ବସୁଧୈବ କୁଟୁମ୍ବକମ୍' ଭାବଧାରାରେ ଉଦବୁଦ୍ଧ କରିଛି ସମଗ୍ର ମାନବ ଜାତିକୁ । ୧୯୩୬ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ କରିବା ପାଇଁ ତକ୍ରାଳୀନ ଭାରତ ସଚିବ "ସାର ସାମୁଏଲ୍ ହୋର' ଆଦେଶନାମାରେ ଘୋଷଣା କରି କହିଥିଲେ "ଙକ୍ସସଗ୍ଦଗ୍ଦବ, ଗ୍ଧଷର କ୍ଷବଦ୍ଭୟ କ୍ଟଲ ଔବଶବଦ୍ଭଦ୍ଭବଗ୍ଧଷ ଙ୍ଗସଗ୍ଧଷ କ୍ଟଦ୍ଭର କ୍ଷବଦ୍ଭଶଙ୍କବଶର ବଦ୍ଭୟ କ୍ଟଦ୍ଭର କ୍ସବମର.' ଯେଉଁଠି ଶ୍ରୀଜଗନ୍ନାଥ, ସେଇଠି ରହସ୍ୟ । ତାଙ୍କ ଶକ୍ତି ଆଗରେ କୌଣସି ଶକ୍ତି କାମ କରେନି । ତଥାପି ସେ ସବୁଠି ଜିତନ୍ତି ନାହିଁ । ତାଙ୍କ ହାରିବା ବି ତାଙ୍କର ଜିତ । ସେ ହାରନ୍ତି ଭାବ ଆଗରେ, ଭକ୍ତି ଆଗରେ ଏବଂ ସରଳତା ଆଗରେ । ସବୁକିଛି ଚାଲେ ତାଙ୍କରି ଇଛାରେ । ସେ ତାରନ୍ତି ବି, ମାରନ୍ତି ବି । ଆଉ ଉଭୟ ତରିବା ଓ ମରିବା ସତ୍ତାକୁ ଠାକୁରେ ନିଜର ମହାସତ୍ତା ଭିତରେ ବିଲୀନ କରାଇ ନିଅନ୍ତି । ଶ୍ରୀକ୍ଷେତ୍ରର ସବୁକିଛି ବଡ଼ । ବଡ଼ ଦାଣ୍ଡ, ବଡ଼ ଦେଉଳ, ବଡ଼ ଠାକୁର । ଶ୍ରୀଜଗନ୍ନାଥ ହିଁ ଲକ୍ଷେ ପ୍ରଶ୍ନର ଏକକ ଉତ୍ତର । ଶ୍ରୀମନ୍ଦିର ସେମିତି ଅନେକ ରହସ୍ୟର ଗନ୍ତାଘର । କାହିଁ ଏତେ ବିଶାଳ ମନ୍ଦିରର ଛାଇ କେଉଁଠି ପଡ଼େନି, କାହିଁକି ପତିତପାବନ ବାନା ଉଜାଣି ଉଡ଼େ, କାହିଁକି ବଡ଼ଦେଉଳ ଉପରେ ପକ୍ଷୀ ଉଡନ୍ତିନି, କାହିଁକି ସମୁଦ୍ରର ଗର୍ଜନ ଶ୍ରୀମନ୍ଦିର ପାଚେରି ଡେଇଁ ପାରେନି??? ଏ ସବୁର ଉତ୍ତର - ଏହା ସେଇ । ସାରା ବିଶ୍ୱ ଆଖିରେ ପୁରୀ ଶ୍ରୀମନ୍ଦିର ଏବଂ ଶ୍ରୀଜଗନ୍ନାଥ ଏକ ରହସ୍ୟ ଓ ଉକ୍ରଣ୍ଠା ହୋଇ ରହି ଆସିଛନ୍ତି ।
ମହାପ୍ରଭୁ କୋଟି କୈବଲ୍ୟନାଥ ହେଉଛନ୍ତି ନାମ ମହିମା ସଂକୀର୍ତ୍ତନର କର୍ତ୍ତା, ସ୍ରଷ୍ଟା ଓ ବିଧାତା । କଳିଯୁଗରେ ନାମ ଭଜନରେ ମିଳେ କୈବଲ୍ୟମୁକ୍ତି । ନାମ ବିନୁ ଅନ୍ୟ ଗତି ନାହିଁ । ନାମ ଭଜନକରି ଶରୀର ନନ୍ଦିଘୋଷରେ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କଲେ ମଣିଷ ମୁକ୍ତି-ମୋକ୍ଷ ଲାଭ କରେ । ମନର ପବିତ୍ରତା, ଏକାଗ୍ରତା ଓ ଦିବ୍ୟତା ବଳରେ ଜଗନ୍ନାଥଙ୍କ ନାମକୁ ଭକ୍ତିରେ ସ୍ମରଣ କରି ତିନିରଥର ତ୍ରିଗୁଣ ରଜ୍ଜୁକୁ ସୁମନରେ ଏକତ୍ର କରିଦେଲେ ସାକ୍ଷାତ ପ୍ରଭୁ ଜଗନ୍ନାଥ ଦର୍ଶନ ହିଁ ମିଳିଥାଏ । ପୁରୀ ବଡ଼ଦାଣ୍ଡର ଅଗାଧ ଜନସମୁଦ୍ରରେ ବିନ୍ଦୁଟିଏ ହୋଇ ମିଶିଗଲେ ମନରୁ ଗୋଷ୍ଠୀଗତ, ଧର୍ମଗତ, ଭାଷାଗତ, ଜାତିଗତ ଓ ସାମ୍ପ୍ରଦାୟିକ ସଂକୀର୍ଣ୍ଣତା ଦୂରେଇଯାଏ । ସେଇ ଗୋଟିଏ ମୁହୂର୍ତ୍ତ ପାଇଁ ପୃଥିବୀ-ଈଶ୍ୱର ଓ ମଣିଷ ଏକ ଓ ଅଭିନ୍ନ ହୋଇଯାଏ । ଅଗଣିତ ଭକ୍ତ ଓ ପତିତଙ୍କୁ ଦର୍ଶନ ଦେଇ ଶ୍ରୀଜଗନ୍ନାଥ ଆପଣାର ଭକ୍ତ ବତ୍ସଳ ଓ ପତିତପାବନ ନାମକୁ ସାର୍ଥକ କରିଥାନ୍ତି- "ପତିତାନାଂ ପତିତୋହଂ ତ୍ୱମେବ ପାପହାରକମ୍, ପାବନ ପୁରୁଷ! ଦେହି ନିଶ୍ଚଳା ଭକ୍ତ ମେ ବିଭୋ । ଜନ୍ମୌତ୍ସବେ ପୁଣ୍ୟତିଥୋଃ ସ୍ନାନମଞ୍ଚେସ୍ଥିତାଶ୍ଚ, ଯେ ପଶ୍ୟନ୍ତି ଜଗନ୍ନାଥଂ ସର୍ବଦେବ ନମସ୍କୃତ୍ୟଂ । ତେ ବସନ୍ତି ବୈକୁଣ୍ଠେ ଚ ସପ୍ତ କୁଳାଦିନୀତ୍ୱା ।'
ମୋ : ୯୪୩୭୨୨୫୬୮୯