ହାତୀ ଆକ୍ରମଣରେ ମୃତ ପରିବାରକୁ ଭେଟିଲେ ସାଂସଦ

 ହିନେ୍ଦାଳ:  ହିନେ୍ଦାଳ ନିର୍ବାଚନ ମଣ୍ଡଳି ଓଡାପଡା ବ୍ଲକ କଳାଙ୍ଗ ପଞ୍ଚାୟତ ଅନ୍ତର୍ଗତ କାଳିକାପ୍ରସାଦ ଗ୍ରାମ ଦଲକସାହିରେ ହାତୀ ଆକ୍ରମଣରେ ମୃତ ସ୍ୱର୍ଗତ  ଉଦ୍ଧବ ଦେହୁରୀଙ୍କ ପରିବାର ବର୍ଗକୁ  ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି ଶୁକ୍ରବାର ଭେଟି ସମବେଦନା ଜଣାଇଛନ୍ତି  । ପରିବାରର ସୁବିଧା ଅସୁବିଧା ପଚାରି ବୁଝିବା ସହ ଢେଙ୍କାନାଳ ଡିଏଫଓ ସୁମିତ କୁମାର କରଙ୍କ ସହିତ ଫୋନଯୋଗେ ବିଷଦ ଆଲୋଚନା କରି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ଆଲୋଚନା କରିଥିଲେ  । ଉକ୍ତ ଗ୍ରାମର ରାସ୍ତା , ବିଦ୍ୟାଳୟ , ବୟସ୍କଙ୍କୁ ଭତ୍ତା ଓ ଆବାସ ଯୋଜନାରେ ଗରିବ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଗ୍ରାମବାସୀଙ୍କ ଠାରୁ ଶୁଣି ଓଡାପଡା ବିଡିଓ ଦିଲ୍ଲିପ କୁମାର ସଡଙ୍ଗିଙ୍କ  ସହ ଆଲୋଚନା କରି ଏହି ସମସ୍ୟା ଗୁଡିକର ସୁସମାଧାନ ତୁରନ୍ତ କରେଇବାକୁ ପରାମର୍ଶ ଦେଇଥିଲେ । ଏହି ଅବସର ରେ ସାଂସଦ ପରିବାର ବର୍ଗକୁ ଆର୍ଥିକ ସହଯୋଗ କରିଥିଲେ  ।  ଏଥିସହ ସାଂସଦ ଗ୍ରାମବାସୀ ଙ୍କ ସହ ଗ୍ରାମର ବିକାଶ ମୂଳକ କାର୍ଯ୍ୟ କିପରି  ହୋଇପାରିବ ସେଦିଗରେ ଆଲୋଚନା କରିଥିଲେ ଏବଂ  ରାଧାକୃଷ୍ଣ ମନ୍ଦିର , ବାବା କପିଳେଶ୍ୱର ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତି କରଣ ନିମନ୍ତେ ବିଭିନ୍ନ ପ୍ରସ୍ତାବକୁ ଗ୍ରହଣ କରିବାପରେ କଳାଙ୍ଗ ଗ୍ରାମରେ ସାପ କାମୁଡାରେ ମୃତ ଗ୍ରାମର ସ୍ୱର୍ଗତ ବାନାମ୍ବର ସାମଲଙ୍କ ପରିବାରକୁ ଭେଟିଥିଲେ  । ସେଠାରୁ ଯାଇ ବାଟରେ ଥିବା ସତସଙ୍ଗ କେନ୍ଦ୍ର ପରିଦର୍ଶନ କରି ସତସଙ୍ଗ କେନ୍ଦ୍ରର ଉନ୍ନତି ନିମନ୍ତେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ  ।