ଆଇଟିଡ଼ିଏରେ ହରିଲୁଟର ପର୍ଦ୍ଦାଫାଶ କଲେ କାଗ୍ : ଇଞ୍ଜିନିୟରଙ୍କ ବ୍ୟାଙ୍କ ଖାତାକୁ ଯାଉଛି ପ୍ରକଳ୍ପ ଟଙ୍କା

ଭୁବନେଶ୍ୱର : ଭାରତର ନିୟନ୍ତ୍ରକ ଏବଂ ମହାଲେଖାପାଳ (କାଗ୍) ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟକ୍ରମରେ ଅନିୟମିତତା, ଆର୍ଥିକ ବ୍ୟବସ୍ଥାପନାର ତ୍ରୁଟି ଓ ଲୁଟ୍ର ପର୍ଦ୍ଦାଫାଶ କରିଛନ୍ତି  । ଇଣ୍ଟିଗ୍ରେଟେଡ୍ ଟ୍ରାଇବାଲ୍ ଡେଭଲପମେଣ୍ଟ ଏଜେନ୍ସି (କାଗ୍)ର ଅଡିଟ୍ରେ ଚମକାଇବା ଭଳି ତଥ୍ୟ ମିଳିଛି  । ଯେଉଁଥିରେ ଇଞ୍ଜିନିୟରମାନଙ୍କ ବ୍ୟକ୍ତିଗତ ଖାତାକୁ ପ୍ରକଳ୍ପ ଟଙ୍କା ଯାଉଛି  । ସେଠାରୁ ୧୪୮.୭୫ କୋଟିର ଏଟିଏମ ଉଠାଣ, ୟୁପିଆଇ ଟ୍ରାଞ୍ଜାକ୍ସନ, ମୋବାଇଲ୍ ରିଚାର୍ଜ, ବୀମା ପ୍ରିମିୟମ୍ ପର୍ଯ୍ୟନ୍ତ ଦେୟ କରାଯାଇଥିବା ପ୍ରମାଣ ମିଳିଛି  । ଏହାସହିତ ୩.୩୮ କୋଟି ଖର୍ଚ୍ଚର କୌଣସି ଭାଉଚର ନଥିଲା  । ଯେତେବେଳେକି ୩.୨୩ କୋଟିର ଦେୟ କୌଣସି ବିଲ୍ ବିନା କରାଯାଇଥିଲା  । ୨୨.୭୮ କୋଟିର ଇନଭଏସରେ ଡୁପ୍ଲିକେଟ୍ ନମ୍ବର, ତାରିଖ ନଥିବା ଆଦି ଅନିୟମିତତା ଧରାପଡ଼ିଛି  । ପାରଳାଖେମୁଣ୍ଡି ଆଇଟିଡ଼ିଏରେ ୭୩.୬୦ ଲକ୍ଷର ଅନୁମୋଦିତ ବଜେଟ୍କୁ ଅଣଦେଖା କରି ତାହାର ୫ ଗୁଣା ଅର୍ଥାତ୍ ୩.୭୪ କୋଟିର ସାମଗ୍ରୀ କିଣାଯାଇଥିଲା  । 
ଅମୃତ ଓ ବସୁଧା ଯୋଜନାରେ ୨୮୦୮ କୋଟି ଖର୍ଚ୍ଚ ହୋଇଥିଲା  । ତଥାପି ବହୁ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଗଲା  । ଅପରପକ୍ଷରେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ପାନୀୟ ଜଳ ଯୋଗାଣରେ ସରକାର ବିଫଳ ହୋଇଥିବାବେଳେ କେତେକ ସ୍ଥାନରେ ପ୍ରଦୂଷିତ ଜଳ ଯୋଗାଣ କରାଯାଇଥିବା କାଗ୍ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି  । ବୁର୍ଲାରେ ୯.୭୯ କୋଟିରେ ନବୀକରଣ ହୋଇଥିବା ପ୍ଲାଣ୍ଟରେ ପୁରୁଣା ସ୍ଲଜ୍ ସହିତ ବିଶୋଧିତ ଜଳ ମିଶିବାରୁ ଉପଭୋକ୍ତାମାନେ ଦୂଷିତ ପାଣି ପାଇଥିଲେ  । ବ୍ରହ୍ମପୁରରେ ସ୍ଥାପିତ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ୩ ବର୍ଷରେ ବନ୍ଦ ହୋଇଯାଇଛି  ।
ସେହିପରି ଅଡିଟ୍ରେ ଦେଖାଯାଇଥିଲା ଏନଜିଓ ଦ୍ୱାରା ଚାଳିତ ୩୫% ବିଶେଷ ସ୍କୁଲ  ବିନା ରେଜିଷ୍ଟ୍ରେସନରେ ଚାଲୁଛି  । ଅଧିକାଂଶ ସ୍କୁଲରେ ଶ୍ରେଣୀକକ୍ଷ, ସ୍ୱଚ୍ଛ ଶୌଚାଳୟ, ହଷ୍ଟେଲ୍, ପିଇବା ପାଣି ଭଳି ମୌଳିକ ସୁବିଧା ନଥିଲା  । ୩୦% ରୁ ୭୨% ପର୍ଯ୍ୟନ୍ତ ସାହାଯ୍ୟ ସାମଗ୍ରୀର ଅଭାବ ରହିଥିଲା  ।
ରୁଷା ଯୋଜନାରେ ୬ଟି ଆଦର୍ଶ ଡିଗ୍ରୀ କଲେଜ ପାଇଁ ୪୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିଲା  । ତେବେ ଭୁଲ୍ ସ୍ଥାନ ଚୟନ ପାଇଁ ୫ଟି ବନ୍ଦ ହୋଇ ଦକ୍ଷତା କେନ୍ଦ୍ର କରାଗଲା  । ଅନ୍ୟଟିକୁ ରାଷ୍ଟ୍ରୀୟ ରାଜପଥ ପାଇଁ ହସ୍ତାନ୍ତର କରାଗଲା  । ବ୍ରହ୍ମପୁରରେ ୧୧.୩୦ କୋଟିର କ୍ଳଷ୍ଟର ୟୁନିଭର୍ସିଟି ପ୍ରକଳ୍ପ ପ୍ରଶାସନିକ ବିବାଦ କାରଣରୁ ବନ୍ଦ ହୋଇଗଲା ।
ଏତଦବ୍ୟତୀତ କପ୍ତିପଦା ଆଇଟିଡ଼ିଏରେ ୧୯.୬୪ କୋଟିର ରବର ପ୍ଲାଣ୍ଟେସନ୍ ବିଫଳ ହୋଇଥିବା ଦର୍ଶାଯାଇଛି  । ସେହିପରି ବିଜ୍ଞାପନରେ ସରକାରୀ ଦରକୁ ଅଣଦେଖା କରାଯାଇଥିଲା  । ଫଳରେ ୧୨ କୋଟି ଅଧିକ ବ୍ୟୟ ହୋଇଥିଲା  । ରାଜସ୍ୱ ଅଧିକାରୀମାନେ ଠିକ୍ରେ ଷ୍ଟାମ୍ପ ଡୁ୍ୟଟି ସଂଗ୍ରହ ନକରିବାରୁ ୮୩.୮୮ କୋଟି କ୍ଷତି ହୋଇଛି  । ପୁରୀ ଜିଲ୍ଲାରେ ଭୁଲ ଜମି ମୂଲ୍ୟାୟନରେ ୧୬.୬୮ କୋଟି ଅଧିକ କ୍ଷତିପୂରଣ ପ୍ରଦାନ କରାଯାଇଛି ବୋଲି କାଗ୍ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି  ।