ଶରଧାବାଲିରେ ତିନି ରଥ : ଆଜି ଆଡ଼ପମଣ୍ଡପ ବିଜେ

ଶରଧାବାଲିରେ ତିନି ରଥ : ଆଜି ଆଡ଼ପମଣ୍ଡପ ବିଜେ

ପୁରୀରୁ ବିଶ୍ୱଜିତ୍ ମିଶ୍ର :  ରଥଯାତ୍ରାର ଦ୍ୱିତୀୟ ଦିବସରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚôଛନ୍ତି ରଥାରୂଢ ଚତୂର୍ଦ୍ଧାମୂର୍ତ୍ତି  । ଏବେ ଶରଧାବାଲିରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଜଗତର ନାଥ ଶ୍ରୀଜଗନ୍ନାଥ । ଭକ୍ତମାନଙ୍କ ସମାଗମରେ ଲୋକାରଣ୍ୟ ହୋଇଉଠିଛି ଶରଧାବାଲି । ଶ୍ରଦ୍ଧାର ସହ ଭକ୍ତମାନଙ୍କୁ ସ୍ୱାଗତ କରୁଛି ଶ୍ରୀଗୁଣ୍ଡିଚା ମନ୍ଦିର । 
ରବିବାର ଦିନ ଠାକୁରମାନେ ପହଣ୍ଡି ହୋଇ ଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପରେ ଅବସ୍ଥାନ କରିବେ । ରଥଯାତ୍ରା ଦିନ ରଥଟଣାରେ ବିଳମ୍ବ ଯୋଗୁଁ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଯଥାକ୍ରମେ ବଳଗଣ୍ଡି ଓ ବଗଲା ଧର୍ମଶାଳା ନିକଟରେ ଅଟକି ରହିଥିବା ବେଳେ ରାତ୍ର ହୋଇଯିବାରୁ କେବଳ ବିଧି ରକ୍ଷା ପାଇଁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଫ୍ଲଡ଼ ଲାଇଟ୍ରେ ଅଳ୍ପ କିଛି ବାଟ ଟଣାଯାଇଥିଲା । ଶନିବାର ସକାଳେ ରଥ ଉପରେ ପ୍ରାତ୍ୟହିକ ନୀତି ସଂପାଦନ ପରେ ଆରମ୍ଭ ହୋଇଥିଲା ରଥଟଣା । ଶୁକ୍ରବାର ରାତିରେ ଠାକୁରମାନଙ୍କର ପହୁଡ଼ ହୋଇନଥିଲା । ଶନିବାର ସକାଳ ୭ଟା ୧୦ମିନିଟ୍ରୁ ୮ଟା ୪୫ମିନିଟ୍ ମଧ୍ୟରେ ତିନି ରଥରେ ମଙ୍ଗଳଆଳତି କରାଯାଇଥିଲା । ୭ଟା ୨୦ରୁ ୮ଟା ୫୦ମିନିଟ୍ ମଧ୍ୟରେ ମଇଲମ, ୭ଟା ୨୫ମିନିଟ୍ରୁ ୮ଟା ୫୫ମିନିଟ୍ ମଧ୍ୟରେ ତଡ଼ପଲାଗି, ୭ଟା ୩୫ମିନିଟ୍ରୁ ୯ଟା ୧୦ମିନିଟ୍ ମଧ୍ୟରେ ଅବକାଶ ପୂଜା ଶେଷ ହୋଇଥିଲା । ୮ଟାରୁ ୯ଟା ୨୦ମିନିଟ୍ ମଧ୍ୟରେ ମଇଲମ, ୮ଟା ରୁ ୯ଟା ୨୫ମିନିଟ୍ ମଧ୍ୟରେ ବେଶ ଶେଷ ହୋଇ ୯ଟା ୩୦ମିନିଟ୍ରେ ରଥଟଣା ଆରମ୍ଭ ହୋଇଥିଲା ।  ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇ ଶରଧାବାଲିକୁ ନିଆଯାଇଥିଲା ।

୧ଟା ୫ମିନିଟ୍ ସୁଦ୍ଧା ତିନି ରଥ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା ।  ରଥଟଣା ଶେଷ ହେବା ପରେ ୩ଟା ୫୫ମିନିଟ୍ରୁ ୪ଟା ୩୫ମିନିଟ୍ ମଧ୍ୟରେ ତିନି ରଥ ଉପରେ ଗୋପାଳବଲ୍ଲଭ ପୂଜା କରାଯାଇଥିଲା । ରଥଯାତ୍ରା ଦିନ ଭଳି ଶନିବାର ଦିନ ମଧ୍ୟ ଲୋକାରଣ୍ୟ ହୋଇଉଠିଥିଲା ଶ୍ରୀମନ୍ଦିର ସିଂହଦ୍ୱାର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିସ୍ତୃତ ବିଶାଳ ବଡ଼ଦାଣ୍ଡ  । ହଜାର ହଜାର ଭକ୍ତ ନରନାରୀ ପରମଆଗ୍ରହ ଓ ଆହ୍ଲାଦର ସହ ରଥାରୂଢ ଠାକୁରମାନଙ୍କୁ ଆଖି ପୁରାଇ ଦର୍ଶନ କରିବା ସଂଗେସଂଗେ ରଥ ଟାଣିଥିଲେ । ଭକ୍ତମାନଙ୍କ ହର୍ଷ ଧ୍ୱନି, ସଂକୀର୍ତ୍ତନ ଓ ହରିବୋଲ ହୁଳହୁଳି ଧ୍ୱନିରେ ରଥ ଟଣା ବେଳେ ପ୍ରକମ୍ପିତ ହୋଇଉଠିଥିଲା ରଥ ଦାଣ୍ଡ । ବଡ଼ଦାଣ୍ଡ ବସ୍ତୁତଃ ଜନସମୁଦ୍ରରେ ପରିଣତ ହୋଇଥିଲା । ଏପରିକି ରଥ ନିକଟରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନୁକୂଳ ପାଗ ଯୋଗୁଁ ଭକ୍ତମାନେ ସୁବିଧାରେ ରଥ ଟାଣିଥିଲେ । ତିନି ରଥ ପୁଷ୍ପ ସଜ୍ଜିତ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚôବା ପରେ ଶରଧାବାଲି ହୋଇଉଠିଛି ଭକ୍ତମାନଙ୍କ ଦ୍ୱାରା ଭରପୁର । ରଥ ଚାରିପଟେ ଲାଗି ରହିଛି ଭକ୍ତଙ୍କ ଭିଡ଼ । ଭକ୍ତମାନେ ଧୂପ,ଦୀପ,ନୈବେଦ୍ୟ ଅର୍ପଣ କରିବା ସହ ବଡ଼ଦାଣ୍ଡରୁ ଠାକୁରମାନଙ୍କୁ ପ୍ରଣିପାତ କରିବାର ଦୃଶ୍ୟ ଭାବବିହ୍ୱଳ ପରିବେଶ ସୃଷ୍ଟି କରୁଛି । ଆଶୁ ଚିକିସôା କେନ୍ଦ୍ରରେ ଡାକ୍ତରମାନେ ସେବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଭାରତୀୟ ଜନତାପାର୍ଟି ପକ୍ଷରୁ ଲୋକମାନଙ୍କ ସେବା ପାଇଁ ଷ୍ଟଲ କରାଯାଇଛି । ଲୋକସଂପର୍କ ବିଭାଗ ପକ୍ଷରୁ ହଜିଯାଇଥିବା ବ୍ୟକ୍ତିମାନଙ୍କୁ ଡ଼ାକବାଜି ଯନ୍ତ୍ର ଯୋଗେ ଖୋଜିବାର ବବସ୍ଥା କରାଯାଇଛି । ଧାଡ଼ିକୁ ଧାଡ଼ି ଲାଗି ବସିଛନ୍ତି ଖଜା ଦୋକାନୀ । ଅକ୍ଷର ଯୋଗକେନ୍ଦ୍ର ପକ୍ଷରୁ ଖାଦ୍ୟ ଓ ପାଣି ବଣ୍ଟନ କରାଯାଉଛି । ଭକ୍ତମାନଙ୍କ ସମାଗମରେ ଶରଧାବାଲିରେ ସୃଷ୍ଟି ହୋଇଛି ବର୍ଣ୍ଣାଢ୍ୟ ତଥା ଭକ୍ତିପୂତ ପରିବେଶ ।