୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

 ଫୁଲବାଣୀ :  କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରୁ ରୀତିମତ ଭାବରେ ଗଞ୍ଜେଇ ଚାଲାଣ ଜାରି ରହିଥିବା ବେଳେ, ଜିଲ୍ଲା ପୋଲିସ ମଧ୍ୟ ଏହି ଗଞ୍ଜେଇ ଚାଲାଣ ଉପରେ ରୋକ ଲଗେଇବା ପାଇଁ ଅଣ୍ଟା ଭିଡିଛି । ମାଫିଆ ମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ଦେଖିବାକୁ ମିଳିଥିବା ବେଳେ, କେତେବେଳେ ଦାମି କାର୍ ତ ଆଉ କେତେବେଳେ ମାଲ୍ ବୁହା ଗାଡିରେ ଚାଲାଣ ହେଉଛି । ତେବେ ଏମିତି ଏକ ମାଲବହି ଆଇଚର ଟ୍ରକକୁ ଧରିବା ସହ ସେଥିରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ସହ ୨ ଜଣ ଚାଲାଣକାରିଙ୍କୁ ଗିରଫ କରିବାରେ ସଫଳ ହୋଇଛି ଫୁଲବାଣୀ ସଦର ଥାନା ପୁଲିସ । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଟିକାବାଲି ଥାନା ଲାଇନପଡା ଅଂଚଳର ମିଥୁନ ନାଏକ ଅନ୍ୟଜଣେ ସଦର ଥନା ଅଧୀନରେ ଥିବା ରୁଜାଙ୍ଗୀ ନେଡିଗୁଡା ଗାଁ ର ଜ୍ୟୋତିଷ ବେହେରା ବୋଲି ଜଣାପଡିଛି ଓ ପୋଲିସ ର ସୂଚନା ଅନୁସାରେ ଏକ ନଡ଼ିଆ ବୋଝେଇ ଆଇଚର ଟ୍ରକରେ ଗଞ୍ଜେଇ ଭର୍ତି କାରି କିଛି ମାଫିଆ କନ୍ଧମାଳ ଅଂଚଳରୁ କୋଲକାତାକୁ ଚାଲାଣ କରୁଥିବା ପୁଲିସ କୁ ସୂଚନା ମିଳିଥିଲା । ଏସଡିପିଓ ଶୁଭ୍ରଜିତ ବିଶ୍ୱାଳଙ୍କ ନିଦେ୍ର୍ଦଶ କ୍ରମେ ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ଟିମ୍ ଫୁଲବାଣି ବାଲିଗୁଡା ରାସ୍ତାର ବରାଳ ଦେବୀ ଗେଟ୍ ନିକଟରେ ଟ୍ରକଟିକୁ ଧରିବାରେ ସଫଳ ହୋଇଥିଲେ ।  ତେବେ ଏହି ଘଟଣା ସଂକ୍ରାନ୍ତରେ ସଦର ଥାନାରେ ୧୪୭/୨୦୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସଦର ଥାନା ଅଧିକାରୀ ସତୀଶ ଚନ୍ଦ୍ର ନାଏକ, ଏସ୍ଆଇ ସନ୍ଦୀପ ବେହେରା, ଏସ୍ଆଇ ପ୍ରଦୀପ ରାଉଳ ଙ୍କ ସହ ଥାନାରେ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ ।