ରଥକୁ ଅଣସେବକ ଗଲେ ହେବ ମାମଲା

ରଥକୁ ଅଣସେବକ ଗଲେ ହେବ ମାମଲା

ପୁରୀ :  ଦୀଘା ଜଗନ୍ନାଥ ଧାମ ପରମ୍ପରା ବିରୁଦ୍ଧ, ସଂସ୍କୃତିର ପରିପନ୍ଥୀ  । ଅଦିନିଆ ରଥଯାତ୍ରା ବି ଶାସ୍ତ୍ର ବିରୋଧୀ  । ଏନେଇ କୋର୍ଟ ଯିବା ଅପେକ୍ଷା ଇସ୍କନ ଓ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରି ଆପୋଷ ସମାଧାନ କରିବା ଉପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗୁରୁତ୍ୱାରୋପ କରିଛନ୍ତି  । ଚଳିତ ବର୍ଷ ରଥଯାତ୍ରାରେ କୌଣସି ଅଣସେବକ ରଥ ଉପରେ ଚଢିଲେ କିମ୍ବା ଅନଧିକୃତ ଭାବେ କୌଣସି କାର୍ଯ୍ୟ କଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ଆବଶ୍ୟକ ସ୍ଥଳେ ଫୌଜଦାରୀ ମାମଲା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି  ।
ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଗତବର୍ଷ ସେପ୍ଟେମ୍ବର ମାସରେ ପରିଚାଳନା କମିଟି ଭଙ୍ଗ ହେବା ପରେ ନୂତନ ପରିଚାଳନା କମିଟି ଗଠନ ହୋଇ ପାରିନାହିଁ  । ଫଳରେ ସୋମବାର ବୈଠକରେ ପୁରୁଣା ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ  ।  ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ମଧ୍ୟ ବୈଠକରେ ଆଭାସୀ ମାଧ୍ୟମରେ ଉପସ୍ଥିତ ରହିଥିଲେ । ବୈଠକରେ ଗଜପତି ମହାରାଜ  ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରକୁ ‘ଧାମ’ ବୋଲି କୁହାଯିବା ଏବଂ ଇସ୍କନ ପକ୍ଷରୁ ବିଦେଶରେ ଅଦିନିଆ ରଥଯାତ୍ରା କରିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ  । ପଶ୍ଚିମବଙ୍ଗ ସରକାର ଓ ଇସ୍କନ ସହ ଆପୋଷ ଆଲୋଚନା ମାଧ୍ୟମରେ ଦୀଘା ଜଗନ୍ନାଥ ଧାମ ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି  । ଆଇନଗତ ଲଢେଇ କଲେ ବହୁ ବିଳମ୍ବ ଘଟିବ ଏବଂ କେବେ ତା’ର ସମାଧାନ ହେବ ତାହା କେହି କହିପାରିବେ ନାହିଁ ବୋଲି ଗଜପତି ପ୍ରକାଶ କରିଛନ୍ତି  । ଯଥାଶୀଘ୍ର ବିବାଦର ଆପୋଷ ସମାଧାନ କରାଯିବା ସହ ଗୋଟିଏ ଦିବସରେ ସର୍ବତ୍ର ରଥଯାତ୍ରା କରାଯିବା ପାଇଁ ଗଜପତି ମହାରାଜା ପରାମର୍ଶ ଦେଇଥିଲେ  । ସେ କହିଛନ୍ତିଯେ, ବିଶ୍ୱର ଅନେକ ସ୍ଥାନରେ ଜଗନ୍ନାଥ ମନ୍ଦିର ରହିଛି ଓ ଆଗାମୀ ଦିନରେ ଆହୁରି ଅନେକ ମନ୍ଦିର ପ୍ରତିଷ୍ଠିତ ହେବ । ପରମ୍ପରା ବିଚୁ୍ୟତି ଓ ଉଲ୍ଲଘଂନ ସମ୍ପୂର୍ଣ୍ଣ ଅନୁଚିତ  । ଇସ୍କନର ଗଭର୍ଣ୍ଣିଂ ବଡ଼ି କମିଟି ଏଥିରେ ରାଜି ନହେଲେ ଆମକୁ ବିକଳ୍ପ ଚିନ୍ତା କରିବାକୁ ପଡ଼ିବ ବୋଲି ଗଜପତି ମହାରାଜ କହିଛନ୍ତି  ।
ଅନ୍ୟ ପକ୍ଷରେ ପୂର୍ବରୁ ଭାରତ ମଧ୍ୟରେ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରିଥିôଲା  । ଏନେଇ ଗତ ୨୦ ମାର୍ଚ୍ଚରେ ଇସ୍କନ ପଣ୍ଡିତ ଏବଂ ଶ୍ରୀମନ୍ଦିର ପଣ୍ଡିତଙ୍କ ମଧ୍ୟରେ ଭୁବନେଶ୍ୱରରେ ଏକ ଆଲୋଚନା ହୋଇଛି  । ଏଥିରେ ଶ୍ରୀମନ୍ଦିର ପରମ୍ପରା ଏବଂ ବିଧି ସମ୍ପର୍କରେ ଶ୍ରୀମନ୍ଦିର ପଣ୍ଡିତଙ୍କ ପକ୍ଷରୁ ଏକ ସବିଶେଷ ରିପୋର୍ଟ ପ୍ରସ୍ତୁତ କରାଯାଉଛି  । ଯାହା ଆଗାମୀ ଦିନରେ ଇସ୍କନକୁ ପ୍ରଦାନ କରାଯିବ  । ଅନ୍ୟ ପକ୍ଷରେ ଭାରତ ମଧ୍ୟରେ ଅଦିନିଆ ରଥଯାତ୍ରା କରିବାକୁ ଇସ୍କନ ମନା କରିଥିବା ବେଳେ ଭାରତ ବାହାରେ ଇସ୍କନ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ମନା କରିଦେଇଛି  । ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇସ୍କନର ମୁଖ୍ୟାଳୟ ଥିବା ମାୟାପୁରୀର ମୁଖ୍ୟଙ୍କ ସହ ଯୋଗାଯୋଗ କରି ରଥଯାତ୍ରାର ଶାସ୍ତ୍ରୀୟ ବିଧି ସମ୍ପର୍କରେ ଅବଗତ କରାଯାଇଛି  । ଏହି ରିପୋର୍ଟକୁ ତର୍ଜମା କରିବା ପରେ ଇସ୍କନ ଦେଶ ତଥା ବିଦେଶରେ ରଥଯାତ୍ରା ତିଥିରେ ରଥଯାତ୍ରା ଆୟୋଜନ କରିବା ପାଇଁ ରାଜି ହେବ ବୋଲି ଆଶା ରହିଛି  । ଯଦି ଏଥିରେ ଇସ୍କନ ଖିଲାପ କରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର କରାଯିବ ବୋଲି ଗଜପତି ମହାରାଜ ସୂଚନା ଦେଇଛନ୍ତି  ।
ଶ୍ରୀମନ୍ଦିର ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟ ସଂକ୍ରାନ୍ତରେ ବୈଠକରେ ସମୀକ୍ଷା କରାଯାଇଥିଲା  । ଗତ କିଛି ମାସ ମଧ୍ୟରେ ହୋଇଥିବା ବିଭିନ୍ନ କାର୍ଯ୍ୟ ସଂପର୍କରେ ବୈଠକକୁ ମୁଖ୍ୟ ପ୍ରଶାସକ ଅବଗତ କରାଇଥିଲେ  । ମୁଖ୍ୟତଃ ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା ଓ ନୀଳାଦ୍ରି ବିଜେ ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରାଯାଇଥିଲା  । ଗତ ବର୍ଷ ଆଡପ ମଣ୍ଡପରେ ଯେଉଁ ଦୁର୍ଘଟଣା ଘଟିଥିଲା, ତାହାର ଯେପରି ପୁନରାବୃତ୍ତି ନଘଟେ ସେନେଇ ବିଶେଷ ଆଲୋଚନା ହୋଇଥିଲା  । ପ୍ରତ୍ୟେକ ରଥପାଇଁ ଗୋଟିଏ କରି ପହଣ୍ଡି ଦଳ ଗଢ଼ିବା ପାଇଁ ନିଷ୍ପତ୍ତି ହୋଇଛି  । ଏହାର ସଂଖ୍ୟା ନିରୁପଣ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି  । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଯେତେ ଶବ୍ଦାବଳୀ ରହିଛି, ତାହାକୁ ପ୍ୟାଟେଣ୍ଟ କରାଯିବ  । ବର୍ତ୍ତମାନ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଚାରି ପାଶ୍ୱର୍ରେ ଅନେକଗୁଡିଏ ଅଟ୍ଟାଳିକା ଗଢ଼ି ଉଠିଛି  । ଯାହା ଶ୍ରୀମନ୍ଦିର ଐତିହ୍ୟ ଏବଂ ସଂସ୍କୃତି ଉପରେ ପ୍ରଭାବ ପକାଉଛି  । ଆଗାମୀ ଦିନରେ ଓଡିଆ ସଂସ୍କୃତି ଉପରେ କୋଠା ନିର୍ମାଣ ପାଇଁ ନଗର ଉନ୍ନ୍ନୟନ ଏବଂ ରାଜ୍ୟ ସରକାରଙ୍କୁ ନିୟମ ପ୍ରଣୟନ ପାଇଁ ଅନୁରୋଧ କରାଯିବ  । ଏହି ନିୟମ ଶ୍ରୀଗୁଣ୍ଡିଚା ମନ୍ଦିର ଚାରି ପାଶ୍ୱର୍ରେ ଥିବା କୋଠାଘର ପାଇଁ ମଧ୍ୟ ଲାଗୁ କରାଯିବ  । ଏହାର ଚାରି ପାଶ୍ୱର୍ରେ ଥିବା ଅଟ୍ଟାଳିକାମାନଙ୍କର ଉଚ୍ଚତା ନିରୂପଣ କରାଯିବ  । ଫଳରେ ଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ  । ଅନ୍ୟ ପକ୍ଷରେ ଶ୍ରୀମନ୍ଦିର ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ବୈଠକରେ ବିଶେଷ ଆଲୋକପାତ ହୋଇଥିଲା  । ଧାଡି ଦର୍ଶନ ପାଇଁ ହୁଣ୍ଡିର ସ୍ଥାନାନ୍ତର ହେବାର ଆବଶ୍ୟକତା ରହିଛି  ।  ଏନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି  । ଅନ୍ୟ ପକ୍ଷରେ ଶ୍ରୀମନ୍ଦିରର ଭୂସମ୍ପତ୍ତିର ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବ  । ସେହି ଜମିରୁ ରାଜସ୍ୱ ଆଦାୟ କରି ଶ୍ରୀମନ୍ଦିର ପାଣ୍ଠି ବୃଦ୍ଧି ପାଇଁ ଚେଷ୍ଟା କରାଯିବ  । ଯେପର୍ଯ୍ୟନ୍ତ ନୂତନ ପରିଚାଳନା କମିଟି ଗଠନ ହୋଇନାହିଁ, ସେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସମସ୍ତ ପ୍ରକାର କାର୍ଯ୍ୟ ସମ୍ପାଦନ ପାଇଁ ଅଧିଗୃହିତ କରାଯାଇଛି ବୋଲି ସୂଚନା ମିଳିଛି  । ବୈଠକରେ ଗଜପତି ମହାରାଜ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ,ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ,ସୁରକ୍ଷା ଅଧିକାରୀ ହେମନ୍ତ କୁମାର ପାଢ଼ୀ,ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ,ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ  ।