ଗୃହ ବିଭାଗର ଶ୍ୱେତପତ୍ର-୨୦୨୩ ଉପସ୍ଥାପିତ

ଗୃହ ବିଭାଗର ଶ୍ୱେତପତ୍ର-୨୦୨୩ ଉପସ୍ଥାପିତ

ଭୁବନେଶ୍ୱର:  ସାଇବର ଅପରାଧ ଓ ଠକେଇ ମାମଲା ରୋକିବା ତଥା ପ୍ରଭାବିତଙ୍କୁ ନ୍ୟାୟ ଦେବାରେ ଓଡ଼ିଶା ପୁଲିସ ଫେଲ୍ ମାରିଛି । ସାଇବର ଲୁଟେରାମାନେ ରାଜ୍ୟବାସୀଙ୍କ କଷ୍ଟ ଅର୍ଜିତ ଧନକୁ ଲୁଟିବାରେ ଲାଗିଥିଲେ ମଧ୍ୟ ଓଡ଼ିଶା ପୁଲିସ ବିଗତ ୩ବର୍ଷ ମଧ୍ୟରେ ସେଥିରୁ ମାତ୍ର ୨% ଅର୍ଥକୁ ଫେରସ୍ତ ଆଣିପାରିଛି। ୨୦୨୨ ମସିହାରେ ରାଜ୍ୟରେ ସାଇବର ଅପରାଧ ମାମଲା ୧୯୮୩ଟି ପଞିକୃତ ହୋଇଥିବାବେଳେ ୨୦୨୩ରେ ଏହା ୨୩୪୮କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ୨୦୨୩ ମସିହାରେ ମୋଟ ୧ଲକ୍ଷ ୯୯ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଥିବାବେଳେ ସେଥିରେ ୧୩୬୨ଟି ହତ୍ୟା, ୨୮୨୭ଟି ଦୁଷ୍କର୍ମ, ୩୭୦ଟି ଡକାୟତି, ୨୯୬୧ଟି ଲୁଣ୍ଠନ, ୧୬୮୫୧ଟି ଚୋରି, ୧୬୫୫ଟି ଦଙ୍ଗା ଓ ୬୧୯୬ଟି ପ୍ରତାରଣା ମାମଲା ରୁଜୁ ହୋଇଛି । ତେବେ ୨୦୨୨ ତୁଳନାରେ ୨୦୨୩ ମସିହାରେ ମୋଟ ୨୧୭୬୪ଟି ଅଧିକ ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଛି ବୋଲି  ବିଧାନସଭାରେ ଉପସ୍ଥାପିତ ଗୃହ ବିଭାଗର ଶ୍ୱେତପତ୍ର-୨୦୨୩ରୁ ଜଣାପଡ଼ିଛି ।

ଶ୍ୱେତପତ୍ର ଅନୁସାରେ, ୨୦୨୩ ମସିହାରେ ମୋଟ ୨୩୪୮ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି । ସେଥିରୁ ୨୯୧ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଥିବାବେଳେ ୧୮୭୭ଟି ମାମଲା ଏବେ ତଦନ୍ତାଧୀନ ରହିଛି । ୮୧୦ଜଣ ଅପରାଧୀଙ୍କ ମଧ୍ୟରୁ ୫୨୨ଜଣଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି । ମୋଟ ୨୩୪୮ଟି ସାଇବର ଅପରାଧ ମଧ୍ୟରୁ ୧୩୬୨ଟି ଆର୍ଥିକ ଠକେଇ ମାମଲା ପଞ୍ଜିକୃତ ହୋଇଛି ।  ୪୭.୭୫କୋଟି ଟଙ୍କା ସାଇବର ଠକେଇ ରାଶି ମଧ୍ୟରୁ ମାତ୍ର ୧.୫୨କୋଟି ଟଙ୍କା ଫେରସ୍ତ ଅଣାଯାଇପାରିଛି ଓ  ୨.୨୭କୋଟି ଟଙ୍କା ରାଶିକୁ ସ୍ଥଗିତ ରଖିବାରେ ପୁଲିସ ସଫଳ ହୋଇଛି ।

ତେବେ ୨୦୨୧ରୁ ୨୦୨୩ ମସିହା ମଧ୍ୟରେ ରାଜ୍ୟରେ ମୋଟ ୬୩୬୮ଟି ସାଇବର ଠକେଇ ମାମଲା ପଞ୍ଜିକୃତ ହୋଇଥିବାବେଳେ ସେଥିରୁ ୩୭୧୪ଟି ଆର୍ଥିକ ଠକେଇ ମାମଲାରେ ୧୨୨.୭୬କୋଟି ଟଙ୍କା ସାଇବର ଠକ ଲୁଟି ନେଇଛନ୍ତି । ଆଉ ଏଥିରୁ ମାତ୍ର ୨.୫୬କୋଟି ଟଙ୍କା ଫେରସ୍ତ ଆଣିବା ଓ ୩.୨୫କୋଟି ଟଙ୍କା ସ୍ଥଗିତ ରଖିବାରେ ଓଡ଼ିଶା ପୁଲିସ ସକ୍ଷମ ହୋଇପାରିଛି । ୩ବର୍ଷ ମଧ୍ୟରେ ୧୨୨.୭୬କୋଟି ଟଙ୍କା ସାଇବର ଠକେଇରେ ପୁଲିସ ମାତ୍ର ପ୍ରାୟ ୫.୮୧କୋଟି ଟଙ୍କାକୁ ସୁରକ୍ଷା ଦେଇପାରିଥିବା ଶ୍ୱେତପତ୍ରରୁ ଜଣାପଡ଼ିଛି । ୨୦୨୨ରେ ରାଜ୍ୟରେ ମୋଟ ୧୯୮୩ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଥିଲା । ଯଦିଓ ରାଜ୍ୟରେ ସାଇବର ଓ ଅର୍ଥନୀତିକ ଅପରାଧ ମକଦ୍ଦମାଗୁଡ଼ିକର ସଫଳ ତଦନ୍ତ ପାଇଁ ୧୪ଟି ସାଇବର ଓ ଅର୍ଥନୀତିକ ଅପରାଧ ଥାନା କାର୍ୟ୍ୟ କରୁଛି । ସାଇବର ଅପରାଧ ସହାୟତା କେନ୍ଦ୍ର ତଥା କଲ ସେଂଟର ୨୦୨୧ ମେ’ରୁ କାର୍ୟ୍ୟ କରୁଛି । ଟୋଲଫ୍ରି ନମ୍ବର ‘୧୯୩୦’କୁ କଲ୍ କରି ସହାୟତା ଯୋଗାଇ ଦିଆଯାଉଛି । ମାତ୍ର ୨୦୨୩ ମସିହା ମଧ୍ୟରେ ଏହି କଲ ସେଂଟକୁ ମୋଟ ୭୧୫୦୮ଟି କଲ୍ ଆସିଥିବାବେଳେ ସେଥିରୁ ମାତ୍ର ୩୧.୩ ପ୍ରତିଶତ କଲ୍ ସମ୍ପର୍କରେ ପୁଲିସ ପକ୍ଷରୁ ଉତ୍ତର ଦିଆଯାଇଥିବା ଜଣାପଡ଼ିଛି । କେବଳ ସେତିକି ନୁହେଁ ଏହି କଲ୍ ସେଂଟର ଖୋଲିବା ଦିନଠୁ ବିଗତ ୩ବଷ ମଧ୍ୟରେ ମୋଟ ୩.୨୨ଲକ୍ଷ କଲ୍ ଆସିଥିବାବେଳେ ସେଥିରୁ ୫୩.୫୦% କଲ୍ ଉତ୍ତର ଦିଆଯାଇଛି । ୧.୪୯ଲକ୍ଷ କଲ୍ ଉତ୍ତର ଦିଆଯାଇପାରିନାର୍ହି ।