ଅଇରି ନଦୀରେ ବ୍ରିଜ ନିର୍ମାଣ ଦାବି
ନୂଆପଡ଼ା : କୌଣସି ଅଞ୍ଚଳର ବିକାଶ ପାଇଁ ଗମନାଗମନରେ ଉନ୍ନତି ଆବଶ୍ୟକ । ରାସ୍ତା ନଥିଲେ ଲୋକେ ମୌଳିକ ସୁବିଧା ସୁଯୋଗ ପାଇ ପାରନ୍ତି ନାହିଁ । ବିଶେଷ କରି ନଦୀ କୁଳିଆ ଲୋକଙ୍କ ପାଇଁ ଏସବୁ ଅସୁବିଧା ବହୁତ ଦେଖାଯାଏ । ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଅରେଡା ଗ୍ରାମ ପଞ୍ଚାୟତର ବଡ଼ମୁଲା ଗ୍ରାମ । ଏହି ଗାଁ ପାଖରେ ବହି ଯାଉଛି ଅଇରି ନଦୀ । ନଦୀରେ କିନ୍ତୁ ବ୍ରିଜ ନଥିବାରୁ ଲୋକେ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି । ଏହି ନଦୀ ଦେଇ ଗ୍ରାମବାସୀ ଖଡ଼ିଆଳ ଓ ନୂଆପଡାକୁ ଯାଆନ୍ତି । ବିଶେଷ କରି ଖଡ଼ିଆଳ ଠାରେ ବ୍ଲକ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ କେନ୍ଦ୍ର, କଲେଜ ସମେତ ବିଭିନ୍ନ ଅଫିସ ଥିବାରୁ ଲୋକେ ଖଡ଼ିଆଳ ଆସିଥାନ୍ତି । ନଦୀ ଦେଇ ଗଲେ ଖଡ଼ିଆଳ ଦଶ କିଲୋମିଟର ପଡିଥାଏ କିନ୍ତୁ ବର୍ଷା ଦିନରେ ନଦୀ ଦେଇ ଯିବା ସମ୍ଭବ ହୁଏ ନାହିଁ । ଲୋକେ ବାଧ୍ୟ ହୋଇ କୋଡିଏ କିଲୋମିଟର ବୁଲାଣି ଦେଇ କି ଯିବାକୁ ପଡେ । ନଦୀ ଆର ପାର୍ଶ୍ୱରେ ବିଲ ସବୁ ଥିବାରୁ ପାଣି ଭିତରେ କୃଷକମାନେ ଯିବାଆସିବା କରନ୍ତି କିନ୍ତୁ ପାଣି ବଢିଗଲେ ଆଉ ଯିବା ସମ୍ଭବ ନୁହେଁ, ତେଣୁ ବୁଲାଣି ଦେଇ ଆସିବାକୁ ପଡେ । ଅନେକ ଦିନରୁ ବ୍ରିଜ ନିର୍ମାଣ ପାଇଁ ଦାବି ହୋଇ ଆସୁଛି, କିନ୍ତୁ ପ୍ରଶାସନ ଶୁଣୁ ନଥିବା ଅଭିଯୋଗ ହେଉଛି । ଆଗାମୀ ଦିନରେ ପୋଲ ନିର୍ମାଣ ନ ହେଲେ ଆନେ୍ଦାଳନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଖାଲି ବଡ଼ମୁଲା ଲୋକେ ନୁହନ୍ତି, ଏହି ନଦୀ ଦେଇ ବଲାଙ୍ଗୀର ଜିଲ୍ଲା ଭାଲୁମଣ୍ଡା ଅଞ୍ଚଳର ଅନେକ ଗ୍ରାମବାସୀ ଖଡ଼ିଆଳ ଯାଇଥାନ୍ତି । ଏଠାରେ ବ୍ରିଜ ନିର୍ମାଣ ହେଲେ କୋଡିଏରୁ ଅଧିକ ଗ୍ରାମ ଲୋକେ ସହଜରେ ଓ କମ ସମୟରେ ଖଡ଼ିଆଳ ଯାଇ ପାରନ୍ତେ । ଏ ନେଇ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ପଚାରିବାରୁ ସେଠାରୁ ଦୁଇ କିଲୋମିଟର ମଧ୍ୟରେ ଏକ ବ୍ରିଜ ଥିବାରୁ ବର୍ତ୍ତମାନ ସେଠାରେ ପୋଲ ନିର୍ମାଣ ପାଇଁ କୌଣସି ଯୋଜନା ନାହିଁ । ଦରକାର ପଡ଼ିଲେ ପରେ ପ୍ରସ୍ତାବ ଦିଆଯିବ ବୋଲି କହିଥିଲେ ।