କାହିଁକି ଏକାଠି ହେଲେ ବିଜେଡ଼ିର ସପ୍ତରଥି
Biju Janata Dal, Naveen Patnaik

ଭୁବନେଶ୍ୱର : ଆଗରୁ ବିଜେଡ଼ି ନେତାମାନେ ପୂରା ଟାଇଟ୍ ଥିଲେ । ଫୋନ୍ କଲ କରିବାକୁ ବି ଡର ଲାଗୁଥିଲା । କେତେକ ଛେରୁଆ ନେତା ହ୍ୱାଟସଆପ୍ କଲ କରିବାକୁ ବି ଡରୁଥିଲେ । ଦଳରେ ବି ଲାଗିଥିଲା ୧୪୪ ଧାରା । ଯେଉଁଥିପାଇଁ ଏକାଧିକ ନେତା ଏକାଠି ହେବାକୁ ବି ପଛଘୁଞ୍ଚା ଦେଉଥିଲେ । କିନ୍ତୁ ଚବିଶ ନିର୍ବାଚନ ପରେ ବିଜେଡ଼ିରେ ଏହି କର୍ଫ୍ୟୁ ଉଠିଯାଇଛି । ରାଜନୀତିକ ଭବିଷ୍ୟତ ସଜାଡ଼ିବାକୁ ନେତାମାନେ ଏକାଠି ହେବା ଆରମ୍ଭ କଲେଣି । ବରିଷ୍ଠ ନେତାମାନେ ସିଧାସଳଖ ପାଣ୍ଡିଆନ୍ଙ୍କୁ ଟାର୍ଗେଟ୍ କରୁଥିବାବେଳେ କନିଷ୍ଠ ନେତାମାନେ ଆଗାମୀ ଦିନ ପାଇଁ ରଣନୀତି କରୁଥିବା ଦେଖିବାକୁ ମିଳୁଛି ।
ନିକଟରେ ବିଜେଡ଼ିର ସାତ ଯୁବ ନେତା ଏକ ରେଷ୍ଟୁରାଣ୍ଟରେ ଏକାଠି ହୋଇଥିଲେ । ସାମାଜିକ ଗଣମାଧ୍ୟମରେ ଏହି ଫଟୋ ଭାଇରାଲ୍ ହେଉଥିବାବେଳେ ତାହାକୁ ନେଇ ରୋଚକ ଚର୍ଚ୍ଚା ବି ହେଉଛି । ସମସ୍ତଙ୍କ ମଧ୍ୟରେ ସାମଞ୍ଜସ୍ୟ ଓ ସମାନତା ବି ରହିଛି । ୨୦୨୪ ନିର୍ବାଚନରେ ସାତ ନେତାଙ୍କ ନିଶ୍ଚିତ ବିଜୟ ଆଶା ଧୂଳିସାତ୍ ହୋଇଯାଇଥିବାବେଳେ ସେମାନଙ୍କ ବାପା ମଧ୍ୟ ଏକୁଆରକେ ବଳି ନେତା ଥିଲେ । ଅର୍ଥାତ୍ ବାପାଙ୍କ ଲିଗାସୀକୁ ସେମାନେ ଆଗକୁ ନେଉଥିବାବେଳେ ଚବିଶରେ କିନ୍ତୁ ଝୁଣ୍ଟିପଡ଼ିଛନ୍ତି । ଏହି ୭ ନେତା ମଧ୍ୟରେ ଅଛନ୍ତି କାଳନ୍ଦୀ ବେହେରାଙ୍କ ପୁଅ ଚନ୍ଦ୍ରସାରଥି ବେହେରା । ସାଲେପୁର ଓ କଟକ ସଦରରୁ ବହୁବାର ବିଧାୟକ ହୋଇଥିବାବେଳେ ନବୀନ ସରକାରରେ ମନ୍ତ୍ରୀ ବି ଥିଲେ । ଏଥର କିନ୍ତୁ ସେ ଚିଟପତାଙ୍ଗ ଦେଇଛନ୍ତି ।
ପିପିଲିର ଟାଣୁଆ ନେତା ଦିବଂଗତ ପ୍ରଦୀପ ମହାରଥିଙ୍କ ପୁଅ ହେଉଛନ୍ତି ରୁଦ୍ର ପ୍ରତାପ ମହାରଥି । ଉପନିର୍ବାଚନରେ ସିନା ଜିତିଥିଲେ । ହେଲେ ଏଥର ପିପିଲିବାସୀ ଆଶ୍ରିତଙ୍କ ଉପରେ ଆଶୀର୍ବାଦ ଅଜାଡ଼ି ଦେଇଛନ୍ତି । ସେହିପରି ବିଷ୍ଣୁବ୍ରତ ରାଉତରାୟ ହେଉଛନ୍ତି ନୀଳମଣି ରାଉତରାୟଙ୍କ ନାତି ଓ ବିଜୟଶ୍ରୀ ରାଉତରାୟଙ୍କ ପୁଅ । ଚାରି ଦଶନ୍ଧିରୁ ଉଦ୍ଧ୍ୱର୍ ଦିନ ଧରି ତାଙ୍କ ପରିବାର ହାତରେ ବାସୁଦେବପୁର ନିର୍ବାଚନମଣ୍ଡଳୀ ରହିଥିଲା । କିନ୍ତୁ ଏଥର ସେଠାରେ କଂଗ୍ରେସ ବାଜିମାତ୍ କରିଛି । ଦାମୋଦର ରାଉତଙ୍କ ପୁଅ ହେଉଛନ୍ତି ସମ୍ବିତ ରାଉତରାୟ । ୨୦୧୯ରେ ବାପା ବିଜେପିରୁ ଲଢ଼ିଥିଲେବି ସେ ବିଜେଡ଼ି ଟିକେଟରେ ପ୍ରଥମ ଥର ବିଧାୟକ ହୋଇଥିଲେ । ପାରାଦୀପ ଥିଲା ଦାମଙ୍କ ଗଡ଼ । କିନ୍ତୁ ଦାମଙ୍କ ପରଲୋକ ପରେ ସମ୍ବିତଙ୍କ ହାତରୁ ପାରାଦୀପ ଖସିଯାଇଛି ।
କେନ୍ଦ୍ରାପଡ଼ାର ଅନ୍ୟତମ ଟାଣୁଆ ନେତା ନଳିନୀ ମହାନ୍ତିଙ୍କ ପୁଅ ହେଉଛନ୍ତି ଅଂଶୁମାନ ମହାନ୍ତି । କଂଗ୍ରେସରୁ ଥରେ ବିଧାୟକ ମଧ୍ୟ ହୋଇଛନ୍ତି । ଚବିଶରେ ସେ ବିଜେଡ଼ି ଟିକେଟରେ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେଇଥିଲେ । ତେବେ ତାଙ୍କର ସବୁ ଅଙ୍କ ଭୁଲ୍ ହୋଇଯାଇଥିଲା । ଏକଦା ଧର୍ମଶାଳା ଥିଲା କଳ୍ପତରୁ ଦାସଙ୍କ ଗଡ଼ । କଳ୍ପତରୁଙ୍କ ପୁଅ ପ୍ରଣବ ବଳବନ୍ତରାୟ ବାପାଙ୍କ ଲିଗାସୀକୁ ଆଗକୁ ନେଇଥିଲେ । ପ୍ରଣବ ପ୍ରକାଶ ଦାସଙ୍କ ସହ ରହି ବିଜେଡ଼ିରେ ଢେର ପତିଆରା ବି ଜାହିର କରିଥିଲେ । କିନ୍ତୁ ଏଥର ତାଙ୍କୁ ସ୍ୱାଧୀନ ପ୍ରାର୍ଥୀ ମାଟି ଚଟାଇ ଦେଇଛନ୍ତି । ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଥିଲେ ଆନନ୍ଦ ଆଚାର୍ଯ୍ୟ । ଏବେବି ପ୍ରସନ୍ନ ଆଚାର୍ଯ୍ୟ ନିଜର ଦବଦବା ଜାହିର କରିଛନ୍ତି । ଆନନ୍ଦଙ୍କ ପୁଅ ଦେବେଶଙ୍କ ଏଥର କିନ୍ତୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ।
ବାପାଙ୍କ ପରେ ପୁଅମାନେ ରାଜନୀତିରେ ଆଗକୁ ବଢ଼ିବାକୁ ଯୋଜନା କରିଥିଲେବି ଚବିଶ ସବୁ ଫସର ଫଟାଇଦେଇଛି । ବିଜେଡ଼ିରେ କନ୍ଦଳ ବଢ଼ି ଚାଲିଥିବାରୁ ଆଗକୁ ରାଜନୀତିକ ଭବିଷ୍ୟତ କ’ଣ ହେବ ସେହି ଚିନ୍ତା ଘାରିଛି । ତେବେ ଏହି ନେତାମାନଙ୍କ ସାକ୍ଷାତ ସୌଜନ୍ୟମୂଳକ ଥିଲେବି ରାଜନୀତିକ ଦୃଷ୍ଟିରୁ ଗୁରୁତ୍ୱବହନ କରେ ବୋଲି ରାଜନୀତିକ ସମୀକ୍ଷକମାନେ ମତପୋଷଣ କରନ୍ତି ।