ହୋମଗାର୍ଡ ଚୟନ ପରୀକ୍ଷା
ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆୟୋଜିତ ହୋମଗାର୍ଡ ଚୟନ ପରୀକ୍ଷା-୨୦୨୫ ବୁଗୁଡା ଥାନା ଅନ୍ତର୍ଗତ ପିପୁଲ୍ସ କଲେଜ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା ନିମନ୍ତେ ୨୦୭ ଜଣଙ୍କୁ ଆଡମିଟ୍ କାର୍ଡ ଯୋଗାଇ ଦିଆଯାଇଥିବା ବେଳେ ୧୬ ଜଣ ପରୀକ୍ଷା ଦେଇଥିଲେ ଏବଂ ୩୮ଜଣ ଅନୁପସ୍ଥିତ ରହିଥିଲେ । ପିପୁଲ୍ସ କଲେଜ କର୍ତ୍ତୃପକ୍ଷ ଉକ୍ତ ପରୀକ୍ଷା ପରିଚାଳନା କରିଥିଲେ । ସ୍ଥାନୀୟ ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତାଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ହୋମଗାର୍ଡ ଚୟନ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ଜଣାଯାଇଛି ।
ହିଞ୍ଜିଳିକାଟୁ: ହୋମଗାର୍ଡ ପଦବୀ ନିମନ୍ତେ ହିଞ୍ଜିଳି ଥାନା ଅଧିନରେ ହିଞ୍ଜିଳିକାଟୁ ସ୍ୱୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳି ଥାନା ଅଧୀନରେ ୨୨୬ ଜଣ ଆବେଦନ କରିଥିବାବେଳେ ୨୧୧ଜଣ ପ୍ରବେଶ ପତ୍ର ନେଇଥିଲେ । ସେଥିମଧ୍ୟରୁ ୧୯୧ ଜଣ ଲିଖିତ ପରୀକ୍ଷା ଦେଇଥିବା ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ସୂଚନା ଦେଇଛନ୍ତି । ପରୀକ୍ଷା ପ୍ରକ୍ରିୟା ସିସିଟିଭି ଫୁଟେଜରେ ରେକର୍ଡ କରାଯାଇଛି । ଅସାଧୁ ଉପାୟକୁ ରୋକିବା ପାଇଁ ସମସ୍ତ ପ୍ରାର୍ଥୀଙ୍କୁ ଯାଞ୍ଚ କରାଯିବା ସହ ମେଟାଲ ଡିଟେକ୍ଟର ସହିତ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପାଇଁ କେନ୍ଦ୍ରରେ ହିଞ୍ଜିଳି ପୋଲିସ ୍ଏଏସ ଆଇ ସୁନିଲ କଣ୍ଡଗୋରୀ ଓ ଟିମ୍ ମୁତୟନ ଥିଲେ ।
ଆସିକା : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ଖାଲିଥିବା ହୋମଗାର୍ଡ ପଦବୀ ପୂରଣ ପାଇଁ ଲିଖିତ ପରୀକ୍ଷା ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା ପାଇଁ ଆସିକା ଥାନା ସକାଶେ ମୋଟ ୨୩୨ଜଣ ଆବେଦନ କରିଥିଲେ । ସେଥିମଧ୍ୟରୁ ଆଡମିଟ କାର୍ଡ ୨୧୧ଜଣ ନେଇଥିବାବେଳେ ଆଜି ୨୦୪ଜଣ ପରୀକ୍ଷା ଦେଇଥିଲେ । ଅନୁରୂପ କୋଟିନଡ଼ା ଥାନା ସକାଶେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଠାରେ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ କୋଟିନଡା ଥାନା ପାଇଁ ମୋଟ ୧୩୧ ଜଣ ଆବେଦନ କରିଥିଲା । ସେଥିମଧ୍ୟରୁ ଆଡମିଟ କାର୍ଡ ୧୧୮ଜଣ ନେଇଥିବାବେଳେ ଆଜି ୧୧୨ ଜଣ ପରୀକ୍ଷା ଦେଇଥଲେ । ଏହି ପରୀକ୍ଷାକୁ ଉଭୟ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଓ ନିରଞ୍ଜନ ସରକାରୀ ମହିଳା ବିଦ୍ୟାଳୟ ପରିଚାଳନା କରିଥିବାବେଳେ ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ପୃଷ୍ଟି ଓ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା ଆସିଥିବା ବେଳେ ଆସିକା ଥାନା ପକ୍ଷରୁ ଥାନା ଅଧିକାରୀ କୁଳମଣି ସେଠି, ଏସ ଆଇ ଜ୍ଞାନ ରଞ୍ଜନ ସେଠି, ଏ ଏସ ଆଇ ସୁଭାଶିଷ ସ୍ୱାଇଁ ପ୍ରମୁଖ ପରୀକ୍ଷା ତଦାରଖ କରିଥିଲେ । ସେହିପରି କୋଟିନଡ଼ା ଥାନା ପକ୍ଷରୁ ଥାନା ଅଧିକାରୀ ଦାମୋଦର ବିହାରୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।