୫ ବର୍ଷରେ ୧୫୯ ଦୁର୍ନୀତିଗ୍ରସ୍ତ ଅଧିକାରୀ ବହିଷ୍କାର

 ଭୁବନେଶ୍ୱର :  ଦୁର୍ନୀତି ବିରୋଧୀରେ ସରକାରଙ୍କ ଦୃଢ ପଦକ୍ଷେପ ଗ୍ରହଣ କରାଯାଉଛି । ସରକାର ୫ ବର୍ଷରେ ୧୫୯ ଜଣ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି ।  ଏବଂ ୫୯.୪୭ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଜବତ କରାଯାଇଛି ।  ଗତ ପାଞ୍ଚ ବର୍ଷ ମଧ୍ୟରେ ୧୫୯ ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ସୋମବାର ଓଡ଼ିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ପ୍ରଦାନ କରିବା ସହ ଦୁର୍ନୀତି ଏବଂ ଉତ୍ତରଦାୟିତ୍ୱ ପ୍ରତି ସରକାରଙ୍କ କଠୋର ଆଭିମୁଖ୍ୟ ସମ୍ପର୍କରେ ମତ ରଖିଛନ୍ତି ।
ବିଧାନସଭାରେ ପ୍ରଦାନ କରାଯାଇଥିବା ସରକାରୀ ତଥ୍ୟ ଅନୁଯାୟୀ, ୧୨୦ ଜଣ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ସେହିପରି ଆର୍ଥିକ ଅନିୟମିତତାର ଗୁରୁତର ଅଭିଯୋଗ ଯୋଗୁ ୩୯ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ରାଜ୍ୟ ସରକାର ଆୟଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଥିବା ଅଭିଯୋଗରେ ଅଭିଯୁକ୍ତ ଅଧିକାରୀମାନଙ୍କଠାରୁ ୫୯.୪୭ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଜବତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୪ରୁ ଫେବ୍ରୁଆରି ୨୦୨୫ ମଧ୍ୟରେ, ଭିଜିଲାନ୍ସ ବିଭାଗ ସାରା ରାଜ୍ୟରେ ୩,୬୨୩ଟି ଦୁର୍ନୀତି ସମ୍ପର୍କିତ ମାମଲା ପଞ୍ଜିକୃତ କରିଛି । ଏଥିମଧ୍ୟରୁ ୨,୫୫୩ଟି ମାମଲା ଫଇସଲା କରାଯାଇଛି, ଯାହା ଫଳରେ ବହୁ ଅପରାଧୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁର୍ନୀତି ସମ୍ବନ୍ଧୀୟ ଅପରାଧରେ ୯୩୯ ଜଣ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ପ୍ରର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ୧,୦୫୩ ଜଣ ଅଭିଯୁକ୍ତଙ୍କୁ ନିଦେ୍ର୍ଧାଷରେ ଖଲାସ କରାଯାଇଛି । ଓଡ଼ିଶା ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ  ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।