ବିଜେଡି କର୍ମୀ : “ଇପସିତା ପ୍ରଥମେ ଆକ୍ରମଣ କଲେ”

ବିଜେଡି କର୍ମୀ : “ଇପସିତା ପ୍ରଥମେ ଆକ୍ରମଣ କଲେ”

ଭୁବନେଶ୍ୱର: ଗତକାଲି ବିଜେଡିର ପ୍ରତିଷ୍ଠ ଦିବସରେ ଶଙ୍ଖଭବନରେ ସୃଷ୍ଟ ଗଣ୍ଡଗୋଳ ଘଟଣାରେ ବିଜେଡି କର୍ମୀ ପୁଷ୍ପାଞ୍ଜଳି ରଣା ଶୁକ୍ରବାର ନିଜର ପ୍ରତିକ୍ରିୟା ରଖିଛନ୍ତି । 
ସେ କହିଛନ୍ତି ଯେ ଇପସିତା ପ୍ରଥମେ ଆକ୍ରମଣ କଲେ । ଆକ୍ରମଣ କରି ମୋ ଚେନ ଛିଡ଼ାଇଦେଲେ ବୋଲି ପୁଷ୍ପାଞ୍ଜଳି କହିଛନ୍ତି । ଏପରିକି ଇପସିତା ତାଙ୍କ ଶାଢ଼ୀ ମଧ୍ୟ ଚିରି ଦେଇଥିବା ପୁଷ୍ପାଞ୍ଜଳି ଅଭିଯୋଗ କରିଛନ୍ତି । ଜଗନ୍ନାଥ ମୋତେ ବଞ୍ଚାଇଦେଲେ, ମୋତେ ସବୁଠି ସମର୍ଥନ ମିଳୁଛି । ଚେୟାର ପକାବେଳେ ଆମକୁ ଅପମାନିତ କଲେ ।  ଛୋଟ ପିଲା ଭାବି କ୍ଷମା କଲି । ମାଇଲେଜ ନେବା ପାଇଁ ଅଧା ଭିଡିଓ ପକାଇଛନ୍ତି ବୋଲି ପୁଷ୍ପାଞ୍ଜଳି ରଣା କହିଛନ୍ତି ।

ସୂଚନା ଅନୁସାରେ,  ଶଙ୍ଖଭବନରେ ଆୟୋଜିତ ବିଜେଡିର ୨୭ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସମାରୋହରେ ଦଳର ରାଜ୍ୟ କାର୍ୟ୍ୟପରିଷଦ ସଦସ୍ୟା ତଥା ଭୁବନେଶ୍ୱର ଜୋନ୍ ମହିଳା ବିଜେଡି କାର୍ୟ୍ୟକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ରଣା ଓ ଛାତ୍ର ବିଜେଡି ମହାସଚିବ ତଥା ଦଳର ମୁଖପାତ୍ର ଇପସିତା ସାହୁ ମୁହାଁମୁହିଁ ହୋଇଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଭାସ୍ଥଳକୁ ଆସିବାର ମାତ୍ର କିଛି ସମୟ ପୂର୍ବରୁ ଚେୟାରରେ ବସିବାକୁ ନେଇ ଦୁଇ ନେତ୍ରୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଆଉ ସଭା ଶେଷ ହେବାପରେ ନବୀନ ସଭାମଂଚରୁ ମାତ୍ର ୫୦ମିଟର ଦୂରରେ ଶଙ୍ଖଭବନ ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଥିବାବେଳେ ଦୁଇ ନେତ୍ରୀ ପୁଣିଥରେ ମୁହାଁମୁହିଁ ହୋଇଥିଲେ । ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଦୁଇ ନେତ୍ରୀ ପରସ୍ପରକୁ ଗାଳିଗୁଲଜ କରିବା ସହ ଶାଢ଼ୀ ଚିରା, ଧସ୍ତାଧସ୍ତି ଓ ଚେୟାର ଫିଙ୍ଗା ଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ । ଏବେ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ  ଇପସିତାଙ୍କୁ ପୁଷ୍ପାଞ୍ଜଳି ଦୁଇଥର ଚାପୁଡ଼ା ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି ।