ଏଫସିଆଇ ନନେଲେ ଚାଉଳ ନିଲାମ ହେବ
ଭୁବନେଶ୍ୱର : ଏଫସିଆଇ ଚାଉଳ ଉଠାଉନି । ଫଳରେ ମିଲରଙ୍କ ପାଖରେ ଚାଉଳ ପଡ଼ି ରହିଛି । ଏନେଇ ବିଜେଡ଼ି ବିଧାୟକମାନେ ଉଦବେଗ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଏଫସିଆଇ ପାଖରେ ପ୍ରାୟ ୮ ହଜାର କୋଟି ଟଙ୍କା ପଡ଼ି ରହିଥିବାବେଳେ ସେହି ଟଙ୍କା ପାଇବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ସେହିପରି ଏଫସିଆଇ ଯଦି ଚାଉଳ ନଉଠାଏ ତେବେ ସରକାର ତାହାକୁ ନିଲାମ କରି ବିକ୍ରି କରିବାକୁ ଯୋଜନା କରିଛନ୍ତି । ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତିଯେ, ଉଭୟ ଖରିଫ ଓ ରବିରେ ୯୨ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବାବେଳେ ୬୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ମିଳିଛି । ତେବେ ରାଜ୍ୟର ପିଡ଼ିଏସ ଓ ଏଫସିଆଇ ଉଠାଣରେ ୫୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବ୍ୟବହାର ହୋଇଛି । ତଥାପିବି ୧୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଣ ହୋଇପାରିନି । ରାଜ୍ୟ ସରକାର ଆଗାମୀ ଦିନରେ ଏହି ସମସ୍ୟାର ସମ୍ମୁଖୀନ ନହେବା ପାଇଁ ବଡ଼ ଗୋଦାମ ନିର୍ମାଣ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଫସିଆଇକୁ ବାରମ୍ବାର ଚାଉଳ ଉଠାଣ ପାଇଁ ଅନୁରୋଧ କରାଯାଉଛି । ଯଦି ଚାଉଳ ଉଠାଣ ନହୁଏ ତେବେ ନିଲାମରେ ଚାଉଳ ବିକ୍ରି କରାଯିବ । ଅପରପକ୍ଷରେ ୧୧ ଜିଲ୍ଲାରେ ୩ ମାସ ପାଇଁ ଅତିରିକ୍ତ ଚାଉଳ ବି ପ୍ରଦାନ କରାଯାଇଛି ବୋଲି ସେ କହିଥିଲେ । ଏହି ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ।
ଅନ୍ୟ ଏକ ପ୍ରଶ୍ନର ଆଲୋଚନା କାଳରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଲେଯେ, ରାଜ୍ୟ ସରକାର ଶୀତଳ ଭଣ୍ଡାର କରିବେ ନାହିଁ । ତେବେ ବେସରକାରୀସ୍ତରରେ ଶୀତଳ ଭଣ୍ଡାର ପାଇଁ ସରକାର ପ୍ରୋତ୍ସାହନ କରୁଛନ୍ତି । ଏଯାଏଁ ୧୨ ଉପଖଣ୍ଡରେ ଶୀତଳ ଭଣ୍ଡାର ସ୍ଥାପନ ଓ ଗୋଟିଏ ଶୀତଳ ଭଣ୍ଡାରର ପୁନରୁଦ୍ଧାର ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପ୍ରତି ସବଡିଭିଜନରେ ଗୋଟିଏ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାଛଡ଼ା ସରକାର ସୋଲାର ଓ ଇଲେକ୍ଟି୍ର କୋଲଡ଼ ରୁମ୍ ପ୍ରତିଷ୍ଠା ପାଇଁ ବି ପଦକ୍ଷେପ ନେଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି । ଏହି ପ୍ରଶ୍ନୋତ୍ତର ଆଲୋଚନାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦୁଷ୍ମନ୍ତ ସ୍ୱାଇଁ, ସନାତନ ବିଜୁଳି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।