୬୬୦୦ କୋଟିର ବିଟ୍କଏନ ସ୍କାମ

 ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଟକଏନ ସ୍କାନର ତଦନ୍ତ ବୁଧବାର ଠାରୁ ଆରମ୍ଭ କରିଛି ସିବିଆଇ । ୬,୬୦୦ କୋଟି ଟଙ୍କାର ଠକେଇ ମାମଲାରେ ସିବିଆଇ ଗୋଟିଏ ଏଫଆଇଆର ରୁଜୁ କରିଛି । ଏଥିରେ ୨ ଜଣଙ୍କ ନାଁ ରହିଥିଲା ବେଳେ ଆଉ ଜଣେ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଜେରା ପାଇଁ ନୋଟିସ କରିଛି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ପରେ ସିବିଆଇ ଏପରି ପଦକ୍ଷେପ ନେଇଛି । 
୬,୬୦୦ କୋଟି ଟଙ୍କାର ବିଟକଏନ ଠକେଇ ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଅମିତ ଭରଦ୍ୱାଜ ଓ ଅଜୟ ଭରଦ୍ୱାଜ । ସିବିଆଇ ଏହି ଦୁଇ ଜଣଙ୍କ ନାଁ ଏଫଆଇଆରରେ ଉଲ୍ଲେଖ କରିଛି । ହୃଦଘାତରେ ଅମିତ ପ୍ରାଣ ହରାଇ ସାରିଥିବା ବେଳେ ଅଜୟ ଏବେ ଫେରାର ରହିଛନ୍ତି । ଏକାଧିକ ଏଜେନ୍ସି ଅଜୟଙ୍କ ନାଁରେ ଲୁକ ଆଉଟ ନୋଟିସ ଜାରି କରିଛନ୍ତି । ଏହାବାଦ ସିବିଆଇ ଘଟଣାର ଅନ୍ୟତମ ଅଭିଯୁକ୍ତ ଗୌରବ ମେହେଟ୍ଟାଙ୍କୁ ହାଜର ହେବାକୁ ନୋଟିସ କରିଛି । ତାଙ୍କୁ ଯଥାଶୀଘ୍ର ହାଜର ହୋଇ ନିଜର ପକ୍ଷ ରଖିବାକୁ କୁହାଯାଇଛି । ଏହାପୂର୍ବରୁ ଆଜି ଇଡି  ବିଟ୍ କଏନ୍ କାରବାର ମାମଲାରେ ସମ୍ପୃକ୍ତ ଥିବା ଗୌରବ ମେହେଟ୍ଟାଙ୍କ ଛତିଶଗଡ ଘରେ ଚଢ଼ାଉ କରିଛି । ଚାଲିଥିବା ମନି ଲଣ୍ଡରିଂ ତଦନ୍ତର ଏକ ଅଂଶ ଭାବରେ ଏହି ଚଢ଼ାଉ କରାଯାଇଥିବା ଇଡି କହିଛି । ଛତିଶଗଡ଼ର ରାଜଧାନୀ ରାୟପୁରରେ ଥିବା ମେହେଟ୍ଟାଙ୍କ ସ୍ଥାନଗୁଡ଼ିକୁ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ)ର ବ୍ୟବସ୍ଥା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି । 
ପ୍ରାରମ୍ଭିକ ପର୍ଯ୍ୟାୟରେ ଇଡି ଭରଦ୍ୱାଜ ଭ୍ରାତାଙ୍କ ବିରୋଧରେ ଦିଲ୍ଲୀ, ପୁଣେ ଓ ଆଉ କିଛି ସ୍ଥାନରେ ନିବେଶକାରୀଙ୍କୁ ଠକିଥିବା ଅଭିଯୋଗରେ ଏଫଆଇଆର ରୁଜୁ କରିଥିଲା । ମହାରାଷ୍ଟ୍ର ପୁଲିସ୍ର ଅର୍ଥନୀତିକ ଅପରାଧ ଶାଖା ରୁଜୁ କରିଥିବା ମାମଲା ଓ ତଦନ୍ତ ଆଧାରରେ ଇଡି ଏପରି ପଦକ୍ଷେପ ନେଇଥିଲା । ଏବେ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦିନକ ପୂର୍ବରୁ ବିଜେପିର ରାଜ୍ୟସଭା ସାଂସଦ ସୁଧାଂଶୁ ତ୍ରିବେଦୀ ସାମ୍ବାଦିକ ସମ୍ମିଳନୀ କରି ଗୋଟିଏ ଅଡିଓ କ୍ଲିପ ଜାରି କରିଥିଲେ । ଅଭିଯୋଗ ଅନୁସାରେ ଏହି ଅଡିଓ କ୍ଲିପ ବାରାମତୀ ସାଂସଦ ସୁପ୍ରିୟା ସୁଲେ ଓ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେଙ୍କ ଭିତରେ ହୋଇଥିବା କଥୋପକଥନ । ସେମାନେ ଜଣେ ପୂର୍ବତନ ପୁଲିସ୍ କମିଶନର ଓ ଜଣେ ଡିଲରଙ୍କ ସହ ମିଶି ବେଆଇନ ବିଟକଏନ ନେଣଦେଣ ପାଇଁ ଷଡଯନ୍ତ୍ର କରିଥିବା ଏଥିରେ ଦାବି କରାଯାଇଛି । ତେବେ ଏପରି ଅଭିଯୋଗକୁ ସୁପ୍ରିୟା ସୁଲେ ଖଣ୍ଡନ କରିଛନ୍ତି । ଅଡିଓ କ୍ଲିପରେ ଥିବା ଭଏସ ତାଙ୍କର ନୁହେଁ ବୋଲି ସେ କହିବା ସହ ବିଜେପି ଠିକ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶସ୍ତା ରାଜିନୀତିରେ ମାତିଥିବା ଅଭିଯୋଗ କରିଛନ୍ତି ।