ଡିଜିଟାଲ ହେବ ଜାତି ଜନଗଣନା


ଗୋପାଳ ମହାପାତ୍ର : 
  ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତରେ ଏବେ ଜନଗଣନା ପାଇଁ ଅଧିସୂଚନା ଜାରି କରାଯାଇଛି । ଏହି ଜନଗଣନା ୨୦୨୧ରେ ହେବାକୁ ଥିଲା କିନ୍ତୁ କରୋନା ମହାମାରୀ କାରଣରୁ ସ୍ଥଗିତ ରହିଥିଲା । କଂଗ୍ରେସ ସମେତ ସବୁ ବିରୋଧୀ ଦଳମାନେ ଜାତିଗତ ଜନଗଣନା ପାଇଁ ଦାବି କରୁଥିଲେ । ପରିଶେଷରେ ମୋଦୀ ସରକାର ମଧ୍ୟ ଜାତିଗତ ଜନଗଣନା ପାଇଁ ନିଷ୍ପତ୍ତି ନେଲେ । ଫଳତଃ ଜାତିଗତ ଜନଗଣନାକୁ ନେଇ ଯେଉଁ ରାଜନୀତି ଚାଲିଥିଲା ତାହା ସମାପ୍ତ ହୋଇଛି । ସବୁ ବର୍ଗର ପ୍ରମୁଖ ଜାତିମାନଙ୍କ ସହ ଉପଜାତି ବାବଦରେ ଗଣନା ବେଳେ ଜଣାପଡିବ । ସେତେବେଳେ ଜାତିଗତ ଜନଗଣନା ଠିକ କି ନୁହେଁ ବୋଲି କୁହାଯାଇପାରିବ । ଇ-ବଜାର, ଇ-ଆବେଦନ, ଇ-ରେଳ ଓ ଇ-ନେଣଦେଣ ପରେ ଏବେ ଇ- ଜନଗଣନା ଅର୍ଥାତ୍ ଡିଜିଟାଲ ଗଣତି ହେବ । ଏହି ଗଣନାରେ ଜାତିର ଗଣତି ମଧ୍ୟ ହେବ । ଡିଜିଟାଲ ଜନଗଣନାରେ ଜନ୍ମ ଓ ମୃତୁ୍ୟ ବାବଦରେ ତଥ୍ୟ ମଧ୍ୟ ରହିବ । ଏଣୁ ପ୍ରତି ଜନ୍ମ ପରେ ଡିଜିଟାଲ ଜନଗଣନା ମନକୁ ମନ ହୋଇଯିବ ଏବଂ ମୃତୁ୍ୟ ପରେ ଡିଜିଟାଲ ଡାଟାରୁ ମୃତକଙ୍କ ନାମ ମନକୁ ମନ କଟିଯିବ । ଜନଗଣନା ରେଜିଷ୍ଟରରେ ପିଲା/ଶିଶୁର ଜନ୍ମ, ମାତା/ପିତା, ଜାତି ଏବଂ ଜନ୍ମ ସ୍ଥାନ ସମେତ ୧୬ଟି ଭାଷାରେ ୩୬ଟି ପ୍ରଶ୍ନର ଉତ୍ତର ମଧ୍ୟ ଦରଜ ହୋଇଯିବ । ଶିଶୁ/ପିଲାକୁ ୧୮ବର୍ଷ ହେଲେ ଭୋଟର ତାଲିକାରେ ତାର ନାମ ପଞ୍ଜିକୃତ କରିବା ପାଇଁ ମଧ୍ୟ ଡିଜିଟାଲ ମାଧ୍ୟମରେ ନିର୍ବାଚନ କମିଶନଙ୍କ ପାଖକୁ ଚାଲିଯିବ । ଫଳତଃ ତାକୁ ଭୋଟର ପରିଚୟପତ୍ର ମିଳିଯିବ ଏବଂ ଭୋଟର ତାଲିକାରେ ସ୍ୱତଃସ୍ଫୂର୍ତ୍ତ ଭାବେ ତାର ନାମ ଯୋଡି ହୋଇଯିବ । ଯେତେବେଳେ କୌଣସି ଭୋଟରର ମୃତୁ୍ୟ ହୋଇଯିବ ସେତେବେଳେ ଭୋଟର ତାଲିକାରୁ ତାର ନାମ ମନକୁ ମନ କଟିଯିବ । ଏହିପରି ଜନଗଣନାର ତଥ୍ୟ ବା ଡ଼ାଟା ସବୁବେଳେ ଅପଟୁଡେଟ ରହିବ ।
ଏହି ଡିଜିଟାଲ ଜନଗଣନା (ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟାର) ପ୍ରକ୍ରିୟାରେ ପାଖାପାଖି ୧୨ ହଜାର କୋଟି ଟଙ୍କା ବ୍ୟୟ ହେବ । ଡିଜିଟାଲ ଜନଗଣନା ଦେଶରେ କରାଯିବ ବୋଲି ୨୦୨୧ ମସିହା ଫେବୃୟାରୀ ମାସ ୧ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ସେତେବେଳେ ମଧ୍ୟ ବର୍ତ୍ତମାନର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥବନ୍ତ୍ରୀ ଥିଲେ ଓ ସେ ଡିଜିଟାଲ ଜନଗଣନା କରାଯିବ ବୋଲି ଘୋଷଣା କରିଥିଲେ । ଡିଜିଟାଲ ଜନଗଣନାରେ ନାଗରିକମାନେ ସାମିଲହେବା ପାଇଁ ଏକ ଉତ୍ତମ ଅନଲାଇନ୍ ସୁବିଧା ପାଇ ପାରିବେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ନାଗରିକ ମାନଙ୍କୁ ଅନଲାଇଡ଼୍ ସ୍ୱ-ଗଣନାର  ଅଧିକାର ଦେବା ପାଇଁ ପୁର୍ବର ନିୟମରେ ପରିବର୍ତ୍ତନ କରାଯାଇଛି । ଜନଗଣନା (ସଂଶୋଧନ) ୨୦୨୨ ଅନୁସାରେ ପରମ୍ପରାଗତ ପ୍ରକ୍ରିୟାରେ ସରକାରୀ କର୍ମଚାରୀମାନେ ଘରକୁ ଯାଇ ଜନଗଣନା କରିବେ କିନ୍ତୁ ଏବେ ନାଗରିକ ସ୍ୱ-ଗଣନା ମଧ୍ୟମରେ ମଧ୍ୟ ଅନୁସୂଚୀ ପ୍ରାରୂପ (ଜନଗଣନା ଆବେଦନପତ୍ର) ପୂରଣ କରିପାରିବେ । ଏଇଥିପାଇଁ ସଂଶୋଧନ କରାଯାଇ ପୂର୍ବ ନିୟମରେ ଇଲେକ୍ଟ୍ରୋନିକ ଫର୍ମ ଶବ୍ଦ ଯୋଡ଼ାଯାଇଛି । ଏ ସମ୍ପର୍କରେ ସୂଚନା ଏବଂ ପ୍ରାଦ୍ୟୋଗିକୀ ଆଇନ୍ ୨୦୦୦ର ଧାରା ୨ର ଉପଧାରା (୧)ର ଖଣ୍ଡ “ଆର”ରେ କୁହାଯାଇଛି । ଏହି ଆଇନ୍ ଅନୁସାରେ ଗଣମାଧ୍ୟମ, ମ୍ୟାଗ୍ନେଟିକ, କମ୍ପୁ୍ୟଟର ଜନିତ ମାଇକ୍ରୋଚିପ ବା ଏହିଭଳି ଅନ୍ୟ ଉପକରଣରେ ପ୍ରସ୍ତୁତ କରି ପଠାଯିବା ଅଥବା ସଂଗୃହୀତ ହୋଇଥିବା ତଥ୍ୟକୁ ଇଲେକ୍ଟ୍ରୋନିକ ଫର୍ମରେ ଦିଆଯାଇଥିବା ସୂଚନା ବୋଲି ଗ୍ରହଣ କରାଯିବ । ଏପରିକି ନାଗରିକ ଏଣ୍ଡ୍ରଏଡ଼ ମୋବାଇଲ ଫୋନ ମାଧ୍ୟମରେ ନିଜ ସମ୍ପର୍କରେ ସମସ୍ତ ତଥ୍ୟ ଜନଗଣନା  ଫର୍ମରେ ପୁରଣ କରିପାରିବେ । ଏହି ଅନ୍ଲାଇନ ଆବେଦନ ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ସରକାରୀ କର୍ମଚାରୀ ଘରକୁ ଘର ବୁଲି ଜନଗଣନା କରିବେ । ଗଣନାର ଏହି ବିକେନ୍ଦ୍ରୀକରଣ କାରଣରୁ ପ୍ରତି ୧୦ ବର୍ଷପରେ ଜନଗଣନା ପାଇଁ ଯେଉଁ ପରମ୍ପରା ଥିଲା ତାର ସମାପ୍ତି ଘଟିବ । ଅନ୍ୟପକ୍ଷରେ ପ୍ରତିମାସରେ ଦେଶର ସବୁ ପଞ୍ଚାୟତ ସ୍ତରରୁ ଜନ୍ମ-ମୃତୁ୍ୟ ସମ୍ପର୍କିତ ତଥ୍ୟ ସଠିକ୍ ମିଳିଯିବ । ଜନଗଣନାର ନିରନ୍ତରତା ଜରୁରି । ଭାରତରେ ତଥା ବିଶ୍ୱ ସ୍ତରରେ ଜନସଂଖ୍ୟା ବୃଦ୍ଧି ଏକ ବିସ୍ଫୋଟକ ସ୍ତରକୁ ଆସିଯାଇଛି । ଜାତିସଂଘର ତଥ୍ୟ ଅନୁସାରେ ସାରା ବିଶ୍ୱର ଜନସଂଖ୍ୟା ୭୦୦କୋଟିରୁ ଅଧିକ ହେଲାଣି । ଉନବିଂଶ ଶତାବ୍ଦୀରେ ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ହୋଇଛି । ତଥ୍ୟ ଅନୁସାରେ ଅଷ୍ଟାଦଶ ଶତାବ୍ଦୀ ଶେଷ ବେଳକୁ ବିଶ୍ୱର ଜନସଂଖ୍ୟା ଏକ ଅରବରୁ କମ୍ ଥିଲା । ପ୍ରତି ୧୦ ବର୍ଷରେ କରାଯାଉଥିବା ଜନଗଣନା ପାଇଁ ପାଖାପାଖି ୩୪ଲକ୍ଷ କର୍ମଚାରୀଙ୍କୁ ଏହି ଦାୟିତ୍ୱ ଦିଆଯାଉଥିଲା । ଗାଁ ଠାରୁ ସହର ପର୍ଯ୍ୟନ୍ତରେ ଘର ଘର ବୁଲି ଜନଗଣନା କରିବା ଏମାନଙ୍କ ପାଇଁ ମଧ୍ୟ କଷ୍ଟକର ହେଉଥିଲା । କିନ୍ତୁ ଏବେ ସ୍ୱ-ଆବେଦନ ପାଇଁ ସରକାରଙ୍କ ଘୋଷଣା ପରେ ଅନେକ ନାଗରିକ ଘରେ ବସି ମଧ୍ୟ ଅନଲାଇନ୍ରେ ନିଜର ଏଣ୍ଡ୍ରଏଡ଼୍ ଫୋନ ମାଧ୍ୟମରେ ଜନଗଣନା ପ୍ରକ୍ରିୟାରେ ସାମିଲ ହୋଇପାରିବେ । ସର୍ବୋପରି ଡିଜିଟାଲ କରାଯାଉଥିôବା କାରଣରୁ ଜନସଂଖ୍ୟା ବାବଦରେ ସଠିକ୍ ତଥ୍ୟ ପାଇଁ ଆଉ ୧୦ ବର୍ଷ ଅପେକ୍ଷା କରିବାକୁ ପଡିବ ନାହିଁ । ଅପଡେଟ ସୂଚନା ସବୁବେଳେ ଅନ୍ଲାଇନ୍ରେ ଉପଲବ୍ଧ ହେବ ।
ରାମଚନ୍ଦ୍ରପୁର, ରଣପୁର ,ମୋ: ୯୪୩୮୪୮୫୦୯୪