ଏକାଠି ହୋଇ ‘ନବାନ୍ନ’ ଖାଇବା ମୋର ସୌଭାଗ୍ୟ : ଧର୍ମେନ୍ଦ୍ର
ସମ୍ବଲପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ‘ନୂଆଁଖାଇ’ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ସମ୍ବଲପୁର ଅଞ୍ଚଳର ଶ୍ୟାମସୁନ୍ଦର ପତିଙ୍କ ବାସଭବନରେ ନବାନ୍ନ ଖାଇ ନୂଆଁଖାଇ ପର୍ବ ପାଳନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପ୍ରଥମେ ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କ ଅଞ୍ଚଳ ଗସ୍ତ କରିବା ସହ ଶ୍ୟାମସୁନ୍ଦର ପତିଙ୍କ ବାସଭବନରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ‘ନବାନ୍ନ’ ଖାଇ ନୂଆଁଖାଇ ପାଳନ କରିଥିଲେ । ପରବର୍ତ୍ତୀ ସମୟରେ ମା’ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ମନ୍ତ୍ରୀ, ବିଧାୟକ, ଓଡ଼ିଶା ବାହାରୁ ଆସିଥିବା ବିଶିଷ୍ଟ ସାମ୍ବାଦିକଗଣ ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ‘ନବାନ୍ନ ପ୍ରସାଦ’ ଗ୍ରହଣ କରିଥିଲେ । ରାଜ୍ୟ ବାହାରୁ ଆସିଥିବା ଅତିଥିମାନଙ୍କ ସହ ସମ୍ବଲପୁରର କଳା, ସଂସ୍କୃତି, ଐତିହ୍ୟ, ଇତିହାସ, ପର୍ଯ୍ୟଟନ ସହ ଏଠାରେ ଥିବା ସମ୍ଭାବନା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ନୂଆଁଖାଇ ଚାଷୀ ଏବଂ ଚାଷର ଉନ୍ନତି ଓ ସମୃଦ୍ଧିର କଥା କୁହେ । ଏହି ପର୍ବରେ ନବାନ୍ନର ସ୍ୱତନ୍ତ୍ରତା ରହିଛି । ଆଜି ଐତିହାସିକ ସିନ୍ଦୁରପଙ୍କ ଅଞ୍ଚଳକୁ ଆସିଥିଲି । ଏହି ଅଞ୍ଚଳର ଶ୍ୟାମସୁନ୍ଦର ପତିଙ୍କ ପରିବାର ସଦସ୍ୟଙ୍କ ସହ ‘ନବାନ୍ନ’ ଖାଇ ନୂଆଁଖାଇ ପାଳନ କରିବା ମୋର ସୌଭାଗ୍ୟ । ନୂଆଁଖାଇ କେବଳ ଏକ ପର୍ବ ନୁହେଁ ବରଂ ଏକ ଭାବାବେଗ । ଏହି ଦିନ ଏକାଠି ହେବା ଓ ସାଥୀ ହୋଇ ନବାନ୍ନ ଖାଇବା ଏହି ପର୍ବର ବିଶେଷତା । ଆଜିଭଳି ଏକ ପବିତ୍ର ଦିନରେ ସମ୍ବଲପୁରରେ ନୂଆଁଖାଇ ପାଳନ କରି ବହୁତ ଖୁସି ଅନୁଭବ କରୁଛି । ସପରିବାର ସ୍ନେହ, ଶ୍ରଦ୍ଧା ଓ ଆତିଥେୟତା ପାଇଁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।
ସେ ଆହୁରି କହିଥିଲେ ଯେ ‘ନୂଆଁଖାଇ’ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେବା ମୋର ସୌଭାଗ୍ୟ । ଆତ୍ମୀୟତା, ଚାଷୀ ଓ ଚାଷର ଉନ୍ନତି ଏବଂ ସାଂସ୍କୃତିକ ସମାହାରର ପର୍ବ ନୂଆଁଖାଇ । ନୂଆଁଖାଇ ସମସ୍ତଙ୍କ ପାଇଁ ଆଶା ଓ ସମ୍ଭାବନା ଆଣିଦେଉ । ଏହି ବିଶେଷ ଉସôବ ସମାଜରେ କରୁଣା, ଭାଇଚାରା ଓ ସୌହାର୍ଦ୍ଦ୍ୟଭାବ ଭାବନା ତିଆରି କରୁ, ଏହା ମା’ଙ୍କ ପାଖରେ ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି । ମାଆ ସମଲେଶ୍ୱରୀ ମନ୍ଦିର ପରିସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସାଥୀରେ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଜୟ ନାରାୟଣ ମିଶ୍ର, ଦିଲ୍ଲୀ ଏବଂ ବାହାରୁ ଆସିଥିବା ବିଶିଷ୍ଟ ସାମ୍ବାଦିକଗଣ ଓ ପ୍ରମୁଖ ବ୍ୟକ୍ତିବିଶେଷମାନେ ନବାନ୍ନ ଗ୍ରହଣ କରିଥିଲେ ।