ସବୁ ମଣ୍ଡିରେ ଚାଲିଛି ଧାନ କିଣା : ଜଗିଛନ୍ତି ୩୮୯୩ ନୋଡ଼ାଲ୍ ଅଧିକାରୀ
ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ରାଜ୍ୟରେ ସରକାରୀସ୍ତରରେ ଧାନ କିଣା ପ୍ରକ୍ରିୟା ଯାରି ରହିଛି । ଧାନ କିଣା ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ମଣ୍ଡି ଉପରେ କଡ଼ା ନଜର ରଖିବାକୁ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଉଦେ୍ଦଶ୍ୟରେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କୌଣସି ଯୋଗ୍ୟ ଚାଷୀ ଧାନ କିଣା ବେଳେ ସମସ୍ୟାର ସମ୍ମୁଖୀନ ନହୁଅନ୍ତି ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି । ମଣ୍ଡିରେ ଚାଷୀମାନଙ୍କ ନିମନ୍ତେ ସୁବିଧା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାର ୩୯୦୩ ମଣ୍ଡି ପାଇଁ ୩୮୯୩ ଜଣ ନୋଡାଲ ଅଧିକାରୀ ନିଯୁକ୍ତ ହୋଇ ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ନଜର ରଖିଛନ୍ତି । ଚାଷୀମାନଙ୍କ ସହାୟତା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀମାନେ ନିଯୁକ୍ତ ହେବା ସହ ଦୁଇରୁ ତିନୋଟି ମଣ୍ଡି ଦାୟିତ୍ୱରେ ଜଣେ ସୁପରଭାଇଜରଙ୍କୁ ନିଯୁକ୍ତ ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ୧୦୩୧ ଜଣ ସୁପରଭାଇଜରଙ୍କୁ ଆବଶ୍ୟକତା ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତ କରାଯାଇଛି । ଏହି ଅଧିକାରୀମାନେ ମଣ୍ଡିକୁ ଆସୁଥିବା ପ୍ରତ୍ୟେକ ଚାଷୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି ଚାଷୀମାନେ ସେମାନଙ୍କ ଅଭିଯୋଗ ପ୍ରତ୍ୟେକ୍ଷ ଭାବେ ଜଣାଇବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ରାଜ୍ୟର ପଞ୍ଜିକୃତ ଚାଷୀମାନଙ୍କ ଠାରୁ ଧାନ କିଣା ଯିବା ସହ କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟତା ମୂଲ୍ୟ ବାବଦକୁ ୨୩ଶହ ଟଙ୍କା ଓ ଇନ୍ପୁଟ୍ ସହାୟତା ରାଶି ଭାବେ ୮ଶହ ଟଙ୍କା ପ୍ରଦାନ କରାଯାଉଛି ।