ଏବର୍ଷ ପୂରଣ ହେବ ସବୁ ଶିକ୍ଷକ ପଦବୀ
Biju Janata Dal

ଭୁବନେଶ୍ୱର : ବିଜେଡ଼ି ସରକାର ଅମଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ଯାଇଥିଲା । ଆମ ସରକାର ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ଯୋଜନା କରିଛି । ଚଳିତ ବର୍ଷ ୫ ଶହ ସ୍କୁଲ ଆଦର୍ଶ ବିଦ୍ୟାଳୟ ହେବ । ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ଏହା କରାଯିବ । ମାଧୋସିଂ ହାତଖର୍ଚ୍ଚ ବାବଦରେ ଏସଟି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫ ହଜାର ଟଙ୍କାର ସହାୟତା ଦିଆଯିବ । ଖୁବଶୀଘ୍ର ରାଜ୍ୟ ସରକାର ୨୦ ହଜାର ଶିକ୍ଷକ ପଦବୀ ପୂରଣ କରିବେ । ଏବର୍ଷ ଖାଲିଥିବା ସବୁ ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ବିଶ୍ୱସ୍ତରୀୟ ଶିକ୍ଷା ଓ ସ୍ୱାସ୍ଥ୍ୟ ନାଁରେ ପ୍ରହସନ ଚାଲିଥିଲା । ଫାଇଭ ଟି’ର ସବୁ ହିସାବ ନିକାଶ କରାଯିବ । ଏବର୍ଷ ସବୁ ଶିକ୍ଷକ ପଦବୀ ପୂରଣ କରାଯିବ । ପରିବର୍ତ୍ତନ, ବିକାଶ, ସୁଶାସନ ଓ ଅସ୍ମିତା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି । ଜନମତ ଆଧାରରେ ବିକାଶ ଓ ଯୋଜନାର ରୂପରେଖ ପ୍ରସ୍ତୁତ କରାଯାଉଛି । ବଳକା ବଜେଟର ଡିଣ୍ଡିମ ପିଟୁଥିବା ପୂର୍ବ ସରକାରଙ୍କ ଅମଳରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସବୁ କାହିଁକି ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ ବିଜେଡ଼ି ଓ କଂଗ୍ରେସର ବିଧାୟକମାନେ ଗୃହରୁ କକ୍ଷତ୍ୟାଗ କରିଥିଲେ ।
ବିନିଯୋଗ ବିଲ୍ ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଲେଯେ, ୧୪ ଦିନ ଭିତରେ ୨୧ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଛି । ଷ୍ଟାଣ୍ଡିଂ କମିଟି ଦେଇଥିବା ସୁପାରିଶକୁ ସରକାର ଗୁରୁତର ସହ ବିଚାର କରୁଛନ୍ତି । ସେନେଇ ପଦକ୍ଷେପ ବି ନିଆଯିବ । ପରିବର୍ତ୍ତନ, ବିକାଶ, ସୁଶାସନ ଓ ଅସ୍ମିତା ଉପରେ ଗୁରୁତ୍ୱ ଦେଇ ସରକାର ବିକଶିତ ଓଡ଼ିଶା ଗଠନ କରୁଛନ୍ତି । ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶାର ଶହେ ବର୍ଷ ପୂର୍ତ୍ତି ପାଇଁ ଏବେଠାରୁ ବିକଶିତ ଓଡ଼ିଶାର ମୂଳଦୁଆ ପକାଯାଉଛି । ଜନମତକୁ ନେଇ ହିଁ ବିକାଶ ହେବ । ବଜେଟ ପ୍ରସ୍ତୁତି ପାଇଁ ୧୨ ହଜାର ଲୋକଙ୍କ ପରାମର୍ଶ ନିଆଯାଇଛି । ପୂର୍ବ ସରକାର ଯେଉଁ ବଳକା ବଜେଟ୍ କଥା କହୁଛନ୍ତି, ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ହିଁ ସମ୍ଭବ ହୋଇପାରିଥିଲା । ପୂର୍ବରୁ ରାଜ୍ୟର ଖଣି ରାଜସ୍ୱ ୧୫ ହଜାର କୋଟି ଟଙ୍କା ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଖଣିର ନିଲାମ କଲେ । ଯାହାଫଳରେ ରାଜ୍ୟ ବାର୍ଷିକ ଖଣି ରାଜସ୍ୱ ବାବଦରେ ୫୦ ହଜାର କୋଟି ଟଙ୍କା ପାଇପାରିଲେ । ଯଦି ବଳକା ବଜେଟ ଥିଲା ତେବେ ୫୦% ପିଲା କାହିଁକି ଡ୍ରପଆଉଟ୍ ହୋଇଥିଲେ ? ମାତୃ ଶିଶୁ ମୃତ୍ୟୁହାର କାହିଁକି ଉଦବେଗଜନକ ଥିଲା ? ଲୋକଙ୍କୁ ସର୍ବନିମ୍ନ ମୌଳିକ ସହାୟତା କାହିଁକି ମିଳୁନଥିଲା ? ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ ।