କୁକର୍ମ ଓ ହତ୍ୟା ଧମକ; ଅଭିଯୁକ୍ତ ଗିରଫ

 ଭୁବନେଶ୍ୱର : ଥାନାରୁ ଅଭିଯୋଗପତ୍ର ନ ଉଠାଇଲେ ନାବାଳିକାଙ୍କୁ ବିଚ ରାସ୍ତାରେ କୁକର୍ମ ଏବଂ ପରିବାର ଲୋକଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ, ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପାହାଳ ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଲା, ପାହାଳ ଥାନା ଅନ୍ତର୍ଗତ ଲହରକଣ୍ଟା ସାମଲ ସାହିର ବାସୁଦେବ ବେହେରା ।  ସୂଚନାଯୋଗ୍ୟ ଯେ, ଗତ ତା୨୦.୧୨.୨୦୨୪ ରିଖ ସନ୍ଧ୍ୟା ୭ଟା ୩୦ ସମୟରେ ନାବାଳିକା ପୀଡ଼ିତା ଜଣକ ଟୁ୍ୟସନ ସାରି ଘରକୁ ଫେରିବା ବେଳେ, ଅଭିଯୁକ୍ତ ଜଣକ ରାସ୍ତାରେ ତାଙ୍କୁ ଅଟକାଇ ଅଶ୍ଳୀଳ ଇଙ୍ଗିତ କରିବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲା, ଏବଂ ତା ନାମରେ ଥାନାରେ ଦିଆଯାଇଥିବା ଅଭିଯୋଗକୁ ଯଦି ତାଙ୍କ ମାଆ ପ୍ରତ୍ୟାହୃତ ନକରନ୍ତି ତେବେ ସେ ତାଙ୍କୁ କୁକର୍ମ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ପୀଡ଼ିତା ଜଣକ ଅଭିଯୁକ୍ତଙ୍କ ଏତାଦୃଶ ବ୍ୟବହାରର ବିରୋଧ କରିବା ଦେଖି ଅଭିଯୁକ୍ତଙ୍କ ବାପା, ମାଆ ଏବଂ ଅନ୍ୟ ଦୁଇ ମହିଳା ପୀଡ଼ିତାଙ୍କୁ ଘଟଣା ସ୍ଥଳରେ ମାଡ ମାରିବା ସହ ତାଙ୍କୁ  ବିବସ୍ତ୍ର କରିବା ଲାଗି ପ୍ରୟାସ ରହିଥିଲେ । ଏହି ସମୟରେ କୌଣସି ଏକ ସୁତ୍ରରୁ ସୂଚନା ପାଇ ପୀଡ଼ିତାଙ୍କ ମାଆ ଏବଂ ଅନ୍ୟ ମାନେ ଆସି ପହଞ୍ଚିବାରୁ, ଅଭିଯୁକ୍ତ ଏବଂ ତାଙ୍କ ପରିବାର ସଦସ୍ୟ ଘଟଣା ସ୍ଥଳରୁ ଖସି ପଳାଇଥିଲେ । ଏନେଇ ପୀଡ଼ିତା ପାହାଳ ଥାନାକୁ ଯାଇ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।