ବିଜେଡ଼ିରେ ଲିଭୁନାହିଁ ଅସନ୍ତୋଷର ନିଆଁ, ଆକ୍ସନ ନେବା ପାଇଁ ନବୀନଙ୍କ ହାତ ଥରୁଛି

Biju Janata Dal

ବିଜେଡ଼ିରେ ଲିଭୁନାହିଁ ଅସନ୍ତୋଷର ନିଆଁ, ଆକ୍ସନ ନେବା ପାଇଁ ନବୀନଙ୍କ ହାତ ଥରୁଛି

ଭୁବନେଶ୍ୱର : ହରତାଳରେ ରାସ୍ତାରେ ଜଳିଥା’ନ୍ତା ନିଆଁ  । ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେଡ଼ିର ଆନ୍ଦୋଳନ ନିଆଁରେ ପାଣି ଢାଳିଦେଲେ  । କିନ୍ତୁ ପ୍ରସ୍ତୁତି ବୈଠକ ବେଳେ ଶଙ୍ଖ ଭବନରେ ଯେଉଁ ନିଆଁ ଜଳିଥିଲା ତାହା କିନ୍ତୁ ଥମିବାର ନାଁ ଧରୁନାହିଁ  । ଏବେବି ହୁତୁହୁତୁ ହୋଇ ଜଳୁଛି  । ବିଜେଡ଼ି ନେତା ଅମାନିଆ ହୋଇଗଲେଣି ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଜାଣି ସାରିଛନ୍ତି  । ଆଗରୁ ଯେଉଁ ହାତ ସବୁବେଳେ ଆକ୍ସନ ମୁଡ଼ରେ ଥିଲା, ଏବେ କିନ୍ତୁ ଆକ୍ସନ ନେବା ପାଇଁ ସେଇ ହାତ ଥରୁଥିବା ପରିଲକ୍ଷିତ ହେଉଛି  ।

ଶଙ୍ଖ ଭବନ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି  । ଭୁବନେଶ୍ୱର ବିଜେଡ଼ିରେ ଅନେକ ଦିନ ଧରି କନ୍ଦଳ ତେଜିବାରେ ଲାଗିଛି  । ବିଶେଷକରି ଅନନ୍ତ ଜେନା ବନାମ ଅମରେଶ ଜେନା ଓ ଅଶୋକ ଚନ୍ଦ୍ର ପଣ୍ଡା ବନାମ ବିରଞ୍ôଚ ମହାସୁପକାରଙ୍କ ମଧ୍ୟରେ ବିବାଦ ଢେ଼ର ଦିନ ଧରି ଲାଗି ରହିଛି  । କିନ୍ତୁ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ  । ଶଙ୍ଖ ଭବନରେ ଅମରେଶ ଓ ବିରଞ୍ôଚଙ୍କ ବିରୋଧରେ କର୍ପୋରେଟରମାନେ ଠିଆ ହୋଇଥିବାବେଳେ ଅନନ୍ତ ଓ ଅଶୋକଙ୍କର ଏଥିରେ ହାତ ଥିବା କୁହାଯାଉଛି  । ସେପଟେ ଆଜି ଅମରେଶ ଓ ବିରଞ୍ôଚ ଏନେଇ ମୁହଁ ଖୋଲିଛନ୍ତି  । ସିଧାସିଧା ସେମାନେ ଅଶୋକ ପଣ୍ଡାଙ୍କୁ ଟାର୍ଗେଟ୍‌ କରିଛନ୍ତି  । ଅବଶ୍ୟ ନାଁ ନନେଇ ପୂର୍ବତନ ମନ୍ତ୍ରୀ ବୋଲି ଇଙ୍ଗିତ କରିଛନ୍ତି  । ସେମାନେ କହିଛନ୍ତିଯେ, ଶଙ୍ଖ ଭବନରେ ବିଜେପି କର୍ମୀ ରାଜେଶ ପାତ୍ରଙ୍କୁ ଦେଖି ସେମାନେ ପ୍ରତିବାଦ କରିଥିଲେ  । ସେମାନଙ୍କୁ ବୈଠକରୁ ବାହାରି ଯିବା ପାଇଁ କହିଥିଲେ  । ହେଲେ ସେଠାରେ ବସିଥିବା ପୂର୍ବତନ ମନ୍ତ୍ରୀ ରାଜେଶଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଆଉ ବିରଞ୍ଚି ଓ ଅମରେଶଙ୍କୁ ପଳାଇ ଯିବା ପାଇଁ କହିଥିଲେ  । ତା’ପରେ ଶ୍ରୀ ପଣ୍ଡା ନିଜର ଛବି ବଞ୍ଚାଇବା ପାଇଁ ଅନ୍ୟ କାଉନ୍‌ସିଲରଙ୍କୁ ବିରଞ୍ଚି ଓ ଅମରେଶଙ୍କ ବିରୋଧରେ ମତାଇଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ବୈଠକରେ ହୋ-ହଲ୍ଲା ହୋଇଥିଲା ।

ଅମରେଶ ଜେନା କହିଛନ୍ତି, ରବିବାର ହୋଇଥିବା ବୈଠକରେ ବିଜେପି କର୍ମୀ ରାଜେଶ ପାତ୍ରଙ୍କୁ ଦେଖିବାକୁ ପାଇଥିଲୁ । ପୂର୍ବତନ ମନ୍ତ୍ରୀ ତାଙ୍କୁ ଆଣି ବୈଠକରେ ବସାଇଥିଲେ । ଦଳ ଭିତରେ ହେଉଥିବା ଗୁରୁତ୍ୱପୂର୍ଣ୍ଣ କଥା ଯେପରି ବାହାରେ ପ୍ରଘଟ ନହେବ, ସେଥିପାଇଁ ଆମେ ତାଙ୍କୁ ବିରୋଧ କରିଥିଲୁ । ଏହି ଘଟଣା ପ୍ରଘଟ ହୋଇଯିବା ଭୟରେ ସମ୍ପୃକ୍ତ ପୂର୍ବତନ ମନ୍ତ୍ରୀ କିଛି କାଉନ୍‌ସିଲରଙ୍କୁ ମତାଇ ଘଟଣାକୁ ଅନ୍ୟ ରୂପ ଦେଇଥିଲେ ବୋଲି ଶ୍ରୀ ଜେନା କହିଛନ୍ତି । ଅନୁରୂପ ଢଙ୍ଗରେ ବିରଞ୍ôଚ ମଧ୍ୟ ବୟାନ ଦେଇଛନ୍ତି  ।

ଏ ଘଟଣା ଏବେକାର ନୁହେଁ  । ନିର୍ବାଚନ ପୂର୍ବରୁ ତୁତୁ ମେଁ ମେଁ ଚାଲିଛି  । କିନ୍ତୁ ନବୀନ ସବୁଦେଖି ନିଦାବିଷ୍ଣୁ ସାଜିଛନ୍ତି  । ଅର୍ଥାତ୍‌ ଆଗଭଳି ନବୀନ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛନ୍ତି  । କାହିଁକିନା ଦଳରେ ଏବେ ସବୁକିଛି ଠିକ୍‌ ଚାଲୁନାହିଁ ବୋଲି ନବୀନ ଜାଣି ସାରିଛନ୍ତି  । ତେଣୁ ଆକ୍ସନ ନେବା ପାଇଁ କୁନ୍ଥୁକୁନ୍ଥୁ ହେଉଛନ୍ତି  । ଯାହାକି ଅନେକ ବିଜେଡ଼ି ନେତାଙ୍କୁ ଚକିତ କରିଦେଇଛି  । ଯେପର୍ଯ୍ୟନ୍ତ ନବୀନ ଶୃଙ୍ଖଳାର ଛାଟ ବଜାଇବେ ନାହିଁ ସେପର୍ଯ୍ୟନ୍ତ ଦଳରେ ବିଶୃଙ୍ଖଳା ବଢ଼ି ଚାଲିଥିବ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି  ।