ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ

 ବାଲେଶ୍ୱର : ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଜନସେବା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେଉଁଝର ଜିଲ୍ଲା ଠାରୁ ଆଭାସୀ ମାଧ୍ୟମରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହର ଶୁଭାରମ୍ଭ କରିଛନ୍ତି । ଏହି କ୍ରମରେ ବାଲେଶ୍ୱର ଜିଲ୍ଲାସ୍ତରୀୟ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ଅତିଥିମାନଙ୍କ ମଧ୍ୟରେ ଶାସକ ଦଳର ଉପମୁଖ୍ୟ ସଚେତକ ତଥା  ରେମୁଣା  ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,  ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଓ ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ ପ୍ରମୁଖ ମଂଚାସୀନ ଥିଲେ । ଜିଲ୍ଲାପାଳ  ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ବାଲେଶ୍ୱର ଉପଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେସିର୍କେ, ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଭା ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ବେହେରା ଉପସ୍ଥିତ ହିତାଧିକାରୀଙ୍କୁ ଏହି ଯୋଜନାର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଳେ । ଜିଲ୍ଲାପାଳ ଶ୍ରୀ ବିକାଶ ସ୍ୱାଗତ ଭାଷଣ ଦେଇଥିବାବେଳେ ସାଂସଦ ଶ୍ରୀ ଷଡ଼ଙ୍ଗୀ ନିଜ ଅବିଭାଷଣରେ ବର୍ଦ୍ଧିତ ଭତ୍ତା ୮୦ ବର୍ଷରୁ ଉର୍ଦ୍ଧ୍ୱ  ହିତାଧିକାରୀଙ୍କ ଜୀବନଶୈଳୀକୁ ଏକ ନୂତନ ଦିଗ ଦେବ ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ସଦର ଓ ବାଲେଶ୍ୱର ପୌରପାଳିକା ଅଞ୍ଚଳରେ ଥିବା ୮୦ବର୍ଷରୁ ଊର୍ଦ୍ଧ୍ୱ ଏବଂ ୮୦ ପ୍ରତିଶତ ବା ତଦୁଦ୍ଦ୍ୱର୍ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ବର୍ଦ୍ଧିତ ଭତ୍ତା ବିତରଣ କରାଯାଇଥିଲା । ସେହିଭଳି ବ୍ଲକସ୍ତରରେ ମଧ୍ୟ ଲୋକପ୍ରତିନିଧିଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସମସ୍ତ ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ୱର୍ଯ୍ୟା ସାମନ୍ତ ମଂଚ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।