ହାଇସ୍କୁଲରେ ଅଗ୍ନିକାଣ୍ଡ : ୪ ଛାତ୍ର ଗୁରୁତର

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡ଼ାକୁଲଗୁଡ଼ା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ହଠାତ୍‌ ଅଗ୍ନିକାଣ୍ଡ ଘଟିବାରୁ ୪ ଛାତ୍ର ନିଆଁରେ ପଡ଼ି ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣା ସମୟରେ ବିଦ୍ୟାଳୟ ପରିସରରେ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ହଠାତ୍‌ ନିଆଁ ଲାଗିବା ସହିତ ସମଗ୍ର ପରିସରରେ ଆତଙ୍କ ଓ ଭୟର ପରିବେଶ ସୃଷ୍ଟି ହୋଇଥିଲା । କିଛି ସମୟ ପାଇଁ ବିଦ୍ୟାଳୟରେ ଅସ୍ଥିରତା ଦେଖା ଦେଇଥିଲା । ଘଟଣା ପରେ ଶିକ୍ଷକମାନେ ଓ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ନିଆଁକୁ ନିୟନ୍ତ୍ରଣରେ ଆଣିଥିଲେ ଏବଂ ଆହତ ଛାତ୍ରମାନଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ ।

   ଆହତ ଛାତ୍ରମାନଙ୍କୁ ପ୍ରଥମେ ବିଷମକଟକ ପ୍ରାଥମିକ ଚିକିତ୍ସାଳୟ ଓ ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଉଚ୍ଚତର ଚିକିତ୍ସା ପାଇଁ ସ୍ଥାନୀୟ ଖ୍ରୀଷ୍ଟିଆନ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଘଟଣା ପରେ ବିଦ୍ୟାଳୟ ପରିସରରେ ଭୟ ଓ ଉତ୍ତେଜନାର ପରିବେଶ ଦେଖାଦେଇଛି । ଅଭିଭାବକମାନେ ବିଦ୍ୟାଳୟର ଅଗ୍ନି-ନିରାପତ୍ତା ବ୍ୟବସ୍ଥା ଓ ସୁରକ୍ଷା ଅବହେଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ଘଟଣାର ସଠିକ୍‌ ତଦନ୍ତ ଦାବି କରିଛନ୍ତି । ପ୍ରଶାସନ ପକ୍ଷରୁ ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି ।