ଫେବୃଆରି ୧୭ରୁ ସିବିଏସଇ ପରୀକ୍ଷା

 ନୂଆଦିଲ୍ଲୀ : ଆସନ୍ତା ଫେବୃଆରି ୧୭ ତାରିଖରୁ ଆରମ୍ଭ ହେବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରୀକ୍ଷା । ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ସୂଚନା ଜାରି କରାଯାଇଛି । ଏହି ପରୀକ୍ଷା ଜୁଲାଇ ୧୫ ତାରିଖ ମଧ୍ୟରେ ଆପାତତଃ ସରିବ । ସରକାରୀ ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷାଗୁଡ଼ିକ ୨୦୨୬ ଫେବୃଆରି ୧୭ ରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ସାରା ଭାରତ ଓ ବିଦେଶରେ ଅନୁଷ୍ଠିତ ହେବ । ଦଶମ ଓ ୧୨ ଶ୍ରେଣୀ ପାଇଁ ମୁଖ୍ୟ ପରୀକ୍ଷା ଭିତରେ ରହିଛି କ୍ରୀଡା ଛାତ୍ରଙ୍କ ପାଇଁ ପରୀକ୍ଷା (ଶ୍ରେଣୀ ଦ୍ୱାଦଶ), ଦ୍ୱିତୀୟ ବୋର୍ଡ ପରୀକ୍ଷା (ଶ୍ରେଣୀ ଦ୍ୱାଦଶ), ସପ୍ଲିମେଣ୍ଟାରୀ ପରୀକ୍ଷା (ଶ୍ରେଣୀ ଦ୍ୱାଦଶ) । ପ୍ରାୟ ୪୫ ଲକ୍ଷ ଛାତ୍ରଛାତ୍ରୀ ୨୦୪ଟି ବିଷୟରେ ଏହି ପରୀକ୍ଷା ଦେବାକୁ ଯାଉଛନ୍ତି । ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ କେବଳ ଭାରତରୁ ନୁହେଁ ବରଂ ବିଦେଶର ୨୬ଟି ଦେଶରୁ ମଧ୍ୟ ଅଂଶଗ୍ରହଣ କରିବେ । ଯାହା ସିବିଏସଇର ବିଶ୍ୱସ୍ତରୀୟ ପଦଚିହ୍ନକୁ ପ୍ରତିଫଳିତ କରୁଛି । ସିବିଏସଇ ବ୍ୟାଖ୍ୟା କରିଛି ଯେ ଅସ୍ଥାୟୀ ସମୟସାରଣୀର ଶୀଘ୍ର ପ୍ରକାଶନ ଦ୍ୱାରା ଛାତ୍ରଛାତ୍ରୀ, ସ୍କୁଲ ଓ ଶିକ୍ଷକମାନଙ୍କୁ ଅଧିକ ପ୍ରଭାବଶାଳୀ ଭାବରେ ଯୋଜନା କରିବାରେ ସାହାଯ୍ୟ କରିବ । ୨୦୨୫ ବର୍ଷ ପାଇଁ ୯ମ ଓ ଏକାଦଶ ଶ୍ରେଣୀର ପଞ୍ଜିକରଣ ତଥ୍ୟ ଆଧାରରେ ଅସ୍ଥାୟୀ ତାରିଖ ପ୍ରସ୍ତୁତ କରାଯାଇଛି । ସ୍କୁଲଗୁଡ଼ିକ ପରୀକ୍ଷା ଓ ମୂଲ୍ୟାଙ୍କନ ପାଇଁ ଶିକ୍ଷକମାନଙ୍କୁ ନିୟୋଜିତ କରିବା ସମେତ ଶୈକ୍ଷିକ ଓ ପ୍ରଶାସନିକ କାର୍ଯ୍ୟ ଯୋଜନା କରିପାରିବେ ।