ନିମ୍ନମାନର ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ, ଉଚ୍ଚସ୍ତରୀୟ ତଦନ୍ତ ଦାବି
ଜୟପୁର : କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଜଳ ଜୀବନ ମିଶନ ଯୋଜନାକୁ ଅଧା ଅଧା ମିଳିତ ଅନୁଦାନରେ ଚାଲୁ ରହିଥିବା କୁନ୍ଦୁରା ବ୍ଲକର ୧୬ ଟି ପଞ୍ଚାୟତର ୮୫ ଟି ରାଜସ୍ୱ ଗ୍ରାମ ଏବଂ ଜୟପୁର ବ୍ଲକର ୧୫ ଟି ପଞ୍ଚାୟତର ୮୨ ଟି ରାଜସ୍ୱ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଏକ ମେଗା ଜଳ ପ୍ରକଳ୍ପକୁ ହାଇଦ୍ରାବାଦ ସହରର ଏନସିସି ଲିମିଟେଡ ଠିକା ସଂସ୍ଥା ଇପିସି ଠିକାଦାର ଭାବେ ଏହି ପ୍ରକଳ୍ପର ସମସ୍ତ କାର୍ଯ୍ୟ କରିବା ନିମନ୍ତେ ଚୁକ୍ତି ରାଶି ୨୪୪.୩୩ କୋଟି ଟଙ୍କା ୫ ଅଗଷ୍ଟ ୨୦୨୨ରେ କରିଥିଲେ ଏବଂ ଏହି କାର୍ଯ୍ୟ ସମାପ୍ତ କରିବାର ଅବଧି ୧୯ ଅଗଷ୍ଟ ୨୦୨୪ ରହିଥିଲା । ପରବର୍ତ୍ତୀ ସମୟରେ କାର୍ଯ୍ୟ ସମାପ୍ତ କରିବାରେ ବିଲମ୍ୱ ଯୋଗୁଁ ଏହି କାର୍ଯ୍ୟର ଅବଧି ବୃଦ୍ଧି ନିମନ୍ତେ ଆବେଦନ କରିଥିବାରୁ ଠିକା ସଂସ୍ଥାକୁ ୧୮ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ଥିଲା । ଅଧିକାରୀମାନଙ୍କ ଅହେତୁକ ଅନୁକମ୍ପା ଯୋଗୁଁ ଠିକା ସଂସ୍ଥା ନିଜ ମନମର୍ଜି ଅନୁଯାଇ କାର୍ଯ୍ୟ କରୁଥିବା ଦୃଷ୍ଟିକୁ ଆସିଛି । ଏହି ମେଗା ପ୍ରକଳ୍ପର ସମସ୍ତ କାର୍ଯ୍ୟ ମଧ୍ୟରୁ କୁନ୍ଦୁରା ବ୍ଲକର ଡଙ୍ଗରପାଉଁଶି ଠାରେ ନିର୍ମିତ ହୋଇଥିବା ୫୦ଫୁଟ ଗଭୀର ୨୦ ଫୁଟ ଚଉଡ଼ା କୁପ ଉପରେ ଛାତ ପଡ଼ିବା ବାକି ଅଛି । ସୂଚନା ଅନୁଯାୟୀ, ଏପ୍ରିଲ ମାସ ସୁଦ୍ଧା ଜଳ ବିଶୋଧନ ଗୃହ ୭୧ ପ୍ରତିଶତ, ଜଳ ଧାରଣ ଟ୍ୟାଙ୍କ ୬୭ ପ୍ରତିଶତ ହୋଇଥିବାବେଳେ ଏଫହେଚଟିସି କାର୍ଯ୍ୟ ଆରମ୍ଭ ହୋଇନାହିଁ । ସମସ୍ତ କାର୍ଯ୍ୟ ୬୭ ପ୍ରତିଶତ ହୋଇଥିବାବେଳେ ଚଳନ୍ତି ବିଲ୍ ୮୫.୪୮ କୋଟି ଟଙ୍କା ସମ୍ପୃକ୍ତ ଠିକା ସଂସ୍ଥାକୁ ଦିଆଯାଇଛି । କିନ୍ତୁ ଜୟପୁର ବ୍ଲକରେ ରହିଥିବା ଜଳ ସଂରକ୍ଷଣ ଟ୍ୟାଙ୍କ ୧୬ଗୋଟି ମଧ୍ୟରୁ କେବଳ ୬୭ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଥିବା ସୂଚନା ମିଳିଛି । କୁନ୍ଦୁରା ବ୍ଲକ ଡଙ୍ଗରପାଉଁଶି ଗ୍ରାମ ନିକଟ ଦେଇ ଯାଉଥିବା କୋଲାବ ନଦୀ କଡରେ ଏକ ଗଭୀର କୂପ ଖୋଳାଯାଇଛି, ସେଠାରୁ ପାଣି ମୋଟର ଯୋଗେ ପାଣି ଉଠାଇ ବିଶୋଧନ କରିବା ନିମନ୍ତେ ଖୋଟଲାଗୁଡା ପାଣି ଯାଇ ସେଠାରୁ କୁନ୍ଦୁରା ବ୍ଲକ ଏବଂ ଜୟପୁର ବ୍ଲକର ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ହେବ । ସ୍ଥାନୀୟ ଜନସାଧାରଣଙ୍କ ପ୍ରତିକ୍ରିୟାରେ କୁନ୍ଦୁରା ଜୟପୁର ମେଗା ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ନିମ୍ନମାନର ହୋଇଥିବା ସହ ଏହି ଠିକା ସଂସ୍ଥାର ବଳକା ସମସ୍ତ ପ୍ରାପ୍ୟ ଦେବା ପୂର୍ବରୁ ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳ ଦ୍ୱାରା ସମୀକ୍ଷା କଲେ, ସଠିକ ସୂଚନା ମିଳିବ । ଯାହା ଦ୍ୱାରା ଠିକା ସଂସ୍ଥାକୁ ବିଭିନ୍ନ ଆଇନ ଅନୁଯାୟୀ ଦଣ୍ଡ ଦେବାରେ ସହାୟକ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।