ବିଏମ୍ସିର କାର୍ଯ୍ୟ ଅନୁଧ୍ୟାନ କଲେ ଆନ୍ଧ୍ର ଟିମ୍
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ବିଭିନ୍ନ କାର୍ଯ୍ୟ ପ୍ରଣାଳୀ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ମହାନଗର ନିଗମର ପ୍ରତିନିଧିମାନେ । ସୋମବାର ଶ୍ରୀକୁଲମ କମିଶନର ଶ୍ରୀ ପ୍ରସାଦ ରାଓଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱର ଆସିଥିଲେ । ସେମାନଙ୍କ ମଧ୍ୟରେ ଶ୍ରୀକାକୁଲମ ମହାନଗର ନିଗମର ଏକ୍ସକୁ୍ୟଟିଭ୍ ଇଂଜିନିୟର ଶ୍ରୀ ଦକ୍ଷିଣ ମୂର୍ତ୍ତି, ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୁଧିର ମଧ୍ୟ ଆସିଥିଲେ । ଏହି ତିନି ଜଣିଆ ଟିମ୍ ବିଏମ୍ସିର ବିଭିନ୍ନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ବିଏମ୍ସିର ଟିଟିଏସ୍, ଏମ୍ଆର୍ଏଫ୍, ଏମ୍ସିସି, ଏଫ୍ଏସ୍ ଟିପି ଆଦି ବୁଲି ଦେଖିବା ସହ କଠିନ ଓ ତରଳ ବର୍ଜ୍ୟ ପ୍ରକ୍ରିୟାକରଣ ବୁଲି ଦେଖିଥିଲେ । ବର୍ଜ୍ୟ ସଂଗ୍ରହ, ପରିଚାଳନା ଓ ପ୍ରକ୍ରିୟାକରଣ ସମ୍ପର୍କରେ ବିଏମ୍ସି ସହକାରୀ କମିଶନର ଏନ୍. ଗଣେଶ ବାବୁ ଏହି ପ୍ରତିନିଧି ଦଳଙ୍କୁ ପୁଙ୍ଖାନୁପୁଙ୍ଖ ଅବଗତ କରାଇଥିଲେ । ବିଏମ୍ସିର ବର୍ଜ୍ୟ ପରିଚାଳନାର ଉଚ୍ଚ ପ୍ରସଂଶା କରିବା ସହ ଡୋର୍ ଟୁ ଡୋର୍ କଲେକ୍ସନ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ବିଏମ୍ସି ମୁଖ୍ୟାଳୟରେ ଥିବା କମାଣ୍ଡ କଣ୍ଟ୍ରୋଲ ରୁମର କାର୍ଯ୍ୟକାରିତା ଦେଖି ଏହି ପ୍ରତିନିଧି ଦଳ ଅଭିଭୁତ ହୋଇପଡିଥିବା କହିଛନ୍ତି । ବିଏମ୍ସି କେଉଁ କେଉଁ ସୂତ୍ରରୁ ରାଜସ୍ୱ ଆଦାୟ କରୁଛି ଏବଂ କେତେ କେତେ ରାଜସ୍ୱ୍ୱ ଆଦାୟ ହେଉଛି, ସେ ସମ୍ପର୍କରେ ରାଜସ୍ୱ ଉପବିଭାଗ ଅଧିକାରୀ ଅଜୟ କୁମାର ମହାନ୍ତି ସେମାନଙ୍କୁ ଅବଗତ କରାଇଥିଲେ । ସୋମବାର ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଉପସ୍ଥିତ ଥିଲେ । ଶ୍ରୀକାକୁଲମ ମହାନଗର ନିଗମର ଏହି ପ୍ରତିନିଧିମାନଙ୍କୁ ଉପଢୌକନ ଓ ପୁସ୍ତକ ପ୍ରଦାନ ପୂର୍ବକ କମିଶନର ଶ୍ରୀ ପାଟିଲ ସମ୍ବର୍ଦ୍ଧିତ କରିଥିଲେ । ଆଗାମୀ ଦିନରେ ଆହୁରି ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ସମସ୍ତ ବର୍ଜ୍ୟକୁ ଅଲଗା ଅଲଗା କରାଯିବ ଏବଂ ସଂଗ୍ରହ ହେଉଥିବା ବାସି ଫୁଲରୁ ଧୂପକାଠି ତିଆରି ପାଇଁ ଯୋଜନା ରହିଛି ବୋଲି କହିଛନ୍ତି ବିଏମ୍ସି କମିଶନର । ବିଏମ୍ସିର ବର୍ଜ୍ୟ ପରିଚଳନା, ବିଦୁ୍ୟତ ଆଲୋକ ବ୍ୟବସ୍ଥା, ରାଜସ୍ୱ ଆଦାୟ ସମ୍ପର୍କରେ ଜାଣିବା ପରେ ଏହି ପ୍ରତିନିଧି ଦଳ ସେମାନଙ୍କର ଅଭିଜ୍ଞତା ଓ ଅନୁଭୁତି ବର୍ଣ୍ଣନା କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଭୁବନେଶ୍ୱର ମହାନଗର ନିଗମର ସହକାରୀ କମିଶନର ଏନ୍.ଗଣେଶ ବାବୁ ।