ଅଗଷ୍ଟ ୧ରୁ ୧୪ ଯାଏଁ ବିଜେଡ଼ିର ଆନେ୍ଦାଳନ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର : ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଛାତ୍ରୀ ଓ ମହିଳା ଅସୁରକ୍ଷିତ ପ୍ରସଙ୍ଗରେ ରାଜ୍ୟବ୍ୟାପୀ ବିଜେଡ଼ି ଆନେ୍ଦାଳନ କରିବ । ଆସନ୍ତା ଅଗଷ୍ଟ ପହିଲାରୁ ୧୪ ପର୍ଯ୍ୟନ୍ତ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଆନେ୍ଦାଳନ ହେବବୋଲି ବିଧାୟକ ବ୍ୟୋମକେଶ ରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି ।
ବ୍ୟୋମକେଶ କହିଥିଲେଯେ, ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ ନାରୀ ନିର୍ଯାତନା ବଢ଼ିଚାଲିଛି । ରାଜ୍ୟରେ ଛାତ୍ରୀମାନେ ବେଳାଭୂମି ଠାରୁ ଆରମ୍ଭ କରି କଲେଜ କ୍ୟାମ୍ପସରେ ମଧ୍ୟ ସୁରକ୍ଷିତ ନାହାନ୍ତି । ବିଭିନ୍ନ ଛାତ୍ରୀ ନିବାସରେ ନାବାଳିକାମାନେ ଗର୍ଭବତୀ ହେଉଛନ୍ତି । ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ କଲେଜ ଷ୍ଟ୍ରାଇକ କରିଥିଲା । ବାଲେଶ୍ୱର ବନ୍ଦ, ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମ ସହିତ ଆରଡିସି ଅଫିସ ଘେରାଉ ହୋଇଥିଲା । ଏବେ, ଦ୍ୱିତୀୟ ପର୍ଯ୍ୟାୟରେ, ଅଗଷ୍ଟ ୧ରୁ ୭ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ କରାଯିବ । ଛାତ୍ରଛାତ୍ରୀମାନେ ତାଙ୍କ ଅଞ୍ଚଳର ଥାନା ଓ ଏସପିଙ୍କୁ ଭେଟି ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଛାତ୍ରୀ ଓ ନାରୀ ସୁରକ୍ଷା ପ୍ରଦାନ ସମ୍ବନ୍ଧରେ, ଡିଜି ପୋଲିସଙ୍କ ଉଦେ୍ଦଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବେ । ସେହିପରି, ଅଗଷ୍ଟ ୮ରୁ ୧୪ ଯାଏଁ ଛାତ୍ରଛାତ୍ରୀମାନେ ଗୃହମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟକୁ ଖୋଲା ଚିଠି ପଠାଇବେ ବୋଲି କହିଥିଲେ । ସେହିପରି ଦେବୀ ରଞ୍ଜନ ତ୍ରିପାଠୀ କହିଥିଲେଯେ, ନିକଟରେ ଘଟିଥିବା ଘଟଣାକୁ ନେଇ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଲଜ୍ଜା ଓ ନିନ୍ଦା ସାଉଁଟିଛି । ଆମେରିକା ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ବି ଓଡ଼ିଶା ନଯିବା ପାଇଁ ଟ୍ରାଭେଲ ଆଡ଼ଭାଇଜରୀ ଜାରିହୋଇଛି । ଏଫଏମ କଲେଜ ଛାତ୍ରୀ ଆତ୍ମଦାହ ଘଟଣା ଓ ବଳଙ୍ଗା ନାବାଳିକା ପୋଡି ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟ ଲଜ୍ଜ୍ୟା ବୋଲି କହିବା ସହ ବ୍ୟବସ୍ଥାଗତ ବିଫଳତାକୁ ଦାୟୀ କରିଛନ୍ତି । ରାଜ୍ୟରେ ଛାତ୍ରୀ ଓ ନାରୀମାନେ ସୁରକ୍ଷିତ ନହେବା ପର୍ଯ୍ୟନ୍ତ ବିଜେଡ଼ି ଆନେ୍ଦାଳନ ଜାରି ରଖିବ ବୋଲି ସେ କହିଥିଲେ ।