ସିପି ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ : ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ହେଲେ ନୂଆ ଉପରାଷ୍ଟ୍ରପତି । ଆଜି ବହୁ ପ୍ରତୀକ୍ଷିତ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିଲା ଭୋଟ । ସିପି ରାଧାକ୍ରିଷ୍ଣନ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି. ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ଏହି ଉଲ୍ଲେଖନୀୟ ବିଜୟ ହାସଲ କରିଛନ୍ତି । ସିପି ରାଧାକ୍ରିଷ୍ଣନ ପ୍ରଥମ ପସନ୍ଦର ୪୫୨ ଭୋଟ ପାଇଥିବା ବେଳେ ଶ୍ରୀ ରେଡ୍ଡୀ ୩୦୦ ପ୍ରଥମ ପସନ୍ଦ ଭୋଟ ପାଇଛନ୍ତି । ଏହି ନିର୍ବାଚନରେ ୯୮.୨ ପ୍ରତିଶତ ଭୋଟ ହାର ରହିଛି । ଫଳାଫଳ ଘୋଷଣା କରିଥିଲେ ରାଜ୍ୟସଭା ମହାସଚିବ ପିସି ମୋଦି । ଏହି ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ କେନ୍ଦ୍ରୀୟ ମନ୍ତ୍ରୀ ଓ ବିଜେପି ସାଂସଦ ନୂତନ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଭାରତର ୧୫ତମ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ସାଂସଦମାନେ ଏକାଠି ହୋଇଥିବା ବେଳେ ଏହା ସଂଖ୍ୟା, ବିଶ୍ୱସ୍ତତା ଓ ସସପେନ୍ସର ଏକ ଦିନ ଥିଲା । ଏହି ପ୍ରତିଦ୍ୱନ୍ଦ୍ୱିତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ମତଦାନ କରିବା ସହିତ ସଂସଦ ଭବନ ଭିତରେ ସକାଳ ୧୦ଟାରେ ମତଦାନ ଆରମ୍ଭ ହୋଇଥିଲା ଓ ସନ୍ଧ୍ୟା ୫ଟାରେ ଭୋଟ ଦାନ ଶେଷ ହୋଇଥିଲା ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ କଂଗ୍ରେସ ନେତା ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ମଧ୍ୟ ସେମାନଙ୍କର ମତଦାନ କରିଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବିଜେପି ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀ, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଭୋଟ ଦେଇଥିôଲେ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ ଜୁଲାଇ ୨୧ ତାରିଖରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ପଚାଶ ଦିନ ପରେ ଏହି ନିର୍ବାଚନ ହୋଇଛି । ଏହି ଖାଲି ପଦ ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ଏକ ନୂତନ ପ୍ରତିଯୋଗିତା ଆରମ୍ଭ କରିଥିଲା । ଏହା ସହିତ ଶାସକ ଏନଡିଏ ଓ ବିରୋଧୀ ଇଣ୍ଡିଆ ବ୍ଲକ୍ ମଧ୍ୟରେ ଶକ୍ତିର ଏକ ରାଜନୈତିକ ପରୀକ୍ଷା ହୋଇଥିଲା ।
ଯଦି ସଂଖ୍ୟାର ଖେଳକୁ ଦେଖିବା, ୭୮୮ ଜଣ ଯୋଗ୍ୟ ସାଂସଦଙ୍କ ମଧ୍ୟରୁ ୭୬୭ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଥିଲେ, ଯାହା ୯୮.୨ ପ୍ରତିଶତ ମତଦାନ ଥିଲା । ପ୍ରାୟ ୭୫୨ ଭୋଟ ବୈଧ ଓ ୧୫ ଟି ଅବୈଧ ଥିଲା । ବିଜୁ ଜନତା ଦଳ (ବିଜେଡି)ର ୭ ଜଣ, ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ୪ ଜଣ, ଶିରୋମଣି ଅକାଳୀ ଦଳ (ଏସଏଡି)ର ଜଣେ ଓ ଜଣେ ସ୍ୱାଧୀନ ସାଂସଦଙ୍କ ସମେତ ୧୩ ଜଣ ସାଂସଦ ଭୋଟଦାନରୁ ବିରତ ରହିଥିଲେ । ଇଣ୍ଡିଆ ମେଣ୍ଟରୁ ୩୧୫ ଜଣ ସାଂସଦ ଭୋଟ ଦେବାକୁ ଆସିଥିଲେ । କିନ୍ତୁ ମେଣ୍ଟର ପ୍ରାର୍ଥୀ ୩୦୦ ଭୋଟ ପାଇଛନ୍ତି । ତାହାଲେ ଆଉ ୧୫ଟି ଭୋଟ କୁଆଡେ ଗଲା । ଯାହା ଇଣ୍ଡିଆ ମେଣ୍ଟରେ ଭୋଟକୁ ନେଇ ଫାଟ ସୃଷ୍ଟି ହୋଇଥିବା ଆଉ କ୍ରସ ଭୋଟିଂ ହୋଇଥିବା ରାଜନୀଜ୍ଞ ସମୀକ୍ଷା ମାନେ ଆଶଙ୍କା କରିଛନ୍ତି ।