ଦିବ୍ୟ ଆସ୍ଥାର ସଂଗମ
ବିଶ୍ୱର ସବୁଠୁ ବଡ଼ ଧାର୍ମିକ ଓ ସାଂସ୍କୃତିକ ଆୟୋଜନ ମହାକୁମ୍ଭ । ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ମହାଶିବରାତ୍ରୀ ଯାଏ ଚାଲିବାକୁ ଥିବା ଏହି ଦିବ୍ୟ, ଭବ୍ୟ ମେଳା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଓ ଏକତାର ପ୍ରତୀକ ମଧ୍ୟ । ପ୍ରତି ବାର ବର୍ଷରେ ପ୍ରୟାଗରାଜ, ହରିଦ୍ୱାର, ଉଜ୍ଜୟିନୀ ଓ ନାସିକରେ ଆୟୋଜିତ ହେଉଥିବା କୁମ୍ଭମେଳା ଠାରୁ ଏହା ଭିନ୍ନ । ଏହା ପ୍ରତି ୧୪୪ ବର୍ଷରେ ଥରେ ଆୟୋଜିତ ହୋଇଥାଏ । ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ମିଳନସ୍ଥଳରେ ଏହା ଆୟୋଜିତ ହେଉଥିବାବେଳେ ଏହାର ଅନେକ ଆଧ୍ୟାତ୍ମିକ ଗୁରୁତ୍ୱ ରହିଛି ।
ସନାତନ ଶବ୍ଦର ସଂସ୍କୃତ ବ୍ୟାଖ୍ୟା ହେଉଛି ସଦାଭବ ଅର୍ଥାତ୍ ସର୍ବଦା ବିଦ୍ୟମାନ । ଯାହାର ମୂଳ ଅର୍ଥ ହେଉଛି ଯାହା ଅତୀତରେ ଥିଲା ବର୍ତ୍ତମାନ ରହିଛି ଓ ଭବିଷ୍ୟତରେ ମଧ୍ୟ ରହିବ । ହିନ୍ଦୁ କାଳ ଗଣନା ଅନୁସାରେ ମନ୍ୱନ୍ତର, କଳ୍ପ, ଚତୁଜିଗି ଇତ୍ୟାଦିକୁ ହିସାବ କଲେ ଏ ସୃଷ୍ଟିର ପରମାୟୁ ଲକ୍ଷ ଲକ୍ଷ କୋଟି ବର୍ଷର ଯାହାକୁ ଆଧୁନିକ ବିଜ୍ଞାନ ସେଭଳି ସ୍ୱୀକାର କରେନା । ଭାରତୀୟ ଧର୍ମ ସଂସ୍କୃତିକୁ ଅତୀତରେ ସନାତନ ଭାବରେ ନାମିତ କରାଯାଉଥିଲା । ତେବେ ଯାହା ହେଉ ଆମ ପ୍ରାଚୀନ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଭିନ୍ନ ଗ୍ରହ ଓ ନକ୍ଷତ୍ରମାନଙ୍କର ଅବସ୍ଥିତି ଆଧୁନିକ ବୈଜ୍ଞାନିକ ମାନଙ୍କ ମତ ସହ ସମ୍ପୂର୍ଣ୍ଣ ମେଳ ନଖାଇଲେ ମଧ୍ୟ କେତେକ କ୍ଷେତ୍ରରେ ସାମଞ୍ଜସ୍ୟ ଦେଖାଯାଇଥାଏ । ଅମୃତ ଅମରତ୍ୱର ପ୍ରତୀକ । ଅମୃତ ପାନ କରି ଦେବତାମାନେ ଅମର ହୋଇଗଲା ପରି ହରିଦ୍ୱାର, ପ୍ରୟାଗ, ନାସିକ ଓ ଉଜ୍ଜୟିନୀ ପରି ଚାରି ସ୍ଥାନରେ ଥିବା ଧର୍ମ ସଂସ୍କୃତି ମଧ୍ୟ ଅମର ହୋଇଯାଇଛି ବୋଲି ସନାତନୀ ମାନଙ୍କ ଦୃଢ଼ ବିଶ୍ୱାସ ରହିଛି । ବାସ୍ତବରେ ପୃଥିବୀରେ ସର୍ବତ୍ର ଧର୍ମ ଓ ସଂସ୍କୃତିକ ରାଜଆଶ୍ରିତ ହୋଇଥିବାବେଳେ ସନାତନ ସଂସ୍କୃତି ଋଷି ଆଶ୍ରିତ । ଭାରତ ବର୍ଷରେ ସନାତନୀମାନେ ଧାର୍ମିକ ଦୃଷ୍ଟିରୁ ବହୁମତ ପନ୍ଥ ସମ୍ପ୍ରଦାୟରେ ବିଭକ୍ତ । ପ୍ରାଚୀନ ସମ୍ପ୍ରଦାୟ ଭିତରେ ଶୈବ, ଶାକ୍ତ, ବୈଷ୍ଣବ, ଦ୍ୱୈତ, ଅଦ୍ୱୈତ, ବିଶିଷ୍ଟାଦ୍ୱୈତ, ଗୌଡ଼ୀୟ, ଶାକାର, ନିରାକାର ଏଭଳି ବହୁ ପନ୍ଥ ସମ୍ପ୍ରଦାୟ ରହିଛି । ତେବେ ଏ ସବୁର ମୂଳ ହେଉଛି ପରମାତ୍ମାଙ୍କର ସାକ୍ଷାତକାର ।
ମହାକୁମ୍ଭ ପ୍ରାଚୀନ ଭାରତୀୟ ନକ୍ଷତ୍ର ବିଜ୍ଞାନର ଗଭୀର ଜ୍ଞାନକୁ ଦର୍ଶାଏ । କୁମ୍ଭମେଳାର ଆୟୋଜନ ସ୍ଥଳ ଓ ସମୟ ଉଭୟକୁ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଓ ଗ୍ରହଙ୍କ ସ୍ଥିତି ଆଧାରରେ ନିର୍ଦ୍ଧାରିତ କରାଯାଏ । ଆମ ପୂର୍ବପୁରୁଷ ନକ୍ଷତ୍ର ବିଜ୍ଞାନ ଓ ଜୈବିକ ପ୍ରଭାବର ଗହନ ଜ୍ଞାନର ଅଧିକାରୀ ଥିଲେ, କୁମ୍ଭମେଳା ତାର ଉଦାହରଣ । ଭୂଚୁମ୍ବକୀୟ ଉର୍ଜ୍ଜା ଆଧାରରେ କୁମ୍ଭମେଳା ଆୟୋଜନ ସ୍ଥଳ ଚୟନ କରାଯାଏ । ÷ଜ୍ଞାନିକ ଦୃଷ୍ଟିରୁ ଏହା ପୃଥିବୀ ଓ ମାନବ ଉପରେ ପଡ଼ୁଥିବା ପ୍ରଭାବକୁ ମଧ୍ୟ ଦର୍ଶାଏ । ବୃହସ୍ପତି, ସୂର୍ଯ୍ୟ ଓ ଚନ୍ଦ୍ରର ସ୍ୱତନ୍ତ୍ର ସଂଯୋଗ ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ପ୍ରଭାବିତ କରେ । ଏହି ନକ୍ଷତ୍ର ବିଜ୍ଞାନ ସଂଯୋଗ ସମୟରେ କୁମ୍ଭ ସ୍ନାନରେ ଆଧ୍ୟାତ୍ମ ଓ ବିଜ୍ଞାନର ସମନ୍ୱୟ ହୋଇଥାଏ । ସଂଗମ ନଗରୀରେ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ମହାକୁମ୍ଭ ମେଳା ।
ସକଳ ପାପରୁ ମୁକ୍ତି ପାଇଁ, ଜୀବନରେ ସଫଳତା ଲାଭ ପାଇଁ ବିଶ୍ୱର ପ୍ରତ୍ୟେକ କୋଣରୁ ଶ୍ରଦ୍ଧାଳୁ ପବିତ୍ର ମହାକୁମ୍ଭରେ ଏକାଠି ହୋଇଛନ୍ତି । କୁମ୍ଭ କେବଳ ଏକ ଧାର୍ମିକ ଆୟୋଜନ ନୁହେଁ । ଆସ୍ଥା, ସଂସ୍କୃତି, ପରମ୍ପରା ଓ ବିଜ୍ଞାନର ଅଦ୍ୱିତୀୟ ସଂଗମ । ନକ୍ଷତ୍ର ବିଜ୍ଞାନ, ଭୂଗୋଳ ଓ ଆଧ୍ୟାତ୍ମିକତାର ମିଳନ । ପ୍ରାଚୀନ ଭାରତର ଗହନ ବୈଜ୍ଞାନିକ ଓ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନର ପ୍ରତୀକ । କିମ୍ବଦନ୍ତୀ କହେ, ସମୁଦ୍ର ଉଛୁଳି ଯେଉଁଠି ଯେଉଁଠି ପଡ଼ିଥିଲା, ସେ ସମସ୍ତ ସ୍ଥାନରେ ଆୟୋଜିତ ହେଉଛି ପବିତ୍ର କୁମ୍ଭ ମେଳା । ଆସ୍ଥା ଓ ବିଜ୍ଞାନ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ, ବରଂ ଉଭୟ ମିଳିତ ଭାବେ ମାନବତାର ମାର୍ଗଦର୍ଶନ କରନ୍ତି ମହାକୁମ୍ଭ ମେଳା ଆମକୁ ଏହି ଶିକ୍ଷା ଦିଏ । ବୈଦିକ କାଳ ଗଣନା ଅନୁସାରେ ପ୍ରତି ବାର ବର୍ଷରେ ଦେବତା ମାନଙ୍କର ଦିନେ ହୁଏ । ତେଣୁ ବାର ବର୍ଷରେ ଥରେ କୁମ୍ଭମେଳା । ପୁଣି ୧୪୪ ବର୍ଷରେ ଥରେ ସମ୍ପୂର୍ଣ୍ଣ ତିଥି ବାର ନକ୍ଷତ୍ରର ମିଳନ ହୁଏ । ଏହାକୁ ଅମୃତ ମହାକୁମ୍ଭ କୁହାଯାଏ । ଏହି ଆସ୍ଥା, ଭକ୍ତି, ବିଶ୍ୱାସର କୁମ୍ଭ ହିଁ ସନାତନର ଅମୃତ ଧାରାକୁ ଚିରନ୍ତନ ଭାବେ ଉଜ୍ଜୀବିତ ରଖି ଆସୁଥିବ ।
ଡା.ଉମେଶ ଚନ୍ଦ୍ର ପାତ୍ର,ମୋ : ୯୪୩୭୦୫୧୯୫୭