ମଧ୍ୟପ୍ରଦେଶ ଦୁର୍ଗାପୂଜା ଭସାଣିରେ ଅଘଟଣ : ମହିଳା ଓ ଶିଶୁ ସମେତ ୧୪ ମୃତ

ଭୋପାଳ : ଦୁର୍ଗାପୂଜା ଭସାଣିରେ ଘଟିଛି ବଡ ଅଘଟଣ ।  ମଧ୍ୟପ୍ରଦେଶର ଖଣ୍ଡୱା ଓ ଶାହଡୋଲ ଜିଲ୍ଲାରେ ଦୁର୍ଗା ପୂଜା ମୂର୍ତ୍ତି ବିସର୍ଜନ ବେଳେ ପୃଥକ ଦୁର୍ଘଟଣାରେ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଖଣ୍ଡୱାର ପାନ୍ଧନା ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ନେଇ ଯାଉଥିବା ଏକ ଟ୍ରାକ୍ଟର ଡ୍ୟାମ ଭିତରକୁ ଖସି ପଡ଼ିବା ଫଳରେ ୧୧ ଜଣ ଗ୍ରାମବାସୀ ବୁଡ଼ି ପ୍ରାଣ ହରାଇଛନ୍ତି । ସେହିପରି ଖଣ୍ଡୱାର ଅଞ୍ଜନଗାଓଁ ଗାଁରେ ଏକ ନିୟନ୍ତ୍ରଣହୀନ ଡିଜେ ଗାଡ଼ି ଏକ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ଉପରେ ଚଢ଼ିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ଗୋହପାରୁରେ ସୋନ ନଦୀରେ ମୂର୍ତ୍ତି ବିସର୍ଜନ ସମୟରେ ୨ଜଣ ଯୁବକ ଭାସି ଯାଇଛନ୍ତି ।

ପାନ୍ଧନା ଥାନା ଅଞ୍ଚଳର ଜାମଲି ଗ୍ରାମରେ ଏକ ଟ୍ରାକ୍ଟରରେ ଦୁର୍ଗା ମୂର୍ତ୍ତି ସହ ୨୫ ଜଣ ଗ୍ରାମବାସୀ ଭସାଣିରେ ବାହାରିଥିଲେ ।  ଅଧିକାଂଶ ରାଜଗଡ଼ ଗ୍ରାମର ମହିଳା ଓ ଶିଶୁ ଥିଲେ । ଗୁରୁବାର ସନ୍ଧ୍ୟା ସମୟରେ ରାଜ୍ୟ ଜଳ ସମ୍ପଦ ବିଭାଗର ଏକ ଛୋଟ ଡ୍ୟାମରେ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ପୁଲିସ ମହାନିରୀକ୍ଷକ (ଇନ୍ଦୋର ଗ୍ରାମୀଣ) ଦ୍ଭ ଅନୁରାଗ କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୩ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଟ୍ରାକ୍ଟର ଡ୍ରାଇଭର ପାଣିର ଗଭୀରତାକୁ ଭୁଲ ଆକଳନ କରିଥିଲେ ଓ ଗାଡ଼ିକୁ ଧୀରେ ଧୀରେ ତଳକୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ ।