ଭକ୍ତ ଦାସିଆ ସ୍ମୃତି କମିଟିର ସମୀକ୍ଷା ବୈଠକ

 ଭୁବନେଶ୍ୱର:  ମହାପ୍ରଭୁ ଶ୍ରୀଶ୍ରୀଜଗନ୍ନାଥଙ୍କ ଭକ୍ତପ୍ରବର ଦାସିଆଙ୍କ ଜନ୍ମ ଓ ସାଧନା ପୀଠ, ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ ବାଲିଗାଁର ସର୍ବାଙ୍ଗୀନ ଉନ୍ନୟନ ନିମନ୍ତେ ଭକ୍ତ ଦାସିଆ ସ୍ମୃତି କମିଟିର ଆୟୋଜିତ ମାସିକ ସମୀକ୍ଷା ବୈଠକ ଭୁବନେଶ୍ୱରସ୍ଥ ଶହୀଦ ନଗରର ବିଷ୍ଣୁ ମନ୍ଦିର ସଭାଗୃହରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ଶ୍ରୀଜଗନ୍ନାଥ ସସ୍କୃତି ପ୍ରଚାରକ ଡଃ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ କଳିଯୁଗର ଶ୍ରୀଜଗନ୍ନାଥ ମହାମନ୍ତ୍ର, ସ୍ତୋତ୍ର ଓ ପ୍ରାର୍ଥନା ସମୁହ ପାଠ କରିଥିଲେ । ଅନୁଷ୍ଠାନର ସାଧାରଣ ସଂପାଦକ ଡଃ ଘନଶ୍ୟାମ ସ୍ୱାଇଁ ସଭା ପରିଚାଳନା କରିଥିବା ବେଳେ ଭକ୍ତଙ୍କ ଜନ୍ମପୀଠ ବାଲିଗାଁର ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ନିକଟରେ ୨୨ ଗୋଟି ପ୍ରକଳ୍ପର କାର୍ଯ୍ୟକାରିତାର ପ୍ରାରମ୍ଭିକ ପ୍ରସ୍ତୁତିର ସମୀକ୍ଷା କରାଯାଇ ଏହାର ଭିତ୍ତିପ୍ରସ୍ତର କାର୍ଯ୍ୟ ଡେଲାଙ୍ଗ ପିପିଲି ବିଧାୟକ ଆଶି୍ରତ ପଟ୍ଟନାୟକଙ୍କ ସହଯୋଗରେ ଯଥାଶିଘ୍ର କରାଯିବାକୁ ପ୍ରସ୍ତାବ ପାରିତ ହୋଇଥିଲା । ବିଭିନ୍ନ ପ୍ରକଳ୍ପର ସମୀକ୍ଷା ଦାୟିତ୍ୱରେ ଅନୁଷ୍ଠାନ ତରଫରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ତତ୍‌କାଳୀନ ଯନ୍ତ୍ରୀ ମୁଖ୍ୟ ଇଂ ଦେବନାରାୟଣ ପାଲ, ମେଟ୍ରୋ ରେଲୱେ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଇଂ ଶିବପ୍ରସାଦ ପଟ୍ଟନାୟକ ବିଶିଷ୍ଟ ସମାଜସେବୀ ମନୋରମା ମହାପାତ୍ରଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ଆସନ୍ତା ମାସ ୪ ରୁ ୧୦ ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କ ପୀଠରେ ଝୁଲଣ ପର୍ବ ସୁଚାରୁ ରୂପେ ପାଳନ କରାଯିବା ନିମନ୍ତେ ସାଂସ୍କୃତିକ ସଂପାଦକ ସରୋଜ କୁମାର ସାହୁଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଭକ୍ତଙ୍କ ପୀଠରେ ରଥଯାତ୍ରା ପର୍ବ ପାଳିତ ହେବା ନିମନ୍ତେ ଆବଶ୍ୟକ ହେଉଥିବା ମାଉସୀମା ମନ୍ଦିର ଓ ଶ୍ରୀ ଗୁଣ୍ଡିଚା ମନ୍ଦିର ନିର୍ମାଣ ନିମନ୍ତେ ଆବଶ୍ୟକ ଜମି ଓ ପ୍ରକଳ୍ପର ଖର୍ଚ୍ଚ ଆକଳନ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଗତ ସ୍ନାନ ପର୍ବରେ ଅଣସର ଗୃହ ନିମନ୍ତେ ଭୂମି ପୂଜନ କାର୍ଯ୍ୟ ସମାପିତ ହୋଇଥିଲେ ମଧ୍ୟ ଯଥାଶିଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏ ସମସ୍ତ ଆଲୋଚନାରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଅର୍ଜ୍ଜୁନ ଚରଣ ସାମଲ, ଶିକ୍ଷାବିତ ବୃନ୍ଦାବନ ମହାପାତ୍ର, ଅଜୟ ଦାସ, ଡଃ ବାସନ୍ତି ଦାଶ, ଅନନ୍ତ ଚରଣ ସାହୁ, ଗୋପାଳ ବଳ, ଭାରତୀ ଭୁଷଣ ପଟ୍ଟନାୟକ, ତି୍ରଲୋଚନ ନାୟକ, ସୁରେଶ ମିଶ୍ର, ଅନୁପମା ମିଶ୍ର, ଅକ୍ଷୟ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।