ଧରାପୃଷ୍ଠରେ ବିରାଜିଲେ ବିଘ୍ନବିନାଶନ : ଉତ୍ସବ ମୁଖର ଗାଁ ଠୁ ସହର

ଢେଙ୍କାନାଳ :  ଢେଙ୍କାନାଳ ସହରରେ ୩୮ଟି ପୂଜା ମଣ୍ଡପରେ ବିରାଜିଲେ ବିଘ୍ନବିନାଶନ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପୂଜକଙ୍କ ମନ୍ତ୍ରଧ୍ୱନିରେ ବିଭିନ୍ନ ପୂଜା ମଣ୍ଡପ ଉତ୍ସବ ମୁଖର ହୋଇଥିଲା । ସେହିପରି ସାରା ସହର ମଧ୍ୟ ରଙ୍ଗୀନ ଆଲୋକରେ ସଜେଇ ହୋଇଛି । ଚଳିତବର୍ଷ ଢେଙ୍କାନାଳ ସହରରେ ୩୮ ଟି  ମଣ୍ଡପରେ ବିଘ୍ନବିନାଶଙ୍କ ପୂଜା ଅନୁଷ୍ଠିତ ହୋଇଛି । ପୂଜାକୁ ଅଧିକ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ଲାଗି ପ୍ରତିଯୋଗିତାମୂଳକ ଭାବେ  ଅନୁଷ୍ଠାନର ଯୁବକଯୁବତୀମାନେ ଜୋରଦାର ଉଦ୍ୟମ ଜାରି ରଖି ରଖିଥିଲେ । ରାଜ୍ୟ ବାହାରୁ ଅଣାଯାଉଥିବା ଗଜାନନଙ୍କ ମୃଣ୍ମୟମୂର୍ତ୍ତିକୁ ସ୍ୱାଗତ କରି ବାଣବାଜା ଧରି ଶୋଭାଯାତ୍ରାରେ ନିଜ ନିଜ ମଣ୍ଡପକୁ କେତେକ ଅନୁଷ୍ଠାନ ଆଣିଥିଲେ । ମଣ୍ଡପଗୁଡିକ ବ୍ୟତୀତ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ବିଭିନ୍ନ ଉଚ୍ଚ ବିଦ୍ୟାଳୟ  ଓ ମହାବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାହିବସ୍ତି ଆଦିରେ ଏହି ଗଣେଶପୂଜା ଅନୁଷ୍ଠିତ ମଧ୍ୟ ହୋଇଛି  । 
ପ୍ରତିବର୍ଷ ଗଣେଶଙ୍କ ମୂର୍ତ୍ତି ଓ ପୂଜାରେ ସ୍ୱାତନ୍ତ୍ର୍ୟକୁ ନେଇ ଆକଷର୍ଣର କେନ୍ଦ୍ରବିନ୍ଦୁ ପାଲଟିଥାଏ  ବଜରଙ୍ଗ କ୍ଲବ । ଢେଙ୍କାନାଳ ସହରରେ ପ୍ରଥମଥର ପାଇଁ ପୂଜା ପାଉଥିବା ୩ ଟନରୁ ଊଦ୍ଧ୍ୱର୍ ଓଜନ ଏବଂ ୧୭ ଫୁଟ୍ ଉଚ୍ଚତାର ଏହି  ହାଇଦ୍ରାବାଦୀ ପ୍ରସିଦ୍ଧ ଢୋଲପେଟ୍ ମୂର୍ତ୍ତି  ଚଳିତବର୍ଷ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି କ୍ଲବ ପକ୍ଷରୁ ଆଶା କରାଯାଉଛି । ସେହିପରି ସହରର ନୂଆପୋଖରୀ ବ୍ଲଷ୍ଟାର କ୍ଲବ ପକ୍ଷରୁ ଚଳିତବର୍ଷ  ଅନନ୍ତ ଶୟନରେ ଗଜାନନଙ୍କ ଦୃଶ୍ୟ ଆକର୍ଷଣୀୟ ସାଜିଛି । ସପ୍ତଫଣୀ ନାଗ ଉପରେ ଅଗ୍ରପୂଜ୍ୟ ଶୟନ ମୁଦ୍ରାରେ  ଥିବାବେଳେ ବାହାନ ମୂଷିକ ପଦସଂଚାଳନ କରୁଛନ୍ତି ।  ସହରରେ ଶାନ୍ତିଶୃଙ୍ଖଳା ପାଇଁ ୪ ପ୍ଲାଟୁନ ପୁଲିସ ମୃତୟନ କରାଯାଇଛି ।