ପୁଷ୍ପା-୨ ରିଲିଜ୍ ବେଳେ ଅଘଟଣ : ଦଳାଚକଟାରେ ମହିଳା ମୃତ

ହାଇଦ୍ରାବାଦ : ହାଇଦ୍ରାବାଦରେ ଗତକାଲି ରାତିରେ ପୁଷ୍ପା-୨ ପ୍ରିମିୟର୍ ଶୋ’ ହୋଇଥିଲା । ଏଥିରେ ଅଲ୍ଲୁ ଅର୍ଜୁନ୍ ଓ ରଶ୍ମିକା ମନ୍ଦନା ସାମିଲ ହୋଇଥିବା ବେଳେ ସେମାନଙ୍କୁ ଦେଖିବା ପାଇଁ ବହୁ ପ୍ରଶଂସକ ଭିଡ଼ ଜମିଥିଲା । ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବହୁ ଲୋକ ଅଣନିଶ୍ୱାସୀ ମଧ୍ୟ ହୋଇଥିଲେ । ଥିଏଟର୍ ବାହାରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଉପୁଜିଥିଲା । ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠି ଚାର୍ଜ କରିଥିଲେ ମଧ୍ୟ ଭିଡ଼ ଶାନ୍ତ କରିବା ମୁସ୍କିଲ୍ ହୋଇଥିଲା । ଏହି ସମୟରେ ଗୋଟିଏ ପରିବାରର ୪ ସଦସ୍ୟ ଏହି ମୁଭି ଦେଖିବା ପାଇଁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମହିଳା ଦଳାଚକଟାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ମୃତ ମହିଳା ଜଣକ ରେବତୀ ବୋଲି ଜଣାପଡ଼ିଛି । ରେବତୀ ତାଙ୍କ ସ୍ୱାମୀ ଭାସ୍କର ଓ ଦୁଇ ପିଲା ମୁଭି ଦେଖିବାକୁ ଆସିଥିଲେ । ଏହି ସମୟରେ ଥିଏଟର ବାହାରେ ପ୍ରବଳ ଭିଡ଼ ଜମିଥିଲା । ପ୍ରବଳ ଉତ୍ତେଜନା ଭିତରେ ରେବତୀ ଓ ତାଙ୍କ ପୁଅ ଚେତାଶୂନ୍ୟ ହୋଇପଡ଼ିଥିଲେ । ଉଭୟଙ୍କୁ ଦୁର୍ଗା ବାଇ ଦେଶମୁଖ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ରେବତୀଙ୍କୁ ମୃତ ଘୋଷଣା କରିଥିଲେ ।