୩୧ରେ ବ୍ୟାସନଗର କାଳୀ ଭସାଣି ଉତ୍ସବ
ବ୍ୟାସନଗର : ଚଳିତ ମାସ ୩୧ତାରିଖ ଦିନ ଅନୁଷ୍ଠିତ ହେବ ବ୍ୟାସନଗର କାଳୀ ମେଲଣ ଭସାଣି ଉତ୍ସବ । ବ୍ୟାସନଗରର ଗଣପର୍ବ କାଳୀପୂଜା ପରିପ୍ରେକ୍ଷୀରେ ଟାଉନହଲ ପରିସରରେ ପ୍ରଶାସନ ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ପୈାରାଞ୍ଚଳର ୧୭ଟି କାଳୀ କମିଟିର କାର୍ଯ୍ୟକର୍ତା, ପୈାର ପ୍ରଶାସନ, ପୁଲିସ, ଅଗ୍ନିଶମ, ପୂର୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଦ୍ୟୁତ ବିଭାଗ, ରେଲୱେ, ପାନୀୟ ଜଳ, ଅବକାରୀ, ପ୍ରଦୂଷଣ ପ୍ରଭୂତି ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ବିଶଦ ଆଲୋଚନା ହୋଇଥିଲା । ଅତିରିକ୍ତ ଜିଲାପାଳ କଳିଙ୍ଗନଗର ସପନ କୁମାର ନନ୍ଦଙ୍କ ପୈାରୋହିତରେ ଅନୁଷ୍ଠିତ ବୈଠକରେ ଚଳିତମାସ ୩୧ତାରିଖରେ ଭଷାଣୀ ଉତ୍ସବ ପାଇଁ ସହମତି ପ୍ରକାଶ ପାଇଥିଲେ ହେଁ ଗୋପବନ୍ଧୁଛକ ନିକଟ ରେଲୱେ ଗଳି ପୋଲ ବାଧକ ଉପରେ ପୂଜା କମିଟି କାର୍ଯ୍ୟକର୍ତ୍ତା ଦୃଷ୍ଠି ଆକର୍ଷଣ କରିଥିଲେ । ଗଳିପୋଲ କାରଣରୁ ଅନେକ ପୂଜା କମିଟି ପୂର୍ବପରି ଗୋପବନ୍ଧୁ ଛକରେ ପହଁଚି ଭସାଣି ଉତ୍ସବରେ ସାମିଲ ହେବା ସମ୍ଭବପର ହେବନି ବୋଲି ଜଣାଇବା ପରେ ବିକଳ୍ପ ଚିନ୍ତା କରାଯାଇ ପୁଲିସ ପକ୍ଷରୁ ଆୟୋଜିତ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ବୈଠକରେ ବିଭିନ୍ନ କମିଟି ପକ୍ଷରୁ ସେମାନଙ୍କ ସମସ୍ୟା ଉପସ୍ଥାପନ କରିବା ପୂର୍ବକ ବିପର୍ଯ୍ୟସ୍ତ ରାସ୍ତା ଅବସ୍ଥା ସୁଧାରିବା, ପୈାରାଞ୍ଚଳର ଅନ୍ଧାଳ ଅଞ୍ଚଳକୁ ଆଲୋକୀ କରଣ କରିବା, ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱଦେବା, ଡେ଼୍ରନ ଉପରେ ସ୍ଲାବ ପକାଇବା, ସଫେଇ ଉପରେ ଧ୍ୟାନଦେବା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଦୃଷ୍ଠି ଆକର୍ଷଣ କରିଥିଲେ । ଯାହା ଉପରେ ଉପସ୍ଥିତ ଅଧିକାରୀ ସେମାନଙ୍କ ମତ ରଖିବା ପୂର୍ବକ ପୂଜା ପୂର୍ବରୁ ସମସ୍ତ ସମସ୍ୟା ସମାଧାନ ପ୍ରତିଶ୍ରୁତି ଦେଇଥିଲେ । ବୈଠକରେ ପୈାରପାଳ ସୁବାସ ବଳ, ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ୍, ଅତିରିକ୍ତ ଏସପି କଳିଙ୍ଗନଗର ସୁପ୍ରସନ୍ନ ମଲିକ, ଏସଡ଼ିପିଓ ଲକ୍ଷ୍ମୀଧର ସ୍ୱାଇଁ, ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢୀ, ଯାଜପୁର ରୋଡ଼ ଥାନା ଅଧିକାରୀ ଆଶିଷ କୁମାର ସାହୁ, କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ ପ୍ରମୂଖ ଉପସ୍ଥିତ ରହିଥିଲେ ।