ଚାକିରି ବୟସ ସୀମା ୪୨କୁ ବୃଦ୍ଧି ପ୍ରସଙ୍ଗ:   ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

 ଭୁବନେଶ୍ୱର : ରାଜ୍ୟ ଅତିଥି ଭବନ ଠାରେ ଆଜି ରାଜ୍ୟର ବିଭିନ୍ନ ଛାତ୍ର ଓ ଯୁବ ସଂଗଠନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସମ୍ବର୍ଦ୍ଧିତ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି  । ବିଭିନ୍ନ ସରକାରୀ ପଦପଦବୀରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ପୂର୍ବରୁ ୩୨ ଥିବାବେଳେ, ଗତକାଲି କ୍ୟାବିନେଟରେ ଏହାକୁ ୪୨କୁ ବୃଦ୍ଧି କରାଯାଇଛି  ।
କେବଳ ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଇତ୍ୟାଦି ୟୁନିଫର୍ମ ସେବା କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ  । ସେହିପରି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସସୀମା କୋହଳ ହେବ  । ସୂଚନାଯୋଗ୍ୟଯେ, ପୂର୍ବରୁ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ବହୁଦିନରୁ ଦାବି ହୋଇ ଆସୁଥିଲା । କିନ୍ତୁ ପୂର୍ବ ସରକାର ଏହି ଦାବିକୁ ପୂରଣ କରିନଥିଲେ  । ଏକ ବର୍ଷ ପୂର୍ତ୍ତି ପୂର୍ବରୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୁବବର୍ଗଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି  । ନିଯୁକ୍ତି ଆଶାୟୀ ଯୁବବର୍ଗଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ଓ ସଂଘର୍ଷକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ନିଷ୍ପତ୍ତି ନେଇଥିବାରୁ ଯୁବ ବର୍ଗର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି  ।