ଜିଲ୍ଲାପାଳଙ୍କ ଫେକ୍ ଆକାଉଣ୍ଟରେ ହ୍ବାଟ୍ସଆପରେ ଟଙ୍କା ମାଗୁଛନ୍ତି ସାଇବର ଠକ
ଜିଲ୍ଲାପାଳଙ୍କ ନାଁରେ ଫେକ ହ୍ବାଟ୍ସଆପ୍ ଆକାଉଣ୍ଟରେ ଟଙ୍କା ମାଗୁଛନ୍ତି ସାଇବର ଠକ । ଫେକ୍ ହ୍ବାଟ୍ସଆପର ପ୍ରୋଫାଇଲରେ ଲାଗିଛି ଜିଲ୍ଲାପାଳଙ୍କ ଫଟୋ । ଯାହାକୁ ବ୍ୟବହାର କରି ଏକ ନମ୍ବରରୁ ଜିଲ୍ଲାର ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀଙ୍କୁ ମେସଜ ପଠାଇ ଟଙ୍କା ମାଗିଛି ଠକ ।ତେବେ ସଂପୃକ୍ତ ନମ୍ବରଟି ଜିଲ୍ଲାପାଳଙ୍କ ହୋଇନଥିବା ବେଳେ କିଛି ଅଧିକାରୀ ସନ୍ଦେହ କରି ଏନେଇ ସିଧାସଳଖ ଭାବେ ଜିଲାପାଳଙ୍କୁ ସୂଚନା ଦେଇଛନ୍ତି । ଅଧିକାରୀଙ୍କ ନିକଟରୁ ଏହି ସୂଚନା ପାଇବାପରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସମସ୍ତ ସରକାରୀ ଗ୍ରୁପରେ ସରକାରୀ ଅଧିକାରୀମାନଙ୍କୁ ଏବଂ ସୋସିଆଲ ମିଡିଆରେ ଏହିଭଳି ମିଥ୍ୟା ମେସେଜ ନେଇ ସତର୍କ ରହିବାକୁ ସୂଚନା ଦେଇଛନ୍ତି । ଏହି ନାମକୁ ରିପୋର୍ଟ ମାରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ତେବେ ବୌଦ୍ଧ ଜିଲ୍ଲାରେ ଏହା ଚତୁର୍ଥ ଥର ଜିଲ୍ଲାପାଳଙ୍କ ନାମରେ ଟଙ୍କା ମାଗିଥିବା ଭଳି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଦୁର୍ବୃତ୍ତଙ୍କୁ ଧରି ପାରିନି ପୋଲିସ । ଗତ ମାର୍ଚ୍ଚ ମାସରେ ପୂର୍ବତନ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଫଟୋ ବ୍ୟବହାର କରି ଠିକ୍ ଏହିପରି ଟଙ୍କା ମାଗୁଥିଲେ ଦୁର୍ବୃତ୍ତ । ତିନି ବର୍ଷ ପୂର୍ବେ ୨୦୨୨ ମସିହାରେ ମଧ୍ୟ ଦୁଇ ଥର ଠିକ୍ ଏହି ପରି ପୂର୍ବତନ ଜିଲ୍ଲାପାଳଙ୍କ ଫଟୋ ଲଗାଇ ବିଭିନ୍ନ ଅଧିକାରୀଙ୍କୁ ଟଙ୍କା ମଗାଯାଇଥିଲା । ସେତେବେଳେ ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସାଇବର ସେଲ୍ ରେ ଏତଲା ମଧ୍ୟ ଦେଇଥିଲେ । ହେଲେ ପୁଣି ଥରେ ଆଜି ଏଭଳି ଏକ ସମ୍ବେଦନଶୀଳ ଘଟଣା ଜିଲାରେ ଆଲୋଡନ ସୃଷ୍ଟି କରିଛି ।