୬ ଲକ୍ଷ ଠକି ନେଲେ ପୁଲିସ କର୍ମଚାରୀ 

୬ ଲକ୍ଷ ଠକି ନେଲେ ପୁଲିସ କର୍ମଚାରୀ 

ମାଲକାନଗିରି : ପୁଲିସ ବିଭାଗରେ କନେଷ୍ଟବଳ ଚାକିରି କରେଇଦେବା କହି ଜଣେ ଗରିବ ମହିଳାଙ୍କଠାରୁ ସାଢେ ଛଅ ଲକ୍ଷ ଟଙ୍କ ହଡପ କରିନେଲେ ଜଣେ ପୁଲିସ କର୍ମଚାରୀ । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ତେବେ ଏନେଇ ବର୍ତ୍ତମାନ ଠକେଇର ଶିକାର ହୋଇଥିବା ପରିବାର ଆଇନ ସେବା ପ୍ରାଧିକରଣର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ଦୁଇ ବର୍ଷ ପୂର୍ବେ ମାଲକାନଗିରି ସହରର କୁଞ୍ଜଲତା ମହାରଣା ନାମକ ମହିଳାଙ୍କ ପୁଅକୁ ପୁଲିସ ବିଭାଗରେ ଚାକିରି କରେଇ ଦେବା କଥା କହି ମାଲକାନଗିରି ପୁଲିସ ବିଭାଗର କାର୍ଯ୍ୟଡଟ ସୁନିଲ ଚୋପାଡି ନାମକ ଜଣେ କର୍ମଚାରୀ ଓ ତାଙ୍କ ପନôୀ ପ୍ରଲୋଭିତ କରିଥିଲେ । ବାରମ୍ବାର କୁଞ୍ଜଲତାଙ୍କ ଘରକୁ ଯାଇ ଉଭୟ ପ୍ରଲୋଭନ ଦେଖାଇବାରୁ ଶେଷରେ କୁଞ୍ଜଲତା ବିଶ୍ୱାସ କରି ଏବଂ ପୁଅର ଭବିଷ୍ୟତକୁ ଆଖି ଆଗରେ ରଖି ସୁଧରେ ଟଙ୍କା ଆଣି ସେମାନଙ୍କୁ ସାଢେ ଛଅ ଲକ୍ଷ ଟଙ୍କା ନଗଦ ଆକାରରେ ଦେଇଥିଲେ । ହେଲେ ଟଙ୍କା ନେବା ପରେ ଚାକିରି ହୋଇ ନଥିଲା, ଆଜି କାଲି କହି କହି ପ୍ରାୟ ଦୁଇ ବର୍ଷ ଯାଏଁ ଚାକିରି ହୋଇନଥିବା ବେଳେ କୁଞ୍ଜଲତା ନିଜ ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ଓଲଟା ଧମକ ଦେଇଥିଲେ ସୁନିଲ । ଫଳରେ ନିରାଶ ହୋଇ କୌଣସି ଉପାୟ ନପାଇ ଶେଷରେ ଜିଲ୍ଲା କୁଞ୍ଜଲତା ଆଇନ ସେବା ପ୍ରାଧିକରଣ ଦ୍ୱାରସ୍ଥ ହୋଇଥିଲେ । ଯେଉଁଠାରେ ସୁନୀଲ ଉକ୍ତ ଅର୍ଥକୁ କିସ୍ତି ଆକାରରେ ଫେରାଇ ଦେବା କଥା କହିଥିଲେ ଏବଂ ସମୟ ମାଗି ଥିଲେ । ତେବେ ଏହା ପରେ ମଧ୍ୟ ସୁନୀଲ କୌଣସି ଅର୍ଥ ଦେଇ ନଥିବାରୁ ପୁନଃ କୁଞ୍ଜଲତା ଏନେଇ ଆଇନ ସେବା ପ୍ରାଧିକରଣକୁ ଜଣାଇବା ପରେ ସଚିବଙ୍କ ପରାମର୍ଶ କ୍ରମେ ମାଲକାନଗିରି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ବିଷୟରେ କୁଞ୍ଜଲତା ଲିଖିତ ଅଭିଯୋଗ କରିବା ସହ ମାଲକାନଗିରି ଏସପିଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଏନେଇ ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଏସପି କୁଞ୍ଜଲତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି । ଏହି ଘଟଣାରେ କୁଞ୍ଜଲତାଙ୍କୁ ଜିଲ୍ଲା ଆଇନସେବା ପ୍ରାଧିକରଣର ମୁଖ୍ୟ ଆଇନଜୀବୀ ଅଶୋକ ପଟ୍ଟନାୟକ, ସହକାରୀ ଆଇନଜୀବୀ ରାଜେସ ପଟ୍ଟନାୟକ ଏବଂ ସହଯୋଗୀ ଆଇନଜୀବୀ ସାଗର ପାଣିଗ୍ରାହୀ ସମସ୍ତ ପ୍ରକାରର ସହଯୋଗ କରିଥିଲେ ।