ହିମାଂଶୁଙ୍କୁ କୋଳେଇ ନେଲା ବିଜେପି
ଯାଜପୁର: ସଦ୍ୟ ସମାପ୍ତ ନିର୍ବାଚନରେ ବିଜେପି ଓ ବିଜେଡ଼ି ୩ଗୋଟି ଆସନ ବିଜୟୀ ହୋଇଛନ୍ତି । ଧର୍ମଶାଳାରେ କିନ୍ତୁ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ବାଜିମାତ କରି ନେଇଥିଲେ । ହିମାଂଶୁ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହେବା ପରେ ଟିକେଟ ଦୌଡ଼ରେ ସାମିଲ ହୋଇଥିଲେ । ହେଲେ ଦଳ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ସ୍ମୃତିରେଖା ପହିଙ୍କୁ ଟିକେଟ ଦେଇଥିଲା । ଯାହାକୁ ବିରୋଧ କରି ହିମାଂଶୁଙ୍କ ସମର୍ଥକ ଦଳୀୟ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ହେଲେ ଦଳ ସ୍ମୃତିରେଖାଙ୍କ ଉପରେ ଭରସା କରିଥିଲା । କିନ୍ତୁ ଧର୍ମଶାଳା ଭୋଟର ସ୍ମୃତିରେଖାଙ୍କ ଉପରେ ଭରସା କଲେନି ।
ସ୍ୱାଧୀନ ଭାବେ ଲଢୁୁଥିବା ହିମାଂଶୁ ବିଜେଡ଼ିର ଟାଣୁଆ ନେତା ପ୍ରଣବ ବଳବନ୍ତରାୟଙ୍କୁ ୪ହଜାରରୁ ଅଧିକ ଭୋଟରେ ହରାଇ ବିଜୟି ହେଲେ । କିନ୍ତୁ ବିଜେପି ଭରସା କରିଥିବା ସ୍ମୃତିରେଖାଙ୍କ ଅମାନତ ରହିଲାନି । ଗୋଟେ ପଟେ ମୋଦିଙ୍କ ଲହର ଅନ୍ୟପଟେ ସ୍ମୃତିରେଖାଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରକୁ ଓହ୍ଲାଇ ହିମାଂଶୁଙ୍କ ବିରୁଦ୍ଧରେ ପ୍ରବଳ ବର୍ଷିଥିଲେ ହେଁ ତାହାର ପ୍ରଭାବ ଭୋଟରଙ୍କ ଉପରେ ପଡ଼ିଲାନି । ଅମାନତ ରଖିବାକୁ ସମର୍ଥ ହେଲେନି ସ୍ମୃତିରେଖା । ଅମାନତ ହରାଇବା ପରେ ଗୋଟେ ପଟେ ସ୍ମୃତିରେଖାଙ୍କ ମୁହଁ ଧର୍ମଶାଳାରେ ଦେଖିବାକୁ ମିଳୁନଥିବା ବେଳେ ଜିଲା ବିଜେପି ନେତାଙ୍କ ମେଳିରେ ବି ଦେଖିବାକୁ ମିଳୁନି । ଯେଉଁଠିକି ସ୍ୱାଧୀନ ଭାବେ ଲଢି ବିଜୟୀ ହୋଇଥିବା ହିମାଂଶୁଙ୍କୁ କୋଳେଇ ନେଇଛି ବିଜେପି । ବିଜୟୀ ହେବା ପରେ ହିମାଂଶୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ସେ ବିଜେପିରେ ଅଛନ୍ତି ବୋଲି ସ୍ପଷ୍ଟ କରି ଦେଇଥିଲେ । ପରେ ପରେ ହିମାଂଶୁ ବିଧାୟକ ଦଳ ବୈଠକରେ ହେଉ କି ଜିଲା ନେତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବା କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି । ଯେଉଁଠିକି ବିଜୟୀ ଏବଂ ପରାଜିତ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଜିଲାର ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରୁଛନ୍ତି ସେତେ ବେଳେ ସ୍ମୃତିରେଖାଙ୍କୁ ଦେଖିବାକୁ ବି ମିଳୁନି । ଅମାନତ ହରାଇବା ପରେ ସ୍ମୃତିରେଖା ନିଜକୁ ନିଜେ ଦୂରେଇ ଯାଇଛନ୍ତି ନା ହିମାଂଶୁଙ୍କ ଉପସ୍ଥିତ ପାଇଁ ଜିଲା ନେତା ପାଖରେ ପୁରାଉ ନାହାନ୍ତି, ତାହା ହିଁ ଧର୍ମଶାଳାରେ ଆଲୋଚନାର ବିଷୟ ହୋଇପଡ଼ିଛି । ସୂଚନା ଥାଉକି ସ୍ମୃତିରେଖା ୨୦୧୯ ନିର୍ବାଚନରେ କଂଗ୍ରେସ ଦଳରୁ ନିର୍ବାଚନ ଲଢି ହାରିଯିବା ପରେ ବିଜେପିରେ ସାମିଲ ହୋଇଥିଲେ । ବିଜେପିରୁ ଲଢି ହାରିଯିବା ପରେ ସ୍ମୃତିରେଖାଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ, ତାହାକୁ ନେଇ ଆଲୋଚନା ହେଉଥିବା ବେଳେ ସେ ହିମାଂଶୁଙ୍କ ଲିଡ଼ରସିପ୍ରେ ବିଜେପିରେ ରହିବେ ନାଁ ନିଜର ପୁରୁଣା ଦଳ କଂଗ୍ରେସକୁ ଫେରିବେ ତାହାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।