କାହିଁକି ବିଜେଡ଼ି ଛାଡ଼ିଲେ ପ୍ରକାଶ ?
prakash behera_biju janata dal

ଭୁବନେଶ୍ୱର : କଂଗ୍ରେସରୁ ବିଜେପି, ପରେ ବିଜେଡ଼ି ହୋଇଥିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ପ୍ରତି ନିର୍ବାଚନରେ ଦଳ ବଦଳାଇବା ତାଙ୍କର ଅଭ୍ୟାସ ପାଲଟି ଯାଇଥିଲା । ତଥାପିବି ତାଙ୍କୁ ଦଳରେ ମିଶାଇ ଟିକେଟ ଦିଆଯାଇଥିଲା । ସାଲେପୁରରେ ସଂଗଠନ କରୁଥିବା ପ୍ରକାଶଙ୍କୁ କଟକ ବାରବାଟୀରୁ ବିଜେଡ଼ି ମାମଲତକାରମାନେ ଟିକେଟ ଦେଇଥିଲେ । ଫଳ ଯାହାହେଲା ସମସ୍ତେ ଜାଣନ୍ତି । ବିଜେଡ଼ି ତିନି ନମ୍ବରକୁ ଠେଲି ହୋଇଯାଇଥିଲା ।
ଏବେ ପ୍ରକାଶ ବିଜେଡ଼ିକୁ ବାଏବାଏ କରିଦେଇଛନ୍ତି । କଟକ ବିଜେଡ଼ି ରାଜନୀତିରେ ଫାଟ ଯୋଗୁଁ ପ୍ରକାଶ ଦଳ ଛାଡ଼ିଥିବା ଜଣାପଡ଼ିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଗତ ନିର୍ବାଚନରେ କଟକ ବାରବାଟୀରୁ ସେ ପ୍ରାର୍ଥୀ ହୋଇଥିଲେ । ନିଜ ଇସ୍ତଫା ପତ୍ରରେ ପ୍ରକାଶ କହିଛନ୍ତି ଯେ, ମୁଁ ରାଷ୍ଟ୍ରୀୟ ଚିନ୍ତାଧାରାରେ ବିଶ୍ୱାସ ରଖେ । ଜନସାଧାରଣଙ୍କ ସମସ୍ୟା, ବିକାଶ ଓ ସଂଗଠନ ସହ ଜଡିତ ରହିଛି । ଏଣୁ ମୁଁ ଏଭଳି ନିଷ୍ପତ୍ତି ନେବାକୁ ଉଚିତ୍ ମଣିଲି । ଟାଙ୍ଗୀ-ସାଲେପୁର ଲୋକଙ୍କ ସହ ୨୫ ବର୍ଷ ହେଲା ଯୋଡିହୋଇ ରହିଛି । ଆଗାମୀ ଦିନରେ ମଧ୍ୟ ସେମାନଙ୍କ ଋଣ ଶୁଝିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି ।
ପ୍ରକାଶ ବାରବାଟୀ କଟକରୁ ଲଢୁଥିଲେବି ଅସଲ ସଂଗଠନ ଦେବାଶିଷ ସାମନ୍ତରାୟଙ୍କ ହାତରେ ରହିଛି । ନିର୍ବାଚନ ବେଳେ ବିଧାୟକ ପ୍ରାର୍ଥୀ ଭାବେ ବିଜେଡ଼ି ନେତାମାନେ ତାଙ୍କୁ ସହଯୋଗ କରୁଥିଲେ । କିନ୍ତୁ ଏବେ ତାଙ୍କୁ କେହି ସମ୍ମାନ ଦେଉନାହାନ୍ତି କି ପଚାରୁନାହାନ୍ତି । ସେହିପରି ସାଲେପୁରରେ ତାଙ୍କର ସଂଗଠନ ଥିବାବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ହିଁ ବିଧାୟକ ହୋଇଛନ୍ତି । ଆଗାମୀ ଦିନରେ ନିଜ ନିର୍ବାଚନମଣ୍ଡଳୀରେ ସାଂଗଠନିକ ଶକ୍ତି ବଢ଼ାଇବାକୁ ପ୍ରକାଶ ଏଭଳି ନିଷ୍ପତ୍ତି ନେଇଛନ୍ତି ।
କଟକ ବିଜେଡ଼ିରେ ଏବେ ଫାଟ ପଦାରେ ପଡ଼ିବାରେ ଲାଗିଛି । ଦେବାଶିଷ ସାମନ୍ତରାୟଙ୍କ ସହ ମେୟର ସୁବାସ ସିଂଙ୍କର ଭଲ ସମ୍ପର୍କ ନାହିଁ । ସେପଟେ ସଭ୍ୟ ସଂଗ୍ରହ ଅଭିଯାନ ବେଳେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ନାଁନେଇ ପ୍ରତ୍ୟାଖ୍ୟାତ ନେତାଙ୍କ ବିରୋଧରେ ବିଷୋଦଗାର କରିଛନ୍ତି । ତାଙ୍କୁ ହରାଇବା ପାଇଁ ବିଜେଡ଼ି ନେତା କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କହିବାକୁ ପଛାଇନାହାନ୍ତି । କଟକରେ ଏବେ ବିଜେପିର ସଂଗଠନ ବଢୁଥିବାବେଳେ ବିଜେଡ଼ିର ଗୋଷ୍ଠୀକନ୍ଦଳ ପାଇଁ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିବ ।