ବିଜେଡ଼ିରେ ବିଜେପି ସାଂସଦଙ୍କ ପତ୍ନୀ
Arundhati Devi, Sambalpur Politics, Pranab Prakash Das, Dharmendra Pradhan

ଶଙ୍ଖ ଫୁଙ୍କିଲେ ଅରୁନ୍ଧତୀ
ଭୁବନେଶ୍ୱର : ସମ୍ବଲପୁର ରାଜନୀତିରେ ଘଡ଼ିକେ ଘୋଡା ଛୁଟୁଛି । ପ୍ରତି ମୁହୂର୍ତ୍ତରେ ବଦଳୁଛି ସମୀକରଣ । ଆଜି ସମ୍ବଲପୁରର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଅରୁନ୍ଧତୀ ଓ ତାଙ୍କ ପୁଅ ନମନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ । ଏହି ଅବସରରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ମଧ୍ୟ ଉପସ୍ଥିତ ଥିଲେ ।
ସମ୍ବଲପୁରରେ ଚାଲିଛି ହାଇଭୋଲଟେଜ ଲଢେ଼ଇ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସ ମଇଦାନରେ ମୁହାଁମୁହିଁ ହୋଇଛନ୍ତି । ଅନ୍ୟ ଦଳରୁ ବଡ଼ ବଡ଼ ନେତାଙ୍କୁ ଆଣିବା ପାଇଁ ଉଭୟ ଦଳ ମଧ୍ୟରେ କସରତ ଚାଲିଛି । ଆଜି ଏହି କ୍ରମରେ ନୀତେଶଙ୍କ ପତ୍ନୀ ଅରୁନ୍ଧତୀ ଶଙ୍ଖ ଫୁଙ୍କିଛନ୍ତି । ଗତ କିଛିବର୍ଷ ଧରି ସେ ଦେବଗଡ଼ ରାଜନୀତିରେ ବେଶ ସକ୍ରିୟ ଥିଲେ । ଧର୍ମେନ୍ଦ୍ରଙ୍କ ଜଣେ କଟ୍ଟର ବିରୋଧୀ ଭାବେ ବି ସେ ଜଣାଶୁଣା । ନୀତେଶଙ୍କର ସଂଗଠନ ଥିବାବେଳେ ତାଙ୍କର ମତିଗତି କ’ଣ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ ସେ ଯାହାହେଉନା କାହିଁକି ରାଜ ପରିବାରର ଦେବଗଡ଼ରେ ପକେଟ ଭୋଟ ଥିବାରୁ ଏଥିରୁ ବିଜେଡ଼ି ଫାଇଦା ନେବା ନିଶ୍ଚିତ ।