ଅରୁଣଙ୍କୁ ଗ୍ରହଣ କରିବେ ତ ଜନତା ?
Biju Janata Dal Arun Pattanaik
ଅଢେ଼ଇ ଦଶନ୍ଧି ପରେ ନବୀନ ସରକାରଙ୍କର ଅବସାନ ଘଟିଛି । ବିଜେଡ଼ି ଏବେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବାବେଳେ ଦଳକୁ ପୁଣି ମଜବୁତ କରିବାକୁ ପ୍ରୟାସ ଆରମ୍ଭ ହୋଇଯାଇଛି । ‘ପାଣ୍ଡିଆନ୍’ଙ୍କ ପ୍ରସଙ୍ଗକୁ ନେଇ ଏବେ ବିଜେଡ଼ି ଫାଳ ଫାଳ ହୋଇଯାଇଛି । କିଛି ନେତା ପରାଜୟ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପାଣ୍ଡିଆନଙ୍କୁ ଦାୟୀ କରୁଥିବାବେଳେ ଆଉ କିଛି ନେତା ପାଣ୍ଡିଆନଙ୍କ ସୁରକ୍ଷା ଦେବାକୁ ବି ଆଗେଇ ଆସିଛନ୍ତି । ଯାହାକୁ ନେଇ ଗତକାଲି ଦଳୀୟ କାର୍ଯ୍ୟାଳୟରେ ହଙ୍ଗାମା ବି ହୋଇଥିଲା । ଏସବୁ ଭିତରେ ବିଜେଡ଼ି ରାଜନୀତିରେ ଅରୁଣ ପଟ୍ଟନାୟକଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏବେ ସେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିବାବେଳେ ନବୀନ ନିବାସରେ ଅଛନ୍ତି । ଯାହାକୁ ନେଇ ଅନେକ ଚର୍ଚ୍ଚା ରାଜନୀତିକ ଅଳିନ୍ଦରେ ଘୂରି ବୁଲିଲାଣି । ନବୀନଙ୍କ ଉତ୍ତରାଧିକାରୀ ଭାବେ ଅରୁଣ ପଟ୍ଟନାୟକ ହିଁ ଦାୟିତ୍ୱ ନେବେବୋଲି ଚର୍ଚ୍ଚା ହେଉଛି । କିନ୍ତୁ ବାସ୍ତବ ଚିତ୍ରକୁ ଦେଖିଲେ ଅରୁଣ ଏଥିପାଇଁ ଫିଟ୍ ନୁହଁନ୍ତି ବୋଲି କହିଲେ ଭୁଲ ହେବନାହିଁ ।
ଅରୁଣ ଭଲଭାବେ ଓଡ଼ିଆ କହିପାରନ୍ତି ନାହିଁ କିମ୍ବା ରାଜନୀତିରେ ତାଙ୍କର ସେଭଳି ଅଭିଜ୍ଞତା ନାହିଁ । ଏଭଳି ଚର୍ଚ୍ଚା କଲେ ହୁଏତ ଅନେକ କହିବେ, ନବୀନ ବାବୁ କେମିତି ପାରିଲେ ? ହଁ, ଏକଥା ସତଯେ, ନବୀନ ବାବୁ ଓଡ଼ିଆ ଜାଣିନଥିଲେ । କିନ୍ତୁ ସେ ଦିଲ୍ଲୀରେ ରହିବା ବେଳେ ରାଜନୀତିକସ୍ତରରେ ତାଙ୍କର ବେଶ ଖାତିର ରହିଥିଲା । ଦିଲ୍ଲୀର ବହୁ ବରିଷ୍ଠ ସାମ୍ବାଦିକ ଓ ରାଜନେତାଙ୍କ ସହ ତାଙ୍କର ସମ୍ପର୍କ ରହିଥିଲା । ଓଡ଼ିଶା ତାଙ୍କ ପାଇଁ ହୁଏତ ନୂଆ ଥିଲା, କିନ୍ତୁ ଦିଲ୍ଲୀ ରାଜନୀତି ତାଙ୍କ ପାଇଁ ଆଦୌ ନୂଆନଥିଲା । ନିଜର ବ୍ୟକ୍ତିତ୍ୱ ଓ ଜୀବନଶୈଳୀ ପାଇଁ ତାଙ୍କୁ ଦିଲ୍ଲୀରେ ବି ସମସ୍ତେ ଆଦର କରୁଥିଲେ । ପ୍ରେମ ପଟ୍ଟନାୟକଙ୍କ ଭଳି ସେ ବ୍ୟବସାୟରେ ବ୍ରତୀ ନରହି ବୁଦ୍ଧିଜୀବୀ, ସାମ୍ବାଦିକ ଓ ରାଜନେତାଙ୍କ ସହ ସମ୍ପର୍କ ରଖିଥିଲେ । ଯେଉଁଥିପାଇଁ ତାଙ୍କର ଗୋଟିଏ ଫୋନ୍ କଲରେ ଅନେକ ବିପଦ ଟଳି ଯାଉଥିଲା । କିନ୍ତୁ ଅରୁଣଙ୍କର ଏଭଳି ଦକ୍ଷତା ନାହିଁ । ଅରୁଣ ବିଜେଡ଼ିକୁ ସମ୍ଭାଳିବା ପାଇଁ ନୁହେଁ, ବରଂ ଏଭଳି ସ୍ଥିତିରେ ନବୀନଙ୍କ ହାଲଚାଲ ବୁଝିବାକୁ ଓଡ଼ିଶା ଆସିଛନ୍ତି କହିଲେ ବୋଧହୁଏ ଠିକ୍ ହେବ ।