ହାଇଦ୍ରାବାଦରେ ନବରଙ୍ଗପୁର ସିଆଳି ଖଲିର ଚାହିଦା

ସାଲେପୁର : ନବରଙ୍ଗପୁର ଜିଲ୍ଲାର ସିଆଳି ଖାଲିପତ୍ରର ଚାହିଦା ବଢୁଛି । ଜିଲ୍ଲାରୁ ଗତ ବର୍ଷ ୧ ଲକ୍ଷ ୮୦ ହଜାର ଖଲିପତ୍ର ପାପଡାହାଣ୍ଡି ବ୍ଲକ୍ ସେମାଳା ଗାଁରୁ ଯାଇଥିଲା । ଏହାକୁ ନଜରରେ ରଖି ମହିଳାଙ୍କ ରୋଜଗାର ବୃଦ୍ଧି ପାଇଁ ପ୍ରଶାସନ ସେମାନଙ୍କୁ ସିଲେଇ ମେଶିନ ପ୍ରଦାନ କରିଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ମେଶିନରେ ସିଆଳିପତ୍ରରେ ଖଲି ସିଲେଇକରି ମହିଳାଙ୍କୁ ତାଲିମ ଦେଇଛନ୍ତି । ପୂର୍ବରୁ ୧୫୦ ମହିଳାଙ୍କ ପାଇଁ ୧୦୦ ସିଲେଇ ମେଶିନ ପ୍ରଦାନ କରାଯାଇଥିଲା । ଆଉ ୫୦ଟି ସିଲେଇ ମେଶିନ ପ୍ରଦାନ କରାଯାଇଛି । ଜିଲ୍ଲାପାଳ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । କିଭଳି ଉନ୍ନତମାନର ଖଲିପତ୍ର ତିଆରି କରିହେବ ସେ ନେଇ ନିଜେ ସିଲେଇ ତାଲିମ ଦେଇଥିଲେ । ମାତୃଶକ୍ତି ପ୍ରଡୁ୍ୟସର ଏଣ୍ଟରପ୍ରାଇଜେସ୍ ବାର୍ଷିକ ୧ ଲକ୍ଷ ୮୦ ହଜାର ସିଆଳି ଖଲି ପ୍ରସ୍ତୁତକରି ହାଇଦ୍ରାବାଦର ଭେଙ୍କଟେଶ୍ୱର ଏଣ୍ଟରପ୍ରାଇଜେସ୍କୁ ଯୋଗାଇ ଆସୁଛନ୍ତି । ଚଳିତ ବର୍ଷ ଖଲିପତ୍ର ଯୋଗାଣ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଜଙ୍ଗଲରୁ ପତ୍ର ସଂଗ୍ରହ ସହ ସେଥୁରୁ ଖଲି ପ୍ରସ୍ତୁତକରି ମହିଳାମାନେ ମାସିକ ୭ରୁ ୯ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ସଭାପତି ଉଲସିତା ନାୟକ ଓ ସମ୍ପାଦକ ଭବାନୀ ମାଝୀ କହିଛନ୍ତି । ଓର୍ମାସ ବଜାର ବ୍ୟବସ୍ଥା ଯୋଗାଇ ଦେଉଛି । ମହିଳାମାନେ ଓର୍ମାସ୍ର ଜିଲ୍ଲା ଉପକାର୍ଯ୍ୟ ନିର୍ବାହୀ ଅଧିକାରୀ ଏ.ଉମା ମହେଶଙ୍କୁ ସାଧୁବାଦ ଜଣାଇଥିଲେ । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ ମିଶ୍ର, ଭାରପ୍ରାପ୍ତ ବିଡିଓ ମନୋଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।