ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣା : କାର୍ଯ୍ୟାନୁଷ୍ଠାନ ନ ହେଲେ ଥାନା ଘେରାଉ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବିଡିଓ ଶୁଭ୍ରାଂଶୁ ସାହୁଙ୍କୁ ଦୁଃବ୍ୟବହାର ଓ ବ୍ଲକ ଗଣ୍ଡଗୋଳ ଘଟଣା ଭିନ୍ନ ମୋଡ଼ ନେଇଛି । ସମ୍ପୃକ୍ତ ଜ୍ୟୋତି ପ୍ରକାଶ ପ୍ରଧାନଙ୍କୁ ପଟ୍ଟାମୁଣ୍ଡାଇ ପୁଲିସ ଥାନାରୁ ଜାମିନରେ ଛାଡି ଦେବା ଘଟଣାରେ ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଛି । ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ନଗର ଯୁବ ବିଜେଡି ସଭାପତି ଅଶୋକ ଧଳ, ସାଧାରଣ ସମ୍ପାଦକ କଳାକାର ପ୍ରଧାନ କାଉନସିଲର ପ୍ରଶାନ୍ତ ବାରିକ ସରପଞ୍ଚ ସଂଘ ସଭାପତି ଲଷ୍ମୀପ୍ରିୟା ଷଢଙ୍ଗୀ, ସମ୍ପାଦକ ପ୍ରିୟବ୍ରତ ଓଝା ପ୍ରମୁଖ ଶତାଧିକ ବିଜେଡି ନେତା କର୍ମକର୍ତ୍ତା ସରପଞ୍ଚ ସମିତି ସଭ୍ୟ ସଂଘ କର୍ମକର୍ତ୍ତାମାନେ ବ୍ଲକ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଆଦର୍ଶ ଥାନା ମୁଖ୍ୟ ଫାଟକ ସମ୍ମୁଖରେ ପହଂଚି ଥିଲେ । ବିଜେଡି ନେତା ଓ କର୍ମୀଙ୍କୁ ଥାନା ଭିତରକୁ ପୋଲିସ ନ ଛାଡିବାରୁ ପୋଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲା । ପରେ ପରେ ବିଜେଡି ଓ ସରପଞ୍ଚ ସମିତି ସଭ୍ୟ ସଂଘ କର୍ମକର୍ତ୍ତାଙ୍କୁ ନେଇ ଏକ ପ୍ରତିନିଧିମଣ୍ଡଳୀ ଥାନା ଭିତରକୁ ଯାଇ ଥାନାରେ ଉପସ୍ଥିତ ଅତିରିକ୍ତ ଏସ୍ପି ଦେବାଶିଷ ଧଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ ଅଭିଯୁକ୍ତ ଜ୍ୟୋତି ପ୍ରକାଶ ପ୍ରଧାନଙ୍କୁ ଅବିଳମ୍ବେ ଗିରଫ କରି କୋର୍ଟ ଚାଲାଣ କରା ନ ଗଲେ ଆସନ୍ତା ୧୮ ତାରିଖ ସୋମବାର ବିଜେଡି ସରପଞ୍ଚ ଓ ସମିତି ସଭ୍ୟ ସଂଘ ପକ୍ଷରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।