୧୬ରେ ସେଲିବ୍ରିଟି କ୍ରିକେଟ୍

 ଭୁବନେଶ୍ୱର : ବହୁ ପ୍ରତିକ୍ଷିତ ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍) ୨୦୨୫ ଫେବ୍ରୁଆରି ୧୬ରେ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ  । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବେ । କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଉପସ୍ଥିତ ରହିବେ । ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ପ୍ରଭାତୀ ପରିଡା ଉପସ୍ଥିତ ରହିବେ । 
ଚଳିତ ୨୦୨୫ ସିଜନ ପାଇଁ ବେଙ୍ଗଲ ଟାଇଗର୍ସ ଦଳ ବାରବାଟୀ ଷ୍ଟାଡିୟମକୁ ନିଜ ଘରୋଇ ପଡ଼ିଆ ଭାବେ ଚୟନ କରିଛି । ୟୁଜେନିକ୍ସ ହେୟାର ସାଇନସେସ୍ର ଡ. ପ୍ରଦୀପ ସେଠି ଏବଂ ଡ. ଆରିକା ବଂଶଲଙ୍କ ସମର୍ଥନରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ବଲିଉଡ୍ର ତାରକାମାନେ ଏକାଠି ହେବେ  । ଅର୍ଜୁନ କପୁର, ସୋହେଲ ଖାନ, ସୋନୁ ସୁଦ୍, ମିକା ସିଂହ, ଆୟୁଷ୍ମାନ ଖୁରାନା, ରିତେଶ ଦେଶମୁଖ, ଜାନଭି କପୁର ଆଦି କଳାକାରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ବର୍ତ୍ତମାନର ଚାମ୍ପିୟନ ବେଙ୍ଗଲ ଟାଇଗର୍ସ ମୁମ୍ବାଇ ଦଳ ସହ ଖେଳିବ  । ସେହିପରି ପ୍ରଦର୍ଶନୀ ମ୍ୟାଚ୍ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଭବ ମହାନ୍ତିଙ୍କ ନେତୃତ୍ୱରେ ଓଡିଆ ସେଲିବ୍ରିଟି ଦଳ ଭାଗ ନେବ  । ସ୍ଥାନୀୟ ରଣଜୀ କ୍ରିକେଟର ଜିତୁ ଶତପଥୀ ଏବଂ ପବନ ଅଗ୍ରୱାଲ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବେ । ମୁଖ୍ୟ ସଂଯୋଜକ ଅଜୟ ଅଗ୍ରୱାଲ ଓଡିଶାକୁ ସିସିଏଲ୍ ଆଣିବା ପାଇଁ ଯଥେଷ୍ଟ ପରିଶ୍ରମ କରିଛନ୍ତି । କମିଟିରେ ମୁଖ୍ୟ ଆବାହକ ଡ. ସତ୍ୟବ୍ରତ ମିନକେତନ, ପରାମର୍ଶଦାତା ଗୋଲକ ମହାପାତ୍ର, ଆବାହକ ବାସୁଦେବ ଭଟ୍ଟ ଏବଂ ଅନ୍ୟମାନେ ଅଛନ୍ତି । 
ବେଙ୍ଗଲ ଟାଇଗର୍ସର ମାଲିକ ବୋନି କପୁର ବାରବାଟି ଷ୍ଟାଡିୟମକୁ ୨୦୨୫ ସିଜନ୍ ପାଇଁ ଦଳର ଘରୋଇ ପଡ଼ିଆ ଭାବରେ ବାଛିଛନ୍ତି । ସିସିଏଲ୍ ଓଡ଼ିଶାର ଆବାହକ ବାସୁଦେବ ଭଟ୍ଟ କହିଛନ୍ତି, "ଆମେ ସିସିଏଲ୍କୁ ଓଡିଶାକୁ ଆଣି ଉତ୍ସାହିତ ଅଛୁ ଏବଂ ପ୍ରଶଂସକମାନଙ୍କୁ ସେମାନଙ୍କର ପ୍ରିୟ ବଲିଉଡ୍ ତାରକାଙ୍କୁ ପଡ଼ିଆରେ ଖେଳୁଥିବା ଦେଖିବାର ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ।' ସିସିଏଲ୍ ୨୦୨୫ର ଟିକେଟ୍ ଅନଲାଇନ୍ ଉପଲବ୍ଧ କରାଯାଉଛି ଏବଂ ଟିକେଟ୍ କାଉଣ୍ଟର୍ ୨୦୨୫ ଫେବ୍ରୁଆରି ୧୧ରୁ ବାରବାଟୀ ଷ୍ଟାଡିୟମରେ ଖୋଲା ରହିଛି ।